ଦାନଗଦୀ : ୭ ଡକାୟତ ଗିରଫ, ଦେଶୀ ବନ୍ଧୁକ ଜବତ

ଦାନଗଦୀ : କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଛକ ନିକଟରୁ ଗତ ୮ ତାରିଖ ବିଳମ୍ବିତ ରାତିରେ ୭ ଜଣ ଡକାୟତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ ଓ ବହୁ ମାରଣାସ୍ତ୍ର ଜବତ କରିଛି। ଅଭିଯୁକ୍ତମାନେ ହେଲେ ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ଗ୍ରାମର ଜୁଗେଶ୍ବର ମହନ୍ତଙ୍କ ପୁଅ ଇନ୍ଦ୍ରମଣି(୨୭), କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ(ମାଟିସାହି) ଗ୍ରାମର ସ୍ବର୍ଗତ ଯତିନ ଦାସଙ୍କ ପୁଅ ଜଗନ(୨୮), କେଶବ ବେହେରାଙ୍କ ପୁଅ କୁନା ବେହେରା ଓରଫ ଟିନା(୨୩), ନଡ଼ିଆଭଙ୍ଗା ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ପୁଅ ଅଗସ୍ତି(୨୧), ଯାଜପୁରରୋଡ ଥାନା ଅନ୍ତର୍ଗତ ଦାନଗଦୀ ଗ୍ରାମର ଉମେଶ ସେଠୀଙ୍କ ପୁଅ ସୋନୁ(୨୨), ପ୍ରଫୁଲ୍ଲ ମଲ୍ଲିକଙ୍କ ପୁଅ ପ୍ରମୋଦ ମଲ୍ଲିକ ଓରଫ କାଳିଆ(୨୨), ଢେଙ୍କାନାଳ ଜିଲ୍ଲା ତଥା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମର ପ୍ରାଣବନ୍ଧୁ ରଣାଙ୍କ ପୁଅ ପ୍ରମାଦ(୨୭)। ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଖଣ୍ଡା, ଦୁଇଟି କଟୁରି, ୪ଟି କାଠ ବାଡ଼ି, ୪ଟି ବାଇକ ଓ ୧୦ଟି ବିଭିନ୍ନ କମ୍ପାନିର ମୋବାଇଲ ଫୋନ ଜବତ କରାଯାଇଥିଲା।

ସୂଚନା ଅନୁଯାୟୀ, ଗତ ୮ ତାରିଖ ବିଳମ୍ବିତ ରାତିରେ କଳିଙ୍ଗନଗର ଥାନାର ଏସଆଇ ଅଜୟ କୁମାର ସାହୁ ସଦଳବଳ ପାଟ୍ରୋଲିଂରେ ଯାଇଥିବା ବେଳେ ଡକାୟତମାନଙ୍କ ସମ୍ପର୍କରେ ସୂଚନା ପାଇଥିଲେ। ଅଭିଯୁକ୍ତମାନେ ଏହି ସମୟରେ ଡୁବୁରୀ ଛକରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ପଛରେ ଏକାଠି ହୋଇ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ଡକାୟତମାନେ ପେଟ୍ରୋଲ ପମ୍ପ କିମ୍ପା ଗୋଦାମ ଗୃହରୁ ଡକାୟତି ଉଦ୍ୟମ କରୁଥିବା ବେଳେ ପାଟ୍ରୋଲିଂ ପୁଲିସ ସେମାନଙ୍କୁ ଘେରି ଯାଇଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରାଯାଇଥିଲା। କଳିଙ୍ଗନଗର ଥାନା କେସ୍‌ ନମ୍ବର ୩୫/୨୧ ଦଫା ୩୯୯, ୪୦୨, ୨୫/୨୭ ଆର୍ମ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଇନ୍ଦ୍ରମଣି ମହନ୍ତ ନାଁରେ କଳିଙ୍ଗନଗର ଥାନାରେ ପୂର୍ବରୁ ୮ଟି ମାମଲା ରହିଥିବା ବେଳେ ଯାଜପୁରରୋଡ ଥାନାରେ ଗୋଟିଏ ମାମଲା ରହିଛି। ସେହିପରି ଅଭିଯୁକ୍ତ ଜଗନ ଦାସ ନାଁରେ ପୂର୍ବରୁ କଳିଙ୍ଗନଗର ଥାନାରେ ୧୦ଟି ମାମଲା ରହିଛି। ଅଭିଯୁକ୍ତ ପ୍ରମୋଦ କୁମାର ମଲ୍ଲିକ ନାଁରେ ମଧ୍ୟ ଯାଜପୁରରୋଡ ଓ କଳିଙ୍ଗନଗର ଥାନାରେ ପୂର୍ବରୁ ଗୋଟିଏ ଲେଖାଏଁ ମାମଲା ରହିଛି। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର