ଆଉ ୭ ସଂକ୍ରମିତ, ମାସେ ପରେ କଟକକୁ ଫେରିଲା କରୋନା

ବାଲେଶ୍ବରରେ ୩, ଗଞ୍ଜାମ, ସୁନ୍ଦରଗଡ଼ ଓ ଯାଜପୁରରୁ ଜଣେ ଲେଖ‌ା‌ଏଁ

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ଆଉ ୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ତେବେ ଉଦ୍‌ବେଗର ବିଷୟ ହେଲା, ଗ୍ରିନ୍‌ ଜୋନ୍‌ ଘୋଷଣା ହୋଇଥିବା କଟକ ଜିଲ୍ଲାରେ ପ୍ରାୟ ମାସେ ପରେ ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଚିହ୍ନଟ ବ୍ୟକ୍ତି ଜଣକ ଦିଲ୍ଲୀରୁ ଫେରିଥିବା ବେଳେ ଆଜି ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ସୁରତ ଫେରନ୍ତା। ଏହା ବ୍ୟତୀତ ବାଲେଶ୍ବର ଜିଲ୍ଲାରେ ୩ଜଣ, ଗଞ୍ଜାମ, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା କଟକର ତିଗିରିଆ ଅଞ୍ଚଳର ୩୪ବର୍ଷର ଯୁବକ ଜଣକ ହେଉଛନ୍ତି ସୁରତ ଫେରନ୍ତା। ଏହି ଯୁବକଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା‌ବେଳେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏଥି ସହିତ କଟକ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ରହିଛି। ପୂର୍ବରୁ ଏପ୍ରିଲ ୩ ତାରିଖରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ସୁସ୍ଥ ହୋଇସାରିଛନ୍ତି। ପ୍ରାୟ ଏକ ମାସ ଧରି ଜିଲ୍ଲାରେ କୌଣସି ସକ୍ରିୟ ଆକ୍ରାନ୍ତ ନ ଥିବାରୁ ଜିଲ୍ଲା ଗ୍ରିନ୍ ଜୋନ୍‌ରେ ରହିଥିଲା। ସେହିପରି ବାଲେଶ୍ବର ଜିଲ୍ଲାର ୫୦ବର୍ଷର ମହିଳା, ଜଣେ ୨୬ବର୍ଷର ଯୁବକ ଓ ଜଣେ ୪୦ ବର୍ଷର ମହିଳା ମଧ୍ୟ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପ୍ରଥମ ଦୁଇଜଣ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ତୃତୀୟ ଜଣକ ସଂପର୍କରେ ସବିଶେଷ ତଥ୍ୟ ମିଳିନାହିଁ। ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ରେ ପହଞ୍ଚିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ରହିଛି।

ଅନ୍ୟପକ୍ଷରେ ଆଜି ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୮ବର୍ଷର ଯୁବକ ମଧ୍ୟ ସୁରତରୁ ଫେରିଥିଲେ। ଗଞ୍ଜାମ ଜିଲ୍ଲାରେ ଏବେ ୩ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସେହିପରି ସୁନ୍ଦରଗଡ଼ର ରାଉରକେଲାରେ ଆଜି ୪୯ବର୍ଷର ଜଣେ ପୁରୁଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ କୋଲକାତାରୁ ଫେରିଥିବା ବେଳେ ସଙ୍ଗରୋଧରେ ରହିଛନ୍ତି। ଏହା ବ୍ୟତୀତ ରାତିରେ ଯାଜପୁର ଜିଲ୍ଲାର ଜଣେ ୫୮ ବର୍ଷର ପୁରୁଷଙ୍କ ନମୁନା ମଧ୍ୟ ପଜିଟିଭ୍ ଆସିଛି। ସେ ଜଣେ କୋଲାକାତା ଫେରନ୍ତା ଏବଂ ସଂଗରୋଧ କେନ୍ଦ୍ରରେ ଥିଲେ। ତେଣୁ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏ ପର୍ଯ୍ୟନ୍ତ ୪୪୬୬୩ ନମୁନା ପରୀକ୍ଷା ହୋଇଥିବା ବେଳେ ୧୭୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୦ଜଣ ସୁସ୍ଥ ହୋଇଥିବା ବେଳେ ୧୧୪ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। ଯାଜପୁର ଜିଲ୍ଲାରେ ସର୍ବାଧିକ ୫୩ ଜଣ, ଖୋର୍ଧାରେ ୧୫, ଭଦ୍ରକରେ ୯, ସୁନ୍ଦରଗଡ଼ରେ ୭, ବଲାଙ୍ଗୀର, କେନ୍ଦୁଝର ଓ ଝାରସୁଗୁଡ଼ାରେ ୨, କୋରାପୁଟ ଓ ଦେବଗଡ଼ରେ ଜଣେ ଲେଖାଏ ସକ୍ରିୟ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର