ଭୁବନେଶ୍ବର: ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଯୋଗାଣ ନିଗମର ଅଧ୍ୟକ୍ଷ ପଦରେ ୭ ବର୍ଷ ହେଲା ଅଛନ୍ତି ବୀର ବିକ୍ରମ ଯାଦବ। ଖାଦ୍ୟ ସୁରକ୍ଷା ଯୋଜନା କାର୍ଡକୁ କେନ୍ଦ୍ର କରି ପ୍ରଦୀପ୍ତ ମହାପାତ୍ରଙ୍କ ଅପ୍ରତ୍ୟାଶିତ ବଦଳି ପରେ ୨୦୧୭ ମସିହାରେ ବୀର ବିକ୍ରମ ଯାଦବଙ୍କୁ ଏହି ଦାୟିତ୍ବ ମିଳିଛି। କେବଳ ସେତିକି ନୁହେଁ, ସରକାର ଏତେ ଖୁସି ଥିଲେ ଯେ ଯୋଗାଣ ବିଭାଗ ସହିତ ତାଙ୍କୁ ପୂର୍ତ୍ତ ଏବଂ ଶ୍ରୀମନ୍ଦିର ପ୍ରଶାସକ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମଧ୍ୟ ମିଳିଥିଲା। କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି। ହେଲେ ଅନ୍ୟ ଦାୟିତ୍ବରେ ସେ ଏବେ ବି ଅଛନ୍ତି।
ସୂଚନା ଅନୁଯାୟୀ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ହେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ୨୦୧୬ ମସିହାରେ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ପ୍ରଦୀପ୍ତ ମହାପାତ୍ର ଦାୟିତ୍ବ ଥିବା ସମୟରେ ଅନେକ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇଥିବା ନେଇ ଜଣାପଡ଼ିଥିଲା। ଫଳରେ ରାସନ କାର୍ଡ ନାମରେ ଥିବା ଯୋଗୁଁ ଅନେକ ମହିଳା ଗିରଫ ହୋଇଥିଲେ ଯାହା ଚର୍ଚ୍ଚାର ବିଷୟ ହୋଇଥିଲା। ରାସନ କାର୍ଡ ଅଯୋଗ୍ୟ ବ୍ୟକ୍ତିଙ୍କୁ ନେଇ ସେତେବେଳର ବିଭାଗୀୟ ଶାସନ ସଚିବଙ୍କ କଠୋର ଆଭିମୁଖ୍ୟ ଯୋଗୁଁ ଅନେକ ବ୍ୟକ୍ତି ନିଜ ତରଫରୁ କାର୍ଡ ଫେରାଇଥିଲେ। ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବିଜେଡିର ବିଜୟ ହୋଇଥିଲେ ମଧ୍ୟ ଆଖିଦୃଶିଆ ସଫଳତା ହାସଲ ନ କରିନଥିଲା। ମିଛ ରାସନ କାର୍ଡଧାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପରାଜୟର କାରଣ ବୋଲି ବିଜେଡି ପ୍ରମୁଖ ନେତାମାନେ ଅଭିଯୋଗ କରିବା ସହିତ ଯୋଗାଣ ବିଭାଗର ତତ୍କାଳୀନ ପ୍ରମୁଖ ଶାସନ ସଚିବଙ୍କ ବଦଳି ଦାବି କରିଥିବା କୁହାଯାଏ।
ଏହାପରେ ଅପ୍ରତ୍ୟାଶିତ ଭାବେ ଶ୍ରୀ ମହାପାତ୍ରଙ୍କ ବଦଳି ହୋଇ ବୀର ବିକ୍ରମ ଯାଦବଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଥିଲା। ବିଜେଡି ସରକାରରେ ସେ ଥିଲେ ଅନ୍ୟତମ କ୍ଷମତାଶାଳୀ ଅଧିକାରୀ। ତାଙ୍କ କାର୍ଯ୍ୟକାଳରେ ଧାନ ବିକ୍ରି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ବର କେନ୍ଦ୍ରୀଭୂତ କରି ଦେଇଥିବା ଚାଷୀ ସଙ୍ଗଠନମାନେ ଅଭିଯୋଗ କରନ୍ତି। ପୂର୍ବରୁ ଧାନ ବିକ୍ରି ସଂକ୍ରାନ୍ତ ବିଭିନ୍ନ ନିଷ୍ପତ୍ତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନେଉଥିଲା। କିନ୍ତୁ ଶ୍ରୀ ଯାଦବ ଦାୟିତ୍ବ ନେବା ପରେ ଜିଲ୍ଲା କମିଟି କ୍ଷମତାହୀନ ହୋଇ ପଡ଼ିଲା। ଏପରିକି ଧାନ ବିକ୍ରି ନେଇ ଚାଷୀଙ୍କ ଟୋକନ ମଧ୍ୟ ଭୁବନେଶ୍ବରରୁ ଜାରି ହେଲା। ଏହାକୁ ନେଇ ପଶ୍ଚିମ ଓଡ଼ିଶାରେ ବଡ଼ଧରଣର ଆନ୍ଦୋଳନ ହୋଇଥିଲା। ଧାନ ବିକ୍ରି ଦୁର୍ନୀତି, ମିଲର୍ସଙ୍କୁ ଅନୁକମ୍ପା, କଟନିଛଟନିକୁ ନେଇ ତାଙ୍କ ବିରୋଧରେ ଚାଷୀ ଅସନ୍ତୋଷ ଶୀର୍ଷରେ ଥିଲା। ସମବାୟ ବ୍ୟାଙ୍କରେ ବୀର ବିକ୍ରମ ଯାଦବଙ୍କ ଭୂମିକାକୁ ନେଇ ପୂର୍ବତନ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଖୋଲାଖୋଲି ପ୍ରଶ୍ନ ଉଠାଇଥିଲେ। କେବଳ ସେତିକି ନୁହେଁ, କେନ୍ଦ୍ର କମିଟି ପକ୍ଷରୁ ଯାଞ୍ଚ ପରେ ରାଜ୍ୟ ଗୋଦାମରେ ନିମ୍ନମାନର ଚାଉଳ ମଧ୍ୟ ଏହି ସମୟରେ ହିଁ ଚିହ୍ନଟ ହୋଇଥିଲା। ଆହୁରି ଆଶ୍ଚର୍ଯ୍ୟର କଥା ହେଲା, ଯୋଗାଣ ବିଭାଗର ପିଡିଏସ୍ ଦାୟିତ୍ବରେ ଥିବା ଯୁଗ୍ମ ସଚିବ ଏମକ୍ୟୁ ହକ ବର୍ଷାଧିକ ସମୟ ଧରି ଏହି ପଦରେ ରହିଥିଲେ। ଅବସର ପରେ ମଧ୍ୟ ତାଙ୍କୁ ପୁଣି ସେହି ପଦରେ ନିଯୁକ୍ତି ମିଳିଛି।