ବନ୍ତଳା : ଅନୁଗୁଳ ବ୍ଲକ୍‌ ତଳଗଡ଼ ଗାଁରେ ହାତୀ ଆକ୍ରମଣ ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁକୁ ଘଟିଛି। ଏହାକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଗ୍ରାମବାସୀ ପୁଲିସ ଓ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ସହିତ ସେମାନଙ୍କ ୨ଟି ଗାଡ଼ି ଭଂଗାରୁଜା କରିଛନ୍ତି। ଗ୍ରାମବାସୀଙ୍କ ଟେକା ପଥର ମାଡ଼ରେ ୩ ଜଣ ପୁଲିସ କର୍ମଚାରୀ ଓ ୪ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ତଳଗଡ଼ ଗାଁରେ ପୁଲିସ ଡେରା ପକାଇଛି।

Advertisment

ମିଳିଥିିବା ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମର ଦୁଷ୍ମନ୍ତ ବେହେରା(୩୧)ଆଜି ସକାଳେ ଗାଁଠାରୁ ଦେଢ଼ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଗାଁର ମାଳିତଇଲା ନିକଟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦିନ ୧୧ଟା ବେଳେ ଗ୍ରାମର କେତେକ ଲୋକ ଦୁଷ୍ମନ୍ତଙ୍କ ମୃତ୍ୟୁ ଶରୀର କ୍ଷତବିକ୍ଷତ ଅବସ୍ଥାରେ ଏକ ବୁଦା ମୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ବନ କର୍ମଚାରୀମାନେ ଅପରାହ୍‌ଣ ୧ଟା ପରେ ପହଞ୍ଚିବାରୁ ତଳଗଡ଼ରେ ଉତ୍ତେଜନା ଦେଖାଦେଇଥିଲା।

ବନ୍ତଳା ରେଞ୍ଜର ବିନ୍ଦୁ ପ୍ରସାଦ ପ୍ରଧାନଙ୍କ ସହିତ ବନ୍ତଳା ଥାନା ପୁଲିସ ଦୁଇଟି ଗାଡ଼ିରେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉତ୍ୟକ୍ତ ଲୋକମାନେ ଗାଡ଼ି ଦୁଇଟି ଦେଖିବା ମାତ୍ର ଟେକାପଥର ମାଡ଼ କରିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ। କମ୍ ସଂଖ୍ୟକ ପୁଲିସ ଓ ବନ କର୍ମଚାରୀ ସେମାନଙ୍କ ମୁକାବିଲା କରିପାରିନଥିଲେ। ପୁଲିସ ଓ ବନ ବିଭାଗର ଗାଡ଼ି ଦୁଇଟିର କାଚ ଭାଂଗି ଯାଇଥିଲା। ଏଭଳି ସ୍ଥିତି ଦେଖି ପୁଲିସ ଓ ବନ କର୍ମଚାରୀମାନେ ପ୍ରାଣ ବିକଳରେ ଗାଡ଼ିରୁ ଓହ୍ଲାଇ ଜଙ୍ଗଲ ମଧ୍ୟଦେଇ ଦୌଡ଼ି ପଳାଇଥିଲେ। ତେବେ ଟେକାପଥର ମାଡ଼ରେ ଜଣେ ପୁଲିସ ଏଏସ୍‌ଆଇ ଓ ୨ ଜଣ କନେଷ୍ଟବଳ, ବନ୍ତଳା ରେଞ୍ଜର ଓ ଅନ୍ୟ ୩ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ଡିଏସ୍‌ପି ସୌରଭ ଓତା ଏକ ପ୍ଲାଟୁନ ପୁଲିସ ଫୋର୍ସ ଧରି ସେଠାରେ ପହଞ୍ଚି ଉତ୍ୟକ୍ତ ଗ୍ରାମାବସୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଅପରାହ୍‌ଣ ୩ଟାରେ ମୃତ୍ୟୁ ଯୁବକଙ୍କ ଶବ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ଗାଁରେ ଶବ ପହଞ୍ଚିଥିବା ଜଣାପଡ଼ିଛି।