ଦିନକରେ ଆଉ ୭ ପଜିଟିଭ୍, ଜଣେ ସୁସ୍ଥ, ୬୧ନମ୍ବର ଆକ୍ରାନ୍ତ ସୁପର ସ୍ପ୍ରେଡର

ରାଉରକେଲାର ୪, ଭଦ୍ରକ ଜିଲ୍ଲାରୁ ୩, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ହେଲା

ଭୁବନେଶ୍ବର/ରାଉରକେଲା/ଭଦ୍ରକ: ରାଜ୍ୟରେ ଆଜି ପୁଣି ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ରାଉରକେଲାର ହୋଇଥିବା ବେଳେ ୩ଜଣ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ଅପରପକ୍ଷରେ ଆଜି ରାଜଧାନୀର ଆଉ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ନାଲାରୋଡ୍‌ରୁ ଚିହ୍ନଟ ହୋଇଥିବା ଏହି ସମସ୍ତ ୪ ସଂକ୍ରମିତଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ତହିଁରେ ଜଣେ ୫୫ ବର୍ଷ ଓ ୩୫ ବର୍ଷର ଦୁଇ ମହିଳା ରହିଥିବା ବେଳେ ୩୮ ଓ ୨୭ ବର୍ଷର ଦୁଇଜଣ ପୁରୁଷ ଚିହ୍ନଟ ହୋଇଛନ୍ତି। ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ୩୫ ବର୍ଷୀୟ ମହିଳାଙ୍କର ଦେଢ଼ ବର୍ଷର ପୁଅ ଅଛି। ଏମାନେ ସମସ୍ତେ ଗୋଟିଏ ପରିବାରର। ସେମାନେ ଷଷ୍ଠ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ନିଜେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏଯାଏଁ ଏମାନଙ୍କ ଯାତ୍ରା ବିବରଣୀ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ସମସ୍ତ ଚାରି ପଜିଟିଭ୍‌ଙ୍କୁ ରାଉରକେଲା ହାଇଟେକ୍‌ ‌କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ପରିବାର ଆହୁରି ୮ରୁ ଅଧିକ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏମାନଙ୍କ ମଧ୍ୟରୁ ପୂର୍ବରୁ ତିନି ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏହା ପରେ ନାଲାରୋଡକୁ କଣ୍ଟେନମେଣ୍ଟ ଓ ଏହା ସଂଲଗ୍ନ ଅଂଚଳକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବଫର୍‌ ଜୋନ୍‌ ଘୋଷଣା କରାଯାଇଛି। ନାଲାରୋଡର ଆକ୍ରାନ୍ତ ସମ୍ପର୍କୀୟ ସେକ୍ଟର-୧୮ ଜଣେ ମାଂସ ଦୋକାନୀ ହେଇଥିବାରୁ

ସେକ୍ଟର-୧୮ ସମସ୍ତ ମାଛ, ମାସ, ଅଣ୍ଡା ଦୋକାନୀକୁ ମହାନଗର ପକ୍ଷରୁ ସିଲ୍‌ କରି ଦିଆଯାଇଛି। ସେକ୍ଟର -୧୫ ଅଞ୍ଚଳର ୨୦ ଜଣଙ୍କୁ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନରେ ଗତକାଲି ରାତି ସୁଦ୍ଧା ୫୦୬୨ ଘର ମଧ୍ୟରୁ ୪୭୫୫ ଘରେ ସ୍କ୍ରିନିଂ କରାଯାଇଛି। ଆଜି ବି ସ୍କ୍ରିନିଂ ଚାଲିଛି। ସକାଳୁ ସ୍ୱାସ୍ଥ୍ୟ ଟିମ୍ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସଂପୃକ୍ତ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ସେହିପରି ପଶ୍ଚିମବଙ୍ଗ ଲିଙ୍କ୍‌ରେ ଭଦ୍ରକ ଜିଲ୍ଲାର ବନ୍ତ ଓ ବାସୁଦେବପୁର ବ୍ଲକ୍‌ରୁ ୩ଜଣଙ୍କୁ ଚିହ୍ନଟ କରାଯାଇଛି। ସମସ୍ତ ପୁରୁଷଙ୍କ ବୟସ ୪୫, ୨୮ ଓ ୨୯ ବର୍ଷ ରହିଥିବା ଜଣାପଡ଼ିଛି। ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ୧୯ଜଣଙ୍କୁ କରୋନା ସଂକ୍ରମଣ ପାଇଁ ଚିହ୍ନଟ କରାଯାଇ ସାରିଲାଣି। ଆଜି ଚିହ୍ନଟ ହୋଇଥିବା ୩ଜଣ ନିକଟରେ କୋଲକାତାରୁ ଫେରି ନିଜ ନିଜ ପଞ୍ଚାୟତ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରହିଥିଲେ। ସେମାନଙ୍କର ରକ୍ତନମୁନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ଆଜି ସ୍ବତନ୍ତ୍ର ଆମ୍ବୁଲାନ୍ସରେ ସମସ୍ତଙ୍କୁ କଟକ ଅଶ୍ବିନୀ ହସ୍‌ପିଟାଲକୁ ନିଆଯାଇଛି। ଏବେ ସେମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ, ତାହାର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଉକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରି ସବୁ ରାସ୍ତାକୁ ସିଲ୍ କରିଛି ପୁଲିସ।
ସେହିପରି ଆଜି ରାଜଧାନୀର ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ରାଜଧାନୀରେ ସମୁଦାୟ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୬ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୩୮ ଛୁଇଁଛି। ରାଜ୍ୟରେ ଗତକାଲି ମଧ୍ୟରାତ୍ର ସୁଧା ୨୬୬୮୭ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ହାର ୦.୪୪ ପ୍ରତିଶତ ରହିଛି। ରାଜ୍ୟରେ ଏବେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯ ରହିଛି।

ଭୁବନେଶ୍ବର: ରାଜ୍ୟର କରୋନା ସୁପର ସ୍ପ୍ରେଡର ପାଲଟିଛନ୍ତି ବାଲେଶ୍ବର ଜିଲ୍ଲାର ନେଳିଆବାଗ ଅଞ୍ଚଳର ୬୧ ନଂ ସଂକ୍ରମିତ। ୫୮ବର୍ଷର ଏହି ବ୍ୟକ୍ତି ଜଣକ ନିଜକୁ ମିଶାଇ ଏ ପର୍ଯ୍ୟନ୍ତ ୧୨ଜଣଙ୍କୁ ସଂକ୍ରମିତ କରିଥିବା ଜଣାପଡ଼ିଛି। ତହିଁରୁ କିଏ ନିକଟତମ ସଂପର୍କୀୟ ତ ଆଉ କିଏ ତାଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି। ଗତ ୮ ଦିନ ଭିତରେ ହିଁ ଏ‌ହି ସମସ୍ତ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବାଲେଶ୍ବର ନୀଳିଆବାଗ ଅଞ୍ଚଳର ଏହି ବ୍ୟକ୍ତି ଜଣକ ଗତ ୧୮ତାରିଖ‌ରେ ଚିହ୍ନଟ ହୋଇଥିଲେ। ଚିହ୍ନଟ ହେବା ପୂର୍ବରୁ ସଂପୃକ୍ତ ବ୍ୟକ୍ତି ଜଣକ ରାଜ୍ୟର ୫ଟି ହସ୍ପିଟାଲରେ ନିଜର ଚିକିତ୍ସା କରାଇଥିଲେ। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆପୋଲୋ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, କିମ୍‌ସ କୋଭିଡ ହସ୍ପିଟାଲ, ଏମ୍‌ସ ଭୁବନେଶ୍ବର ବୁଲି ବୁଲି ଶେଷରେ କରୋନା ସଂକ୍ରମିତ ଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା। ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କିମ୍‌ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତମାସ ୧୩ତାରିଖରେ ସେ ଝାଡ଼ଖଣ୍ଡକୁ ଯାଇ ସେହିଦିନ ଫେରି ଆସିଥିଲେ। ସଂପୃକ୍ତ ବ୍ୟକ୍ତି ଜଣକ କରୋନା ଚିହ୍ନଟ ହେବା ପରେ ତାଙ୍କର ସଂସ୍ପର୍ଶରେ ଆସି ଅନେକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୩୪ବର୍ଷର ମହିଳା ହେଉଛନ୍ତି ଆକ୍ରାନ୍ତ ନଂ ୭୫, ୩୮ବର୍ଷର ପୁରୁଷ ହେଉଛନ୍ତି ଆକ୍ରାନ୍ତ ନଂ ୭୬। ଆକ୍ରାନ୍ତ ନଂ ୭୭ ହେଉଛନ୍ତି ୧୨ବର୍ଷର ବାଳକ। ଆକ୍ରାନ୍ତ ନଂ ୭୮ ହେଉଛନ୍ତି ୨୬ବର୍ଷର ଯୁବକ, ଆକ୍ରାନ୍ତ ନଂ ୭୯ ହେଉଛନ୍ତି ୩୪ବର୍ଷର ମହିଳା, ଆକ୍ରାନ୍ତ ନଂ ୮୮ ହେଉଛନ୍ତି ୩୬ବର୍ଷର ମହିଳା, ୫୫ବର୍ଷର ମହିଳା ହେଉଛନ୍ତି ଆକ୍ରାନ୍ତ ନଂ ୮୯। ଏହି ସମସ୍ତ ଆକ୍ରାନ୍ତ ହେଉଛନ୍ତି ୬୧ନଂ ଆକ୍ରାନ୍ତଙ୍କ ନିକଟତମ ସଂପର୍କୀୟ। ସେହିପରି ଆକ୍ରାନ୍ତ ନଂ ୧୦୪ ହେଉଛନ୍ତି ୨୨ବର୍ଷର ଯୁବତୀ, ୫୫ବର୍ଷର ମହିଳା ହେଉଛନ୍ତି ଆକ୍ରାନ୍ତ ନଂ ୧୦୫, ଆକ୍ରାନ୍ତ ନଂ ୧୦୬ ହେଉଛନ୍ତି ୨୩ବର୍ଷର ଯୁବତୀ, ଆକ୍ରାନ୍ତ ନଂ ୧୦୭ ହେଉଛନ୍ତି ୨୭ବର୍ଷର ଯୁବକ ‌ହେଉଛନ୍ତି ତାଙ୍କର ନିକଟତମ ପଡ଼ୋଶୀ। ୪ଜଣ ପଡ଼ୋଶୀ ଲକ୍‌ଡାଉନ୍‌ ସମୟ‌ରୁ ହିଁ ଘରେ ରହିଥିଲେ। ‌ମାତ୍ର ନେଳିଆବାଗ ଅଞ୍ଚଳକୁ ସଂକ୍ରମଣ ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ପରେ ସେମାନଙ୍କ ନମୁନା ସଂଗ୍ରହ କରାଯାଇଥିଲା। ଏହି ୪ଜଣଙ୍କ ଶରୀରରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହି ସମସ୍ତଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଆଡମିଟ୍ କରାଯାଇଛି। ତେବେ ବିଶେଷ ସୂତ୍ରରୁ ମିଳିଥିବ ସୂଚନା ଅନୁସାରେ, ନେଳିଆବାଗର ଏହି ୬୧ନଂ ସଂକ୍ରମିତଙ୍କ କଣ୍ଟାକ୍ଟ ତାଲିକରେ ୫୭ଜଣ ବ୍ୟକ୍ତି ରହିଛନ୍ତି। ଏଥିରେ ତାଙ୍କର ନିକଟତମ ସଂପର୍କୀୟଙ୍କ ବାଦ୍ ସେ ଯେଉଁ ଶିକ୍ଷାନୁଷ୍ଠାନ ସହିତ ‌ଜଡ଼ିତ ଅଛନ୍ତି ତାହାର କର୍ମଚାରୀ, ଗ୍ରୋସେରି/ଔଷଧ ଦୋକାନ, ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରର ଡାକ୍ତର, ଷ୍ଟାଫ ନର୍ସ ଓ ଫାର୍ମାସିଷ୍ଟ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କ ବାହାର ଯାତ୍ରା ବିବରଣୀ ନାହିଁ। ମାତ୍ର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ତହିଁରୁ ଏ ପର୍ଯ୍ୟନ୍ତ ୧୧ଜଣ କରୋନା ପଜିଟିଭ୍ ହୋଇସାରିଲେଣି।

ଅପରପକ୍ଷରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆକ୍ରାନ୍ତ ନଂ ୧୦୮ଙ୍କ ଯାତ୍ରା ବିବରଣୀ ଦିଆଯାଇଛି। ୨୯ବର୍ଷର ଏହି ଯୁବତୀ ଜଣକ ପୂର୍ବରୁ ସଂକ୍ରମିତ ହୋଇଥିବା ୭୯ନଂଙ୍କ ନିକଟତମ ପଡ଼ୋଶୀ ବୋଲି ଜଣାପଡ଼ିଛି। ତାଙ୍କ ଶରୀରରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା। ଗତ ୨୬ତାରିଖରେ ନମୁନା ସଂଗ୍ରହ କରାଯିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ତାଙ୍କୁ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର