ପିଏଲ୍‌ଏଫ୍‌ଆଇ ନେଟ୍‌ଓ୍ଵର୍କ ଧ୍ୱସ୍ତ

ରାଉରକେଲା/ଭୁବନେଶ୍ୱର : ପିପୁଲ୍‌ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ବିରୋଧରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ପିଏଲ୍‌ଏଫ୍‌ଆଇ ଜୋନାଲ୍‌ କମିଟି ସଭ୍ୟ ଅର୍ଜୁନ ରାଣା ଏବଂ କୋଇଡ଼ା ବଡ଼ବିଲ୍‌ ଏରିଆ କମାଣ୍ଡର ସୂର୍ଯ୍ୟାଙ୍କ ସମେତ ୭ ଜଣ ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ଗୋଟିଏ କାରବାଇନ୍‌, ତିନି ବନ୍ଧୁକ, ଦୁଇଟି ପିସ୍ତଲ୍‌ ସମେତ ୫୦ ରାଉଣ୍ଡ ଗୁଳି ଜବତ ହୋଇଛି। ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀଙ୍କ ଘରୁ ବି ଏକ ଅତ୍ୟାଧୁନିକ ବନ୍ଧୁକ ଜବତ ହୋଇଛି। ଏଥିସହ ସଂଗଠନ ସହ ସମ୍ପୃକ୍ତ ସୁନ୍ଦରଗଡ଼ ଜିଲ୍ଲାର ୧୦ରୁ ଅଧିକ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବା ପାଇଁ ସୁନ୍ଦରଗଡ଼ ପୁଲିସ ପକ୍ଷରୁ ଚଢ଼ଉ ଚାଲିଛି। ବଛା ବଛା ସଦସ୍ୟ ଧରାପଡ଼ିଥିବାରୁ ପୁଲିସର ଏହି ଚଢ଼ଉ ପିଏଲ୍‌ଏଫ୍‌ଆଇ ସଂଗଠନ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି।

କୁଆରମୁଣ୍ଡା ଫାଣ୍ଡି ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଏସ୍‌ପି ପିନାକ ମିଶ୍ର କହିଛନ୍ତି ଯେ, ଗତ ୨୯ ତାରିଖ ରାତିରେ କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଖୁଖୁଣ୍ଡବାହାଲ ଜଙ୍ଗଲରେ ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ଏକଜୁଟ୍‌ ହୋଇ ଅପରାଧ ଯୋଜନା ପ୍ରସ୍ତୁତ କରୁଥିଲେ। ଏ ସମ୍ପର୍କରେ ଖବର ପାଇ ସୁନ୍ଦରଗଡ଼ ପୁଲିସର ଏକ ଟିମ୍‌ ସେମାନଙ୍କୁ ଧରିବା ପାଇଁ ଅତର୍କିତ ଚଢ଼ଉ କରିଥିଲେ। ପୁଲିସ ଘଟଣାସ୍ଥଳରୁ ପିଏଲ୍‌ଏଫ୍‌ଆଇ ଝାଡ଼ଖଣ୍ଡ ଏବଂ ଓଡ଼ିଶା ଜୋନାଲ୍‌ କମିଟି ସଦସ୍ୟ ଅର୍ଜୁନ ରାଣା ଓରଫ କପିଳ ପାଠକ ଓରଫ ରାହୁଳ (୨୮)ଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା। ଅର୍ଜୁନଙ୍କ ଘର ଆସାମ ରାଜ୍ୟର ଧେମଜୀ ଜିଲ୍ଲା କଚୁଟୋଲି ଅଞ୍ଚଳରେ। ତାଙ୍କ ଠାରୁ ୯ ଏମ୍‌ଏମ୍‌ କାରବାଇନ୍‌ ମେସିନ୍‌ ଗନ୍‌, ୪ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଥିଲା। କୋଇଡା ଏବଂ ବଡବିଲ୍‌ ଅଞ୍ଚଳର ପିଏଲ୍‌ଏଫଆଇ ଏରିଆ କମାଣ୍ଡର ସୂର୍ଯ୍ୟ ଓରଫ ଖ୍ରୀଷ୍ଟ ପାଉଲୁସ୍‌ ସୋଏ ଓରଫ ପାଉଲୁସ୍‌ ମୁଣ୍ଡା ଓରଫ କିରନ ସୋଏ ମଧ୍ୟ ଧରାପଡ଼ିଥିଲା। ତାଙ୍କ ଘର କୋଇଡ଼ାର କୁସୁମଡିହି ଗ୍ରାମରେ। ତାଙ୍କ ଠାରୁ ୯ ଏମ୍‌ଏମ୍‌ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ ହୋଇଛି।

ଏଥିସହ ପିଏଲ୍‌ଏଫଆଇ କ୍ୟାଡର ସଦସ୍ୟ ତଥା ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ଗୁଫୁ ଗ୍ରାମର ଯୋଗେଶ୍ୱର ସିଂହ ଓରଫ ଭକୁଡୁ ପୁଲିସ ହାତରେ ଧରା ପଡିଥିଲା। ତା’ ଠାରୁ ଗୋଟିଏ ଡିବିବିଏଲ ବନ୍ଧୁକ ଏବଂ ୮ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ହଡାଟ୍‌ଲାମା ଗ୍ରାମର ପିଏଲ୍‌ଏଫଆଇ ସଦସ୍ୟ ସୁନ୍ଦର ଓରିଆ ଓରଫ ସୁନିଲ୍‌ଙ୍କୁ ବି ପୁଲିସ ଗିରଫ କରିଥିଲା। ସୁନିଲ୍‌ ଠାରୁ ଗୋଟିଏ ଡିବିବିଏଲ୍‌ ବନ୍ଧୁକ ଓ ୯ ରାଉଣ୍ଡ ଜୀବନ୍ତ ଗୁଳି ମିଳିଥିଲା। ଗିରଫ ୪ ଜଣଙ୍କୁ ପଚରା ଉଚରା ବେଳେ ସେମାନଙ୍କୁ ସହଯୋଗ କରୁଥିବା ବହୁ ଯୁବକଙ୍କ ନାମ ଜଣାପଡ଼ିଥିଲା। ଏହି ସୂଚନା ଆଧାରରେ ପୁଲିସ ଚଢ଼ଉ କରି କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଡୁମେରଜୋର ଗ୍ରାମରେ ଚଢ଼ଉ କରି ମାନୁ କୁଜୁରଙ୍କୁ ଗିରଫ କରିଥିଲେ। ତାଙ୍କ ଘରୁ ଗୋଟିଏ ବନ୍ଧୁକ ଏବଂ ୧୨ ରାଉଣ୍ଡ ଜୀବନ୍ତ ଗୁଳି ମିଳିଥିଲା। ମାନୁ ରାଉରକେଲା ଇସ୍ପାତ କାରଖାନାରେ କାମ କରୁଥିବା ଜଣାପଡ଼ିଛି।

ଗତ କିଛି ବର୍ଷ ହେଲା ଝାଡ଼ଖଣ୍ଡ ଏବଂ ଓଡ଼ିଶା ଜୋନାଲ୍‌ କମିଟି ସଦସ୍ୟ ଅର୍ଜୁନ ରାଣାଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲାରେ ପିଏଲ୍‌ଏଫଆଇ ସଂଗଠନ କାୟା ବିସ୍ତାର କରିଥିଲା। ସଂଗଠନ ସଦସ୍ୟମାନେ ପୁଞ୍ଜିପତି, ଶିଳ୍ପପତି, ସରକାରୀ ଅଧିକାରୀଙ୍କ ଠାରୁ ମୋଟା ଅଙ୍କର ବଟି ଆଦାୟ କରୁଥିଲେ। କିଛି ଦିନ ପୂର୍ବେ କୁଆରମୁଣ୍ଡା ପୁଲିସ ପିଏଲ୍‌ଏଫ୍‌ଆଇର ୩ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏଥିସହ ଆଜି ଭୁବନେଶ୍ୱରରେ ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ପୁଲିସର ଏହି ସଫଳତା କଥା କହିଛନ୍ତି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର