ଅଂଶୁଘାତ : ଗୋଟିଏ ଦିନରେ ୭ ମୃତ!

ଭୁବନେଶ୍ବର : ସୂର୍ଯ୍ୟଙ୍କ କୋପରେ ଜଳୁଛି ସାରା ରାଜ୍ୟ। ଆକାଶ ମେଘମୁକ୍ତ ରହିବା ସହ ପବନ ବେଗ କମିଯିବାରୁ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ସପ୍ତାହେ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅଂଶୁଘାତ ଆକ୍ରାନ୍ତ ଜନିତ ଅଭିଯୋଗ ଆସିଥିଲା। ତେବେ ଆଜି ଗୋଟିଏ ଦିନରେ ୭ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବଡ଼ଟୀକା ଗାଁର ଦେବାନନ୍ଦ ସାହୁଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି। ଗାଁଠାରୁ ୫କିମି ଦୂର ରୁଗୁଡ଼ିଖାଲ ବଜାରରେ ସଉଦା ପାଇଁ ଯାଇଥିଲେ। ବଜାର କରୁଥିବା ବେଳେ ମୁଣ୍ଡ ବୁଲାଇ ତଳେ ପଡ଼ି ଯାଇଥିଲେ।

ଲୋକେ ତାଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କେନ୍ଦୁଝର ଜିଲ୍ଲାରେ ଦୁଇଟି ଅଂଶୁଘାତ ଜନିତ ମୃତ ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲାର ଘସିପୁରା ଥାନା ବେଲବାହାଳି ଗ୍ରାମର ଧରଣୀଧର ସାହୁ ଓ ଜେନାପୁର ଥାନା ରାଇଛନ୍ଦା ପଞ୍ଚାୟତ ଅନ୍ତର୍ଗତ ତୋଟାସାହି ଗ୍ରାମର ବିଦ୍ୟାଧର ମଲ୍ଲଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସାନ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଭୂର୍ଖାଢ଼ୋଡ଼ା ଗ୍ରାମର ଶୋଭା ସିଂ ମାଝି ଠାକୁରପାଲ୍ଲୀ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି। ଅଭିଯୋଗ ଅନୁଯାୟୀ ବୌଦ୍ଧ ଜିଲ୍ଲା ଟାଉନ ଥାନା‌ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ଶମ୍ଭୁ ଦେହୁରୀ ଆଇସକ୍ରିମ୍‌ ବିକ୍ରି କରି ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ବୌଦ୍ଧ ସଦର ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଜିଲ୍ଲାର ବ୍ରାହ୍ମଣୀପାଲି ପଞ୍ଚାୟତ ତରଭା ଗ୍ରାମର ରବୀନ୍ଦ୍ର ପେରା କାମ କରୁଥିବା ବେଳେ ଅଚେତ ହୋଇପଡ଼ିଥିଲେ। ମେଡିକାଲ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।

ସେହିପରି ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ବେଳେ ବଡ଼ଦାଣ୍ଡରେ ବ୍ରହ୍ମଗିରି ବ୍ଲକ ଘଟକୁଳିର ସୁରେନ୍ଦ୍ର ରଣସିଂହ (୭୦)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର