ବାରିପଦା: ତୃଣମୁଳସ୍ତରରେ ଯୋଜନାର ସଫଳ ରୁପାୟନ ନିମନ୍ତେ ସରକାର ପଞ୍ଚାୟତ ପୁର୍ନଗଠନ କଲେ। ଛୋଟ ଛୋଟ ଗାଁକୁ ନେଇ ନୂଆ ପଞ୍ଚାୟତ ଗଠନ ହେଲା। ଏହାକୁ ନେଇ ସ୍ଥାନୀୟ ଲୋକମାନେ ବେଶ୍ ଖୁସି ବ୍ୟକ୍ତ କଲେ। ତେବେ କେତେକ ସ୍ଥାନରେ ନୂଆ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ କୋଠା ନିର୍ମାଣ ବେଳକୁ ଆରମ୍ଭ ହେଲା ଜମି ବିବାଦ। ଫଳରେ ଜିଲ୍ଲାରେ ୬ ନୂଆ ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ ଏ ଯାଏ ନିର୍ମାଣ ହୋଇ ପାରିନାହିଁ। ଏଥିସହ ଜମିଜମା ବିବାଦ ନ୍ୟାୟାଳୟରେ ପହଞ୍ଚିଥିବାରୁ ଗୋଟିଏ ପୁରୁଣା ପଞ୍ଚାୟତର ବି ନିଜସ୍ବ କାର୍ଯ୍ୟାଳୟ ନିର୍ମାଣ ସମ୍ଭବପର ହେଉନି। ନିଜସ୍ବ କାର୍ଯ୍ୟାଳୟ ନଥିବା ଏସବୁ ପଞ୍ଚାୟତଗୁଡିକରେ ସରକାରୀ କାଗଜପତ୍ର ଅସୁରକ୍ଷିତ ଅବସ୍ଥାରେ ରହୁଛି। ସରକାରୀ କାର୍ଯ୍ୟକ୍ରମରେ କୌଣସି ଗୋପନୀୟତା ବି ରହୁନି।
ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ୩୮୨ଟି ପଞ୍ଚାୟତ ଥିଲା। ୨୦୧୬ ମସିହାରେ ୨୨ଟି ନୂଆ ପଞ୍ଚାୟତ ଗଠନ ହୋଇଥିଲା। ତେବେ ଏହି ୨୨ ପଞ୍ଚାୟତ ମଧ୍ୟରୁ ୧୪ଟିର ନିଜସ୍ବ କୋଠା ନିର୍ମାଣ ହୋଇଥିବା ବେଳେ ୬ଟି ପଞ୍ଚାୟତର ନିଜସ୍ବ ଘର ନାହିଁ। ବେତନଟୀ ବ୍ଲକ୍ର ହାତିଝୁରୀ ଓ କେନ୍ଦୁଆ, ଶୁକୃଳି ବ୍ଲକ୍ର ବାରିଆ, ଠାକୁରମୁଣ୍ଡା ବ୍ଲକ୍ର ଧାତିକିଡ଼ିହା, ରାସଗୋବିନ୍ଦପୁର ବ୍ଲକ୍ର ଭାଦୁଆଶୁଳି ଓ ସାରସକଣା ବ୍ଲକ୍ର ସିଲପୁଡ଼ି ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ ନାହିଁ। ନୂଆ ପଞ୍ଚାୟତ ଘୋଷଣାର ୭ ବର୍ଷ ପରେ ବି କାର୍ଯ୍ୟାଳୟ ନିର୍ମାଣ ହୋଇନଥିବାରୁ ଉନ୍ନୟନ କାର୍ଯ୍ୟ ଠିକଣା ଢଙ୍ଗରେ ହୋଇପାରୁନି। ବାଙ୍ଗିରପୋଷି ବ୍ଲକ୍ ନାଫ୍ରି ଏକ ପୁରୁଣା ପଞ୍ଚାୟତ ହୋଇଥିଲେ ବି କୋଠା ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇ ପାରୁନାହିଁ କି କାର୍ଯ୍ୟାଳୟ ଖୋଲି ପାରୁନାହିଁ। ନିଜସ୍ବ କାର୍ଯ୍ୟାଳୟ ନଥିବାରୁ କେଉଁଠି କ୍ଲବ୍ ଘରେ ଆଉ କେଉଁଠି ସରପଞ୍ଚଙ୍କ ନିଜ ଘରେ ଚାଲିଛି କାର୍ଯ୍ୟାଳୟ। ଆଉ କିଛି ପଞ୍ଚାୟତରେ ମହିଳା ସରପଞ୍ଚ ଥିବାରୁ ସେମାନଙ୍କ ସ୍ବାମୀମାନେ ହାଟବାଟରେ ବି ଫାଇଲ୍ କାମ କରୁଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଓ ସରକାର ଏ ଦିଗରେ ଧ୍ୟାନ ଦେଇ ତୁରନ୍ତ ଏହାର ସମାଧାନର ପନ୍ଥା ବାହାର କରିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/52-9.jpg)