ମଧ୍ୟାହ୍ନ ଭୋଜନରେ ଫିମ୍ପିମରା ସୋୟାବଡ଼ି, ୭ ଛାତ୍ରଛାତ୍ରୀ ଅସୁସ୍ଥ

ଘୁ.ଉଦୟଗିରି : କ.ନୂଆଗାଁ ବ୍ଲକ୍‌ ସାରଙ୍ଗଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୭ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ଏହି ଘଟଣାକୁ ବିଭାଗୀୟ ଅଧିକାରୀ, ପ୍ରଧାନ ଶିକ୍ଷୟିତ୍ରୀ ଚାପି ଦେଇଛନ୍ତି। ଗତ ଶୁକ୍ରବାର ଦିନ ମଧ୍ୟାହ୍ନ ଭୋଜନ ନିମନ୍ତେ ବିଦ୍ୟାଳୟରେ ଭାତ ସହ ସୋୟାବିନ ବଡ଼ି ତରକାରି ରୋଷେଇ ହୋଇଥିଲା। ରୋଷେଇ ହୋଇଥିବା ଏହି ତରକାରି ଓ ଭାତ ଖାଇ ୭ଜଣରୁ ଅଧିକ ଛାତ୍ରୀ ଦୁଇତିନି ଥର ବାନ୍ତି କରିଥିଲେ। ଏହାଦେଖି ଅନ୍ୟ ଛାତ୍ରଛାତ୍ରୀ ଶ୍ରେଣୀଶିକ୍ଷକ ରାଜପୁତ ମଲ୍ଲିକ, ଛବି ନାୟକ ଏବଂ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ହେଲେ ଉପସ୍ଥିତ ଶିକ୍ଷକଶିକ୍ଷୟିତ୍ରୀ ଅସୁସ୍ଥ ଛାତ୍ରୀଙ୍କୁ ଡାକ୍ତରଖାନା ନେଇ ନଥିଲେ। ପରେ ଛାତ୍ରଛାତ୍ରୀ ଘରକୁ ଫେରି ଏନେଇ ପରିବାର ଲୋକଙ୍କୁ ଅବଗତ କରିଥିଲେ। ଏହି ଘଟଣାରେ ଅଭିଭାବକ ପ୍ରତିକ୍ରିୟାଶୀଳ ହୋଇ ପରଦିନ ଅର୍ଥାତ ଶନିବାର ସକାଳୁଆ ସ୍କୁଲ ଥିବାରୁ ବିଦ୍ୟାଳୟକୁ ଯାଇ ପାଟିତୁଣ୍ଡ କରିଥିଲେ।

ବିଦ୍ୟାଳୟରେ ହୋହଲ୍ଲା କରିବା ସହ ଖରାପ ବଢ଼ି ଓ ଶସ୍ତା ​ଖାଇବା ତେଲ ଦେଖି ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ଦାୟିତ୍ବରେ ଥିବା ଏସ୍‌ଏଚ୍‌ଜି ଗୋଷ୍ଠୀ ସଦସ୍ୟାଙ୍କୁ ଘେରିଥିଲେ। ବହୁ ସମୟ ଧରି ପାଟିତୁଣ୍ଡ ହୋଇଥିଲେ ବି ବାନ୍ତି କରିବା ଛଡ଼ା ପିଲାଙ୍କ ସ୍ବାସ୍ଥ୍ୟ ସେମିତି ଅଧିକ କିଛି ହୋଇ ନଥିବାରୁ ଅଭିଭାବକମାନେ ସମ୍ପର୍କ ଦୃଷ୍ଟିରୁ ନିରବ ରହିଥିଲେ।

