ଡଙ୍ଗା ଆଣିବା ବେଳେ ଭାସିଗଲା ନାବାଳକ

ତିହିଡି : ପବିତ୍ର ରାସ ପୂର୍ଣ୍ଣିମାରେ ଲୋକେ ଡଙ୍ଗା ଭସାଇ ଆନନ୍ଦ ଉପଭୋଗ କରୁଥିବା ବେଳେ ତିହିଡି ବ୍ଲକ ଦୋଳସାହି ପଞ୍ଚାୟତ ଅନ୍ତର୍ଗତ ତଳଗାଜିପୁର ଗାଁ ଲୋକଙ୍କ ମନରେ ବିଷାଦ ଖେଳି ଯାଇଛି। ଗାଁର ଜଣେ ନାବାଳକ ନଦୀରେ ଭାସୁଥିବା ଡଙ୍ଗା ଆଣିବାକୁ ଯାଇ ପାଣିରେ ବୁଡ଼ି ପ୍ରାଣ ହରାଇଛି। ଏହି ଘଟଣା ପରେ ସାରା ଗାଁରେ ଶୋକର ଛାୟା ଖେଳି ଯାଇଛି। ମୃତ ନାବାଳକ ହେଲେ ଗାଁର ନିରଞ୍ଜନ ଶଙ୍ଖୁଆଙ