ବିସ୍କୁଟ୍ ଦେଇ ବସ୍‌ଷ୍ଟାଣ୍ଡରେ ଛାଡ଼ି ଚାଲିଗଲା ମା’, ୭ ବର୍ଷର ନାବାଳିକା ଉଦ୍ଧାର

ଖୋର୍ଦ୍ଧା : ଏହାକୁ କ’ଣ ମାତୃତ୍ବ କୁହନ୍ତି? ନିଜ ୭ ବର୍ଷର ଝିଅ ହାତରେ ବିସ୍କୁଟ୍‌ ଧରାଇ ବସ୍‌ଷ୍ଟାଣ୍ଡରେ ଛାଡ଼ି ଚାଲିଗଲା ମା’। ପୁଲିସ୍‌ ଏହି ଶିଶୁଟିକୁ ଉଦ୍ଧାର କରି ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଛି।

ସୂଚନା ଅନୁସାରେ, ଆଜି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ତରେ ଜଣେ ଛୋଟ ଝିଅ କାନ୍ଦୁଥିବା ଦେଖି ଆଖପାଖର ଲୋକ ପୁଲିସକୁ ଖବର ଦେଇଥିଲେ। ଖୋର୍ଦ୍ଧା ଟାଉନ୍‌ ଥାନା ପୁଲିସ ସେଠାରେ ପହଞ୍ଚି ଝିଅଟିକୁ ଉଦ୍ଧାର କରି ଥାନାକୁ ଆଣିବା ସହ ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲେ। ଚାଇଲ୍ଡ ଲାଇନ୍‌ର ରଂଜିତା ସାମନ୍ତସିଂହାର ଓ ମଣିପାଲ୍ ସାହୁ ଥାନାରେ ପହଞ୍ଚି ଝିଅଟିକୁ ନେଇ ସେଲ୍ଟର ହୋମ୍‌ରେ ରଖିଥିଲେ। ଏନେଇ ମଣିପାଲ୍ ସାହୁ କହିଛନ୍ତି ଯେ ଝିଅଟି ଯାଯାବର ପରିବାରର। ତେବେ ସେ ନିଜ ପରିବାରର ଠିକଣା ଠିକ୍ ଭାବେ କହିପାରୁନାହିଁ। ସେ ନିଜ ନାମ କେବଳ ଜ୍ୟୋତ୍ସ୍ନା ବୋଲି କହିଛି। ତାଙ୍କୁ ତାଙ୍କ ମା’ ହାତରେ ଏକ ବିସ୍କୁଟ୍ ଦେଇ ନୂଆ ବସ୍‌ଷ୍ଟାଣ୍ତରେ ବସାଇ କିଛି ସମୟପରେ ଆସିବି ବୋଲି କହି ଚାଲିଯାଇଥିଲେ ଓ ଏହାପରେ ସେ ଆଉ ଫେରିନଥିଲେ ବୋଲି କହିଛି। ତେବେ, ଆଜି ସମୟ ହୋଇଯାଇଥିବାରୁ ସିଡବ୍ଲ୍ୟୁସିରେ ହାଜର କରାଯାଇପାରିନାହିଁ। ଆସନ୍ତାକାଲି ଝିଅଟିକୁ ସିଡବ୍ଲ୍ୟୁସି ସମ୍ମୁଖରେ ହାଜର କରାଯିବ ଓ ସିଡବ୍ଲ୍ୟୁସିଙ୍କ ପରାମର୍ଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ମା’ ଥାଇ ବି ମାତୃହରାର ଦୁଃଖ ନିଭାଇକୁ ଯାଉଥିବା ଏହି ଶିଶୁଟି ପ୍ରତି ସମବେଦନାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର