ଓଡ଼ିଶାରେ ୧୦ ମାସରେ ୭ ଥର ଟ୍ରେନ୍‌ ଦୁର୍ଘଟଣା: ତଦନ୍ତ ଭେଳିକି, ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନାହିଁ

େକଶବ ପାଣି
ଭୁବନେଶ୍ବର: ଯାତ୍ରୀ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ‌ଅତ୍ୟାଧୁନିକ ପ୍ରଯୁକ୍ତି ଓ ଜ୍ଞାନକୌଶଳକୁ ବ୍ୟବହାର କରୁଛି ଭାରତୀୟ ରେଳବାଇ। ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଛି। ଏମିତିକି କମ୍‌ ସମୟ ମଧ୍ୟରେ କିଭଳି ଅଧିକ ବାଟ ଅତିକ୍ରମ କରିହେବ, ତା’ର ରୂପରେଖ ପ୍ରସ୍ତୁତ କରିବା ସହ ଘଣ୍ଟାପ୍ରତି ସର୍ବାଧିକ ୧୩୦ରୁ ୧୮୦ କିମି ବେଗରେ ଦୌଡ଼ାଉଛି ‌ଭାରତର ସେମି ହାଇସ୍ପିଡ୍‌ ଟ୍ରେନ୍ ବନ୍ଦେ ଭାରତ। ତା’ସତ୍ତ୍ବେ ଟ୍ରେନ୍‌ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇପାରୁନି। କେତେବେଳେ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେଉଛି ତ ଆଉ କେତେବେଳେ ଦୁର୍ଘଟଣାଗ୍ରସ୍ତ। ଓଡ଼ିଶାରେ ଗୋଟିଏ ପ‌ରେ ଗୋଟିଏ ରେଳ ଦୁର୍ଘଟଣା ଏବେ ରେଳବାଇର ଚିନ୍ତା ବଢ଼ାଇଲାଣି।

ଗତ ୧୦ ମାସ ମଧ୍ୟରେ କେବଳ ଓଡ଼ିଶାରେ ୭ରୁ ଅଧିକ ଟ୍ରେନ୍‌ ଲାଇନ୍‌ଚ୍ୟୁତ କିମ୍ବା ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ୨୦୨୨ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ କେବଳ ୪ଟି ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା। ଯେଉଁଥିରେ ରହିଥିଲା ଦୁଇଟି ଯାତ୍ରୀବାହୀ ଓ ଦୁଇଟି ମାଲବାହୀ ଟ୍ରେନ୍‌। ଗୋଟିକର କାରଣ ଜଣାପଡ଼ିଥିବା ବେଳେ ଅନ୍ୟଗୁଡ଼ିକ କଣ ପାଇଁ ଲାଇନ୍‌ଚ୍ୟୁତ୍‌ ହେଲା, ସେ ସମ୍ପର୍କରେ ଅଦ୍ୟାବଧି କିଛି ଜଣାପଡ଼ିନାହିଁ। ସେପ୍ଟେମ୍ବର ମାସରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଷ୍ଟେସନ୍‌ ନିକଟ ଲଜକୁରାଠାରେ ମାଲବାହୀ ଟ୍ରେନ୍‌ ଟ୍ରାକ୍‌ ବାହାରକୁ ଚାଲିଯାଇଥିଲା। ସେହିପରି ଭଦ୍ରକ-ଚରମ୍ପା ୧୧୮ ନମ୍ବର ଲେଭେଲ‌୍‌ କ୍ରସିଂ ନିକଟରେ ଏକ ଷଣ୍ଢକୁ ଧକ୍କା ଦେଇ ଦ୍ରୁତଗାମୀ ହାୱଡା-ଭୁବନେଶ୍ବର ଜନଶତାବ୍ଦୀ ସୁପରଫାଷ୍ଟ ଲାଇନ୍‌ଚ୍ୟୁତ ହୋଇଥିଲା।

ଏହି ଦୁର୍ଘଟଣାରେ ଷଣ୍ଢଟିର ମୃତ୍ୟୁ ହୋଇ ଦୁଇଟି ବଗି ଟ୍ରାକ୍‌ ବାହାରକୁ ଚାଲିଯାଇଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ଯାତ୍ରୀଙ୍କର କ୍ଷତି ହୋଇନଥିଲା। ସେହି ସମୟରେ ଜନଶତାବ୍ଦୀର ବେଗ ଘଣ୍ଟା ପ୍ରତି ୧୦୦ ଉପରେ ଥିବାବେଳେ ଟ୍ରେନ୍‌ଲାଇନ୍‌ରେ ଏକ ବୁଲାଷଣ୍ଢ ଚାଲୁଥିବା ଦେଖି ଟ୍ରେନ୍‌ ଚାଳକ (ଲୋକୋ ପାଇଲଟ୍‌) ଗତି କମ୍‌ କରିବାକୁ ଯାଇ ଏମରଜେନ୍ସି ବ୍ରେକ୍‌ ବ୍ୟବହାର କରିଥିଲେ। ଫଳରେ, ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିଲା। ସେହିପରି, ଜୟପୁର-ଛତଡ଼ିପୁଟ ରେଳଷ୍ଟେସନ ମଧ୍ୟରେ ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ସ୍ପେଶାଲ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ର ଚାରୋଟି ବଗି ଟ୍ରାକ୍‌ ବାହାରକୁ ଚାଲିଯାଇଥିଲା। କାର୍ଯ୍ୟରେ ଅବହେଳା ପାଇଁ ସିନିୟର ସେକ୍ସନ୍‌ ଇଞ୍ଜିନିୟର ଓ ଗ୍ୟାଙ୍ଗମ୍ୟାନ୍‌ଙ୍କୁ ନିଲମ୍ବିତ କରିଥିଲେ ରେଳ କର୍ତ୍ତୃପକ୍ଷ। ଦୁର୍ଘଟଣା ପାଇଁ ସ୍ବତନ୍ତ୍ର କମିଟି ବି ଗଠନ କରାଯାଇଥିଲା। ହେଲେ ତଦନ୍ତ କ’ଣ ହେଲା, ସେ ସଂପର୍କରେ ଆଜି ଯାଏ କେହି ଜାଣିପାରିଲେନି। ଅଗଷ୍ଟ ୨୩ରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଚକ୍ରଧରପୁର ଡିଭିଜନ୍‌ରୁ ବିଜୟନଗରମ୍‌ (ଭାୟା ଭୁବନେଶ୍ବର-କଟକ) ଯାଉଥିବା ସିମେଣ୍ଟ ବୋଝେଇ ଟ୍ରେନ୍‌ର ୫ଟି ବଗି ଲାଇନଚ୍ୟୁତ ହେବା ଫଳରେ ଦୁଇଟି ଲାଇନ୍‌ରେ ପାଖାପାଖି ୧୨ ଘଣ୍ଟା ଧରି ଟ୍ରେନ୍‌ ଚଳାଚଳ ପ୍ରଭାବିତ ହେବା ସହ ୧୬ରୁ ଅଧିକ ଟ୍ରେନ୍‌ ବାତିଲ୍‌ କରିବାକୁ ପଡ଼ିଥିଲା।

ଗତ ନଭେମ୍ବର ମାସରେ ଯାଜପୁର କୋରେଇ ଷ୍ଟେସନ୍‌ରେ ମଧ୍ୟ ଏକ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ରେଳବାଇ ସୁରକ୍ଷା କମିସନଙ୍କ ନେତୃତ୍ବରେ ତଦନ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା କି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ୨୦୨୩ ମାର୍ଚ୍ଚ ମାସରେ ପୁରୀ ରେଳଷ୍ଟେସନ୍‌ରେ ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇ ୨ଟି ବଗି ଲାଇନ୍‌ରୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନଥିବାରୁ ତଦନ୍ତ ହେଲାନି କି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ସେହିପରି, ରାଜଗାଙ୍ଗପୁର-କାଂଶବାହାଲ ଷ୍ଟେସନ୍‌ର ହାୱଡା-ମୁମ୍ବାଇ ଅଫ୍‌ ଲାଇନ୍‌ରେ କେହି ଦୁର୍ବୃତ୍ତ ଫିକ୍ସ ପ୍ଲେଟ୍‌ ବାହାର କରିଦେଇଥିଲେ। ଏହା ଜଣାପଡ଼ିବା ପରେ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ଯାଇପାରିଥିଲା। ଘଟଣାର ତଦନ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର