ଭୁବନେଶ୍ବର: ରାଜ୍ୟରେ ଗେଲ୍‌ ଇଣ୍ଡିଆ ଆଉ ୭ଟି ନୂଆ ସିଏନ୍‌ଜି ଷ୍ଟେସନ୍ ଖୋଲିବ। ଏଥିରୁ ୪ଟି ଷ୍ଟେସନ୍ ଖୋର୍ଦ୍ଧା ଜିଲ୍ଲାରେ ଏବଂ ୩ଟି ଷ୍ଟେସନ୍ କଟକ ଜିଲ୍ଲାରେ ଖୋଲାଯିବ। ଖୋର୍ଦ୍ଧା ଜିଲ୍ଲାର ଯେଉଁସବୁ ସ୍ଥାନରେ ନୂଆ ସିଏନ୍‌ଜି ଷ୍ଟେସନ ସ୍ଥାପନ ହେବ ସେଗୁଡ଼ିକ ହେଲା ନାଚୁଣୀ, କୁହୁଡ଼ି, ସାରୁ ଏବଂ ଟାଙ୍ଗି ବଡ଼ ପୋଖରିଆ। ସେହିଭଳି କଟକ ଜିଲ୍ଲାର ଯେଉଁ ୩ଟି ସ୍ଥାନରେ ଉକ୍ତ ଷ୍ଟେସନ୍ ଆରମ୍ଭ ହେବ ସେଗୁଡ଼ିକ ମଧ୍ୟରେ ଟାଙ୍ଗି ଓ ନିଶ୍ଚିନ୍ତକୋଇଲି ରହିଛି। ଏସବୁ ସିଏନ୍‌ଜି ଷ୍ଟେସନ ଆସନ୍ତା ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି।

Advertisment

୭ଟି ନୂଆ ସିଏନ୍‌ଜି ଷ୍ଟେସନ ସ୍ଥାପନ ହେବା ଫଳରେ ଓଡ଼ିଶାରେ ଗେଲ୍‌ର ସିଏନ୍‌ଜି ‌‌ଷ୍ଟେସନ ସଂଖ୍ୟା ୩୦ରେ ପହଞ୍ଚିବ। ବର୍ତ୍ତମାନ ଉପରୋକ୍ତ ଦୁଇ ଜିଲ୍ଲାରେ ଗେଲ୍‌ର ୨୩ଟି ସିଏନ୍‌ଜି ଷ୍ଟେସନ୍ ରହିଛି। ଗେଲ୍ ଇଣ୍ଡିଆକୁ ବାଦ୍‌ ଦେଲେ ରାଜ୍ୟରେ ଗେଲ୍‌ର ସହାୟକ କମ୍ପାନି ଗେଲ୍ ଗ୍ୟାସ୍ ଲିମିଟେଡ୍‌, ଆଦାନି ଏବଂ ବିପିସିଏଲ ଭଳି କମ୍ପାନି ସିଏନ୍‌ଜି ଷ୍ଟେସନ ଅନ୍ୟ ଜିଲ୍ଲାରେ ସ୍ଥାପନ କରିଛନ୍ତି। ତେଣୁ ରାଜ୍ୟରେ ମୋଟ୍‌ ସିଏନ୍‌ଜି ‌ଷ୍ଟେସନ ସଂଖ୍ୟା ରାଜ୍ୟରେ ପ୍ରାୟ ୪୦ ପାଖାପାଖି ହେବ।

ଏଥିସହିତ ଗେଲ୍ ଇଣ୍ଡିଆ ରାଜଧାନୀ ଭୁବନେଶ୍ବର ସମେତ କଟକରେ ଲୋକଙ୍କୁ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇ ଦେଉଛି। ଦ୍ବୈତ ନଗରୀରେ ଦିନକୁ ୨୦ରୁ ୨୫ଟି ଘରକୁ ନୂଆ ରନ୍ଧନ ଗ୍ୟାସ୍ ସଂଯୋଗ ପାଇପ୍‌ ଜରିଆରେ ଗେଲ୍‌ ପ୍ରଦାନ କରୁଛି। ଗତ ପ୍ରାୟ ୩ ବର୍ଷ ମଧ୍ୟରେ ଗେଲ୍‌ ଏହି ଦୁଇ ସହରରେ ୧୬ ହଜାରରୁ ଅଧିକ ଘରକୁ ପାଇପ୍‌ ଜରିଆରେ ଗ୍ୟାସ୍ ‌ସଂଯୋଗ ଯୋଗାଇ ଦେଇଛି। ଏଥିରୁ ୧୦ ହଜାରରୁ ଅଧିକ ସଂଯୋଗ ଭୁବନେଶ୍ବରରେ ଏବଂ ୬ ହଜାରରୁ ଅଧିକ ସଂଯୋଗ କଟକରେ ରହିଛି।

ଲୋକଙ୍କୁ ପାଇପ୍‌ ଯୋଗେ ଯୋଗାଇ ଦିଆଯାଉଥିବା ରନ୍ଧନ ଗ୍ୟାସର ମୂଲ୍ୟ ଏସ୍‌ସିଏମ୍‌ (ଷ୍ଟାଣ୍ଡାର୍ଡ ଘନ ମିଟର) ପିଛା ଏବେ ୫୭ ଟଙ୍କା ୧୮ ପଇସା ରହିଛି। ଗୋଟିଏ ଏଲପିଜି ସିଲିଣ୍ଡରରେ ରହୁଥିବା ଗ୍ୟାସ୍ ୧୫ ଷ୍ଟାଣ୍ଡାର୍ଡ ଘନ ମିଟର ସହ ସମାନ। ତେଣୁ ମୂଲ୍ୟ, ପ୍ରଦୂଷଣ ଓ ନିରାପତ୍ତା ଆଦି ଦୃଷ୍ଟିରୁ ପାଇପ୍‌ ଜରିଆରେ ଗ୍ୟାସ୍ ସଂଯୋଗ ଅପେକ୍ଷାକୃତ ଭାବେ ଭଲ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଏଥିପ୍ରତି ଆଗ୍ରହ ଦେଖାଦେଉଛି। ସେହିଭଳି ସିଏନ୍‌ଜି ମୂଲ୍ୟ ରାଜ୍ୟରେ କିଲୋଗ୍ରାମ ପିଛା ପେଟ୍ରୋଲ ଓ ଡିଜେଲ ତୁଳନାରେ କମ୍ ରହିଛି। କିଲୋଗ୍ରାମ ପିଛା ସିଏନଜି ମୂଲ୍ୟ ୮୯ ଟଙ୍କା ୭୫ ପଇସା ଅଛି।