ମାଡପିଟ ମାମଲାରେ ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ୭ ଜଣ ଜେଲ ଗଲେ 

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ପୁରେନା ଛକରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁ‌େର୍ଯ୍ୟାଧନ ପୁଟାଙ୍କ ଉପରେ ଶୁକ୍ରବାର ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ବରତୁଣ୍ତା ସରପଞ୍ଚଙ୍କ ସ୍ବାମୀ ଗୋବିନ୍ଦ ସୁନାଙ୍କ ସମେତ ୭ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶନିବାର କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ପୁଲିସ୍‌ ସମସ୍ତଙ୍କୁ ଜେଲକୁ ପଠାଇଛି।

ଘଟଣାରୁ ପ୍ରକାଶ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଶ୍ରୀ ପୁଟା ବରତୁଣ୍ତା ପଞ୍ଚାୟତରେ ମନରେଗା ଯୋଜନାରେ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ବିନା କାମରେ ବିଲ୍‌ କରାଯାଇଥିବା ଦର୍ଶାଇ ଏହାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଶ୍ରୀ ପୁଟାଙ୍କ ଅଭିଯୋଗକୁ ଆଧାର କରି ବରଗଡ଼ ପିଡି ଡିଆରଡିଏଙ୍କ କାର୍ଯ୍ୟାଳୟରୁ ତଦନ୍ତ ଚାଲିଛି। ଗତକାଲି ସଂଧ୍ୟାରେ ନୃସିଂହନାଥ ମନ୍ଦିର ବୈଶାଖ ମେଳା ଜାଗା ବଣ୍ଟନ କାର୍ଯ୍ୟ ସାରି ଶ୍ରୀ ପୁଟା ନିଜ ଘର ଖପୁରିଡ଼ିହିକୁ ବାଇକ୍‌ରେ ଫେରୁଥିବା ବେଳେ ପୁରେନା ଛକରେ ପୂର୍ବରୁ ଜଗି ରହିଥିବା ସରପଞ୍ଚଙ୍କ ସ୍ବାମୀ ଶ୍ରୀ ସୁନା ଓ ଅନ୍ୟମାନେ ଶ୍ରୀ ପୁଟାଙ୍କୁ ଅଟକାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

ଏପରିକି ନୃସିଂହନାଥ ବଜାର କମିଟିର ୯ ହଜାର ୨ ଶହ ଟଙ୍କା ମଧ୍ୟ ପକେଟ୍‌ରୁ ଛଡ଼େଇ ନେଇଥିବା ଶ୍ରୀ ପୁଟା ପାଇକମାଳ ଥାନା ଅଭିଯୋଗ କରିଥିଲେ। ଥାନା ଆଇଆଇସି ବିଶ୍ବଜିତ ମନବୋଧ ଘଟଣାର ତଦନ୍ତ କରି ସେମାନଙ୍କୁ ଥାନାରେ ଆଣି ଅଟକ ରଖିଥିଲେ। ଶ୍ରୀ ପୁଟାଙ୍କ ରିପୋର୍ଟ ଆଧାରରେ ଏସସି/ଏସ୍‌ଟି ମକଦ୍ଦମା ରୁଜୁ କରି ଆଜି ପୁଲିସ୍‌ ଅଭିଯୁକ୍ତ ସରପଞ୍ଚଙ୍କ ସ୍ବାମୀ ଶ୍ରୀ ସୁନା, ଉମେଶ ଧରୁଆ, ଗିତେଶ୍ବର ପଟେଲ, ତ୍ରିନାଥ ମଲ୍ଲିକ, ରଣଜିତ ପୋଢ଼, ରବି ପୋଢ଼ଙ୍କୁ ଗିରଫ କରି ପଦ୍ମପୁର ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରାଇଥିଲେ। ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ନାମାଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲକୁ ପଠାଯାଇଛି।

ସମ୍ବନ୍ଧିତ ଖବର