୧୫ ଘଣ୍ଟାରେ ୭ ଥର ଅଗ୍ନିକାଣ୍ଡ: ଭୟରେ ପରିବାର

ବାହାନଗା: ଖନ୍ତାପଡ଼ା ଥାନା ରେମୁଣା ବ୍ଲକ କୁଳିଗାଁରେ ଅଭାବନୀୟ ଘଟଣା। ଗତକାଲି ସନ୍ଧ୍ୟା ୬ଟାରୁ ଆଜି ସକାଳ ୯ଟା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଆଜବେଷ୍ଟସ ଘରେ ସାତ ସାତଥର ଅଗ୍ନିକାଣ୍ଡ ଘଟିଛି। ଘଟଣା ପରେ ଗାଁରେ କୋକୁଆଭୟ ସୃଷ୍ଟି ହୋଇଥିବା ବେଳେ ପରିବାର ଲୋକେ ମଧ୍ୟ ଭୟରେ ରହିଥିବା କହିଛନ୍ତି।

ସୂଚନା ଅନୁସାରେ, ଗ୍ରାମର ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ପୁଅ ଦେବାନନ୍ଦ ପାଣିଗ୍ରାହୀଙ୍କ ଘର ଭିତରେ ଗତକାଲି ସନ୍ଧ୍ୟା ୬ଟା ଠାରୁ ଆଜି ସକାଳ ୯ଟା ମଧ୍ୟରେ ୭ଥର ନିଆଁ ଲାଗିଥିବା ଦେଖାଯାଇଛି। ପ୍ରଥମେ ଗତକାଲି ସନ୍ଧ୍ୟା ୬ଟାରେ ଘରେ ଅଚାନକ ନିଆଁ ଲାଗି ଘରର ବିଭିନ୍ନ ଆସବାବପତ୍ର ଜଳି ଯାଇଥିଲା। ଘରଲୋକେ ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇଥିଲେ। ତାର କିଛି ଘଣ୍ଟା ପରେ ଅର୍ଥାତ ରାତି ୧୨ଟାରେ ପୁଣି ଘର ଭିତରେ ନିଆଁ ଲାଗିଥିଲା। ବହୁ କଷ୍ଟରେ ନିଆଁକୁ ଆୟତ୍ତ କରା ଯାଇଥିଲା। ପୁଣି ସକାଳ ୫ଟା ୩୦, ୬ଟା ଏହିପରି ସକାଳ ୯ଟା ମଧ୍ୟରେ ୭ଥର ଗୋଟିଏ ପରେ ଗୋଟିଏ ବଖରାରେ ରହିଥିବା ଜିନିଷପତ୍ରରେ ନିଆଁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ କେଉଁ କାରଣରୁ ବାରମ୍ବାର ଏପରି ଅଗ୍ନିକାଣ୍ଡ ଘଟିଲା ତାହା ଜଣା ପଡ଼ିନାହିଁ। କେହି କେହି ଏହାକୁ ଭୌତିକକାଣ୍ଡ ବୋଲି ମଧ୍ୟ କହୁଛନ୍ତି।

ସକାଳେ ଖବର ପାଇ ଅଗ୍ନିଶମ କର୍ମଚାରୀ ଗାଁରେ ପହଞ୍ଚି ଘରୁ ଅଧାପୋଡ଼ା ଅବସ୍ଥାରେ ବିଭିନ୍ନ ଆସବାବପତ୍ର ଉଦ୍ଧାର କରିଥିଲେ। ସେହିପରି ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ଲାଇନ ଯାଞ୍ଚ କରି ସଟସର୍କିଟରୁ ଅଗ୍ନିକାଣ୍ଡ ହୋଇନଥିବା ସ୍ପଷ୍ଟ କରିଛନ୍ତି। ଏଭଳି ପରିସ୍ଥିତିରେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଥିବା କହିଛନ୍ତି।

ସମ୍ବନ୍ଧିତ ଖବର