ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଏକ ଜଙ୍ଗଲୀ ଭାଲୁ ସ୍ଥାନୀୟ ଲୋକ ଏବଂ ବନ ବିଭାଗର ନିଦ ହଜାଇ ଦେଇଛି। ଜଙ୍ଗଲୀ ଭାଲୁ ସହରକୁ ଅନୁପ୍ରବେଶ ନେଇ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଉଛି। ଗୋଟିଏ ଜାଗାରେ ଲୋକେ ଭାଲୁକୁ ଦେଖି ବନ ବିଭାଗକୁ ଖବର ଦେଉଥିବା ବେଳେ କିଛି ଘଣ୍ଟାର ବ୍ୟବଧାନ ପରେ ଆଉ ଏକ ଅଞ୍ଚଳରେ ଭାଲୁକୁ ଦେଖି ଲୋକେ ବନ ବିଭାଗକୁ ସୂଚନା ଦେଉଛନ୍ତି। ଭାଲୁ ଆତଙ୍କ ନେଇ ବନ ବିଭାଗର ମଧ୍ୟ ଏକ ପ୍ରକାର ନକେଦମ ହୋଇଛନ୍ତି। ଅନ୍ୟଟେ ଭାଲୁକୁ କାବୁ ନ କରି ପାରିବା ଯୋଗୁଁ ବନ ବିଭାଗ ମଧ୍ୟ ଲୋକଙ୍କ ସରବ୍ୟ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ୧୪ ତାରିଖ ମଧ୍ୟରାତ୍ରରେ ଏକ ଜଙ୍ଗଲୀ ଭାଲୁ ସହରକୁ ପସି ଆସିଥିଲା। ଭାଲୁକୁ କାବୁ କରି ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଛାଡିଥିଲେ। ପୁନର୍ବାର ଗତ ୨୧ ତାରିଖ ବିଳମ୍ବିତ ରାତିରେ ଆଉ ଏକ ଜଙ୍ଗଲୀ ଭାଲୁ ସହରକୁ ଆସିଥିଲା।
ବନ ବିଭାଗ, ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଭାଲୁକୁ କାବୁ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ। ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ କରାଯାଉଥିଲେ ସୁଦ୍ଧା ଭାଲୁ ଉପରେ କୌଣସି ପ୍ରଭାବ ପଡୁନଥିଲା। ଜଙ୍ଗଲୀ ଭାଲୁ ୭ ଜଣଙ୍କୁ ଆକ୍ରମଣ କରି ଗୁରୁତର ଭାବେ ଆହତ କରିଥିଲା। ପରେ ଗତ ୨୨ ତାରିଖ ଦିନ ସ୍ଥାନୀୟ କୁସାଡୁଙ୍ଗରିକୁ ଭାଲୁ ଚାଲି ଯାଇଥିଲା।
ବର୍ତ୍ତମାନ ସହରର ଦର୍ପଣସାଗର, ଅପନାଢ଼ାବା ଏବଂ କୁସାଡ଼ଙ୍ଗରିରେ ଭାଲୁ ଦେଖାଯାଉଥିବା ନେଇ ଲୋକେ ବନ ବିଭାଗକୁ ଖବର ଦେଉଥିବା ବେଳେ ବନ ବିଭାଗ ଗଲା ପରେ ଭାଲୁକୁ ଠାବ କରି ପାରୁନାହାନ୍ତି। ଭାଲୁ ମାଇଲେ ମଲି ଓ ଭାଲୁକୁ ମାରିଲେ ମଲି ନେଇ ନ୍ଦ୍ୱନ୍ଦରେ ସହରବାସୀ। ବନ ବିଭାଗର ଅପାରଗତା ନେଇ କର୍ମଚାରୀମାନେ ହଟହଟା ହେଉଥିବା ବେଳେ ଭାଲୁ ସେମାନଙ୍କ ନିଦ ହଯାଉ ଦେଇଛି।
ବନ ବିଭାଗ ପକ୍ଷରୁ ସହରର ଜଳେଶ୍ୱର ମନ୍ଦିର, ତାରିଣୀ ମନ୍ଦିର, ଶନି ମନ୍ଦିର, ଚୁରିହାରିପଡା ଛକ, ଭବାନୀ ସିନେମାହଲ, ଗାନ୍ଧୀ ପାର୍କ, ଷ୍ଟେଚୁ ଛକ, ଗାର୍ଲସ ହାଇସ୍କୁଲ, ମାଣିକେଶ୍ୱରୀ ଛକ, ସୁଜାତା ହୋଟେଲ, ଦୟାନିଧି ଛକ, ମହାବୀର ସଂସ୍କୃତିକ ଅନୁଷ୍ଠାନ ଛକ, ଗାନ୍ଧୀ ଛକ,ଷ୍ଟାଡିୟମ ପାଖ ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଦର୍ପଣସାଗର, କାୱାଡି ଛକ, ମାର୍କେଟ ଛକ, ଇରିଗେସନ ଛକ, ପୁରୁଣା ଏଲଆଇସି ଅଫିସ, ଘୋଡାଘାଟ ଛକ, ସୌମ୍ୟ ଭିଡିଓ, କଲେଜ ଛକ ସମେତ ୨୩ଟି ଜାଗାରେ ସ୍କେଚ ଜାରି କରି ପେଟ୍ରୋଲିଂ କରାଯାଉଛି।
ବନ ବିଭାଗ ପକ୍ଷରୁ ଭାଲୁକୁ କାବୁ କରି ପାରୁନ ଥିବା ବେଳେ ବିଭାଗୀୟ ରଣକୌଶଳ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଉତ୍ତର ବନଖଣ୍ଡ ଡିଏଫଓ ନୀତିଶ କୁମାରଙ୍କୁ ପଚାରିବାରୁ ଭବାନୀପାଟଣା ସହରର ଅପନା ଢ଼ାବା, ଦର୍ପଣ ସାଗର, କୁସା ଡୁଙ୍ଗରି ଅଞ୍ଚଳରୁ ଲୋକେ ଭାଲୁ ଦେଖିଥିବା ନେଇ ଫୋନ କରୁଛନ୍ତି। ବିଭାଗ ପକ୍ଷରୁ ଏନେଇ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କଲା ପରେ ମଧ୍ୟ ଭାଲୁର କୌଣସି ଖୋଜ ଖବର ମୁଲିନାହିଁ। ବର୍ତ୍ତମାନ ଦିନ ବେଳେ ତିନୋଟି ଟିମ ଓ ରାତିରେ ଚାରିଟି ଟିମ ଭବାନୀପାଟଣା ସହରକୁ ଆସୁଥିବା ୨୩ଟି ସ୍ଥାନରେ ପେଟ୍ରୋଲିଂ କଡାକଡି କରାଯାଇଛି ବୋଲି କହିଥିଲେ।