ଖବର ନେବାରୁ ଜଣାପଡିଛି, ଶୁକ୍ରବାର ବିଦ୍ୟାଳୟରେ ଖରାପ ଏବଂ ଫିମ୍ପିମାରି କଳା ପଡ଼ି ଯାଇଥିବା ସୋୟାବଡ଼ି ତରକାରି ହୋଇଥିଲା। ପୁଣି ତରକାରିରେ ଶସ୍ତା ଓ ଦୁଇ ନମ୍ବର ମସଲାଗୁଣ୍ଡ ଓ ଲଙ୍କାଗୁଣ୍ଡ ସହ ଖରାପ ଖାଇବା ତେଲ ବି ବ୍ୟବହାର କରା ଯାଇଥିଲା। ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାୟିତ୍ବରେ ଥିବା ତୁଳସୀ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ କହିବା ପ୍ରକାରେ, ପ୍ରଧାନଶିକ୍ଷୟିତ୍ରୀ ଶଶିତା ପାତ୍ର ସୋୟାବଡ଼ି କଳା ଓ ଫିମ୍ପି ମାରିଥିବା ଦେଖିଥିଲେ ଏବଂ ଏହା ଜାଣିଥିଲେ ସୁଦ୍ଧା ଏହାକୁ ବାଛି ଓ ଧୋଇଦେଇ ତରକାରୀ କରିଦିଅ ବୋଲି କହିଥିଲେ। ଫଳରେ ତାହାକୁ ହିଁ ସେମାନେ ରୋଷେଇ କରିଥିଲେ। ବିଦ୍ୟାଳୟର ରୋଷେଇ କରୁଥିବା ଏସ୍‌ଏଚ୍‌ଜି ଗୋଷ୍ଠୀ ସଦସ୍ୟା ମଧ୍ୟ ​ସୋୟାବିନ ବଡ଼ି ଖରାପ ଥିବା ଜାଣିଛନ୍ତି। ତଥାପି ସମସ୍ତେ ଜାଣିଶୁଣି ଖରାପ ବଡ଼ି ରୋଷେଇ କରିଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କକ ଏତାଦୃଶ କାର୍ଯ୍ୟକଳାପକୁ ନେଇ ଅଭିଭାବକ ବିରକ୍ତି ଭାବ ପ୍ରକାଶ କରିଛନ୍ତି।

ତେବେ ସରକାରଙ୍କ ନିୟମ ଅନୁଯାୟୀ ପ୍ରଥମେ ରନ୍ଧା ଖାଦ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଖାଇସାରି ପରୀକ୍ଷା କରିବା କଥା। ହେଲେ ସେ ତାହା ନ କରି କିପରି ପିଲାଙ୍କୁ ଖାଇବାକୁ ଅନୁମତି ଦେଲେ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି। ଏନେଇ ବିଇଓଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କ କହିବା ପ୍ରକାରେ, ସୋୟାବଡ଼ି ଅଳ୍ପ ଥିଲା ଓ ଫିମ୍ପି ମାରିଥିବା ଦେଖିଥିଲେ ବି ଶୁକ୍ରବାରର ମେନ୍ୟୁ ଅନୁସାରେ ଖରାପ ବଡ଼ି ବାଛି ସଫା କରି ​ରୋଷେଇ କରିବାକୁ କହିଥିଲେ। ହେଲେ ଆଗକୁ ଏହାର ପୁନରାବୃତ୍ତି ହେବନି ବୋଲି ଅଭିଭାବକ ଆଗରେ କହିବା ପରେ ଘଟଣା କିଛି ମାତ୍ରାରେ ପ୍ରଶମିତ ହୋଇଥିଲେ ବି ଚାପା ଉତ୍ତେଜନା ଲାଗି ରହିଛି। ସାଧନା ସଂଯୋଜକ ତଥା ସିଆର୍‌ସିସି ବ୍ରହ୍ମାନନ୍ଦ ପ୍ରଧାନଙ୍କୁ ଏନେଇ ପଚାରିବା ପରେ ଘଟଣା ସମ୍ପର୍କରେ ସେ କିଛି ଜାଣିନ ଥିବା କହିଛନ୍ତି। ଏଭଳି ଅଭିଯୋଗ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର