ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଯୁବକକୁ ୭ ବର୍ଷ ଜେଲ୍‌, ୧୧ ହଜାର ଟଙ୍କା ଜରିମାନା

ବାଲେଶ୍ବର: ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଆଜି ଏକ ସମ୍ବେଦନଶୀଳ ମାମଲାର ରାୟ ପ୍ରକାଶ କରିଛନ୍ତି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀକୁ ୭ ବର୍ଷ ଜେଲ୍‌ଦଣ୍ତ ସହ ୧୧ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲଦଣ୍ତ ଭୋଗିବାକୁ କୋର୍ଟ ରାୟ ଶୁଣାଇଛନ୍ତି।

୨୦୧୬ ମସିହା ନଭେମ୍ବର ମାସ ୬ ତାରିଖରେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ବସ୍ତା ଥାନା ଅଞ୍ଚଳର ଈଶ୍ବର ବେହେରା(୩୩) ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ କରିଥିଲା। ଏ ବାବଦରେ କାହାକୁ ଜଣାଇଲେ ଦୁଷ୍କର୍ମ ଭିଡିଓ ଭାଇରାଲ କରିଦେବା ସହ ଜୀବନରୁ ମାରିଦେବାକୁ ଯୁବକ ଜଣକ ନାବାଳିକାଙ୍କୁ ଧମକ୍‌ ଦେଇଥିଲା। ଏ ନେଇ ନାବାଳିକା ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୬୨୮/୧୬ ନଂ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଈଶ୍ବରକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୋକ୍‌ସୋ ଅଦାଲତରେ ଏହି ମାମଲା ବିଚାରାଧୀନ ଥିବାବେଳେ ଆଜି ପୂର୍ବାହ୍ନରେ ବିଚାରପତି ଶ୍ରୀ ମହାନ୍ତି ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୩୪୧, ୩୭୬(୧) ଓ ୫୦୬ ‌ପୋକ୍‌ସୋ ଧାରାରେ ଦଣ୍ଡବିଧାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ପ୍ରଣବ କୁମାର ପଣ୍ତା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର