ବ୍ରହ୍ମପୁର: ବ୍ରହ୍ମପୁର ସହରର ସବୁଜ ମଣିଷ ଭାବେ ପରିଚିତ ସୁଧୀର ରାଉତ ହାତକୁ ଆଉ ଏକ ଅଭିଯାନ ନେଇଛନ୍ତି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ୧୩ଟି ଲଣ୍ଡା ପାହାଡ଼ରେ ସେ ସିଡ୍ବଲ୍ ବୁଣିବା ସହିତ ଚାରାରୋପଣ କରିଥିଲେ। ଅଧିକାଂଶ ଲଣ୍ଡା ପାହାଡ଼ରେ ଗଛଲତା ସୃଷ୍ଟି ହୋଇ ସବୁଜବନାନୀରେ ପରିଣତ ହୋଇସାରିଛି। ଏବେ ସେ ଜିଲ୍ଲାର ଆଉ ୭ଟି ଲଣ୍ଡା ପାହାଡ଼କୁ ସବୁଜମୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ସୁଧୀରଙ୍କ ଟିମ୍ ସିଡ୍ବଲ୍ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଆଗାମୀ ଦିନରେ ସିଡ୍ବଲ୍ଗୁଡ଼ିକ ଲଣ୍ଡା ପାହାଡ଼ରେ ବୁଣାଯିବା ସହିତ ଚାରାରୋପଣ କରାଯିବ ବୋଲି ସୁଧୀର କହିଛନ୍ତି।
ସୁଧୀର ପେସାରେ ଜଣେ ଅଧ୍ୟାପକ ହୋଇଥିବା ବେଳେ ନିଶା ତାଙ୍କର ପରିବେଶ ସୁରକ୍ଷା। ବୃକ୍ଷରୋପଣ ସହିତ ପ୍ଲାଷ୍ଟିକ୍ ବର୍ଜନ ଦିଗରେ ସେ ଲୋକଙ୍କୁ ସଚେତନ କରି ଆସୁଛନ୍ତି। ୨୦୦୭ରୁ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ୬୦ବର୍ଷ ବୟସରେ ମଧ୍ୟ ସେ ତାଙ୍କର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ସେ ଆର୍ଯ୍ୟଭଟ୍ଟ ନାମରେ ଏକ ଅନୁଷ୍ଠାନ ଗଠନ କରିଛନ୍ତି। ପୂର୍ବରୁ ସୁଧୀର ଚିକିଟି ବ୍ଲକ୍ର ବାଳକୁମାରୀ, ପୋଡ଼ାପଦର, ସାହାସପୁର, ଚାଙ୍ଗୁଡିଦେଇ, ପାକିଡ଼ି ପର୍ବତମାଳାର କରଞ୍ଜେଇ, ହିଞ୍ଜିଳି, ଖଲ୍ଲିକୋଟର କରାଖୋଲ, ତାରାତାରିଣୀ, କଙ୍କିଆ ଆଦି ପାହାଡ଼ରେ ପ୍ରାୟ ଦୁଇଲକ୍ଷ ସିଡ୍ବଲ୍ ବିଞ୍ଚିଥିଲେ। ୨୦୨୧ରେ ଆଉ ତିନୋଟି ପାହାଡ଼ ଭାଲିଆଗଡ଼, ବାଣିଆମାରୀ ଓ ରାମଚନ୍ଦ୍ରପଲ୍ଲୀ ପାଖ ପାହାଡ଼ରେ ପ୍ରାୟ ଦୁଇ ଲକ୍ଷ ସିଡ୍ବଲ୍ ସହ ପ୍ରାୟ ତିନି ଲକ୍ଷ ମଞ୍ଜି ଖୋସିଛନ୍ତି। ୨୦୨୨ରେ ଭାଲୁ ଢିମ୍ବିରା, ଭୁଆଶୁଣି, ମହୁରୀ କାଳୁଆ ପାଖ ପାହାଡ଼, ପାକିଡ଼ିର ଗୋଟିଏ ପାହାଡ଼ରେ ୨ ଲକ୍ଷ ସିଡ୍ବଲ୍ ସହ ପ୍ରାୟ ୬ ଲକ୍ଷ ମଞ୍ଜି ଖୋସା ଯାଇଥିବା ସୁଧୀର କହିଛନ୍ତି। ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ଆଉ ୭ଟି ଲଣ୍ଡା ପାହାଡ଼କୁ ସବୁଜମୟ କରିବାକୁ ଯୋଜନା ରହିଥିବା ସୁଧୀର କହିଛନ୍ତି।
ସେଗୁଡ଼ିକ ହେଲା ଚିକିଟି ନିକଟସ୍ଥ ଋଷିଡାଲି ପାହାଡ଼, ମହୁରୀ କାଳୁଆ ନିକଟରେ ଥିବା ୪ଟି ପାହାଡ଼, ବାଙ୍କେଶ୍ବରୀ ନିକଟସ୍ଥ ପାହାଡ଼, ପାକିଡ଼ିର ଏକ ପାହାଡ଼, ପାତ୍ରପୁର ବ୍ଲକ୍ର ସାହାସପୁର ଓ ରାମଚଣ୍ଡିରେ ମଧ୍ୟ ସିଡ୍ବଲ୍ ବିଞ୍ଚିବାକୁ ଯୋଜନା ରହିଥିବା ପରିବେଶ ପ୍ରେମୀ ସୁଧୀର କହିଛନ୍ତି। ଏଥିପାଇଁ ମେ ୧୯ତାରିଖରୁ ସିଡ୍ବଲ୍ ତିଆରି ପ୍ରକ୍ରିୟା ଆରମ୍ଭ ହୋଇଛି। ମୌସୁମି ପୂର୍ବରୁ ଜୁନ୍ ୧୦ତାରିଖ ପରେ ତାହା ଲଣ୍ଡା ପାହାଡ଼ରେ ବିଞ୍ଚା ଯିବ ବୋଲି ସେ କହିଛନ୍ତି। ସେହିପରି ଚିକିଟି, ଟାମଣା ଓ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ମଧ୍ୟ ବୃକ୍ଷରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ଜୁଲାଇ ଦ୍ବିତୀୟ ସପ୍ତାହରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସମସ୍ତ କାର୍ଯ୍ୟ ନିଜସ୍ବ ଉଦ୍ୟମରେ କରୁଥିବା ସେ କହିଛନ୍ତି। ଏଥିପାଇଁ ତାଙ୍କୁ କୌଣସି ସରକାରୀ ସହାୟତା କି ସହଯୋଗ ମିଳୁ ନାହିଁ। ପିଲାମାନଙ୍କୁ ପାଠ ପଢ଼ାଇବା ସହିତ ପରିବେଶ ସୁରକ୍ଷା ପାଇଁ ସୁଧୀର ଅହରହ ଉଦ୍ୟମ ଜାରି ରଖିଛନ୍ତି।