ଅଶ୍ଳୀଳ ଭିଡିଓ ଭାଇରାଲ୍‌ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌

ଭୁବନେଶ୍ୱର : ଗତ କିଛି ଦିନ ହେଲା ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ଯୁବତୀ ବା ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। କେତେକ କ୍ଷେତ୍ରରେ ପୁଲିସ ଏଭଳି ଅପରାଧ ଘଟାଉଥିବା ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅଧିକାଂଶ ଏଯାଏ ଧରା ପଡ଼ିନାହାନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ଆଜି ରାଜ୍ୟ ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏ ନେଇ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ଏବଂ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟର ସମସ୍ତ ଏସ୍‌ପି ଓ ଡିସିପିମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଏଭଳି ଅଶ୍ଳୀଳ ଭିଡିଓକୁ କେହି ଭାଇରାଲ କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡା.ଶର୍ମା ଚେତାଇ ଦେଇଛନ୍ତି। ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ କୌଣସି ବ୍ୟକ୍ତିଗତ ଅନ୍ତରଙ୍ଗ ସମୟର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କଲେ ବର୍ଷକରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ହେବ। ସେହିପରି ଏଭଳି ଭିଡିଓକୁ ପ୍ରସାରଣ କଲେ କିମ୍ବା ଭାଇରାଲ କଲେ ୫ରୁ ୭ ବର୍ଷ ଜେଲ୍‌ ଦଣ୍ଡ ହେବ। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ କାହାର ବ୍ୟକ୍ତିଗତ ଅନ୍ତରଙ୍ଗ ସମୟର ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ ତୁରନ୍ତ ସେମାନେ ସ୍ଥାନୀୟ ଥାନା କିମ୍ବା ସାଇବର୍‌ ଥାନାରେ ଅଭିଯୋଗ କରନ୍ତୁ। ଶିକ୍ଷାନୁଷ୍ଠାନଗୁଡ଼ିକ ଏ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଗଣମାଧ୍ୟମଗୁଡିକ ମଧ୍ୟ ଏ ଦିଗରେ ସଚେତନ ହେବା ଆବଶ୍ୟକ। ଖବର ପ୍ରସାରଣ ବେଳେ ପୀଡ଼ିତାଙ୍କ ଫଟୋ, ନାଁ କିମ୍ବା ଠିକଣା ପ୍ରକାଶ କରିବା ଉଚିତ ନୁହେଁ ବୋଲି ଡିଜି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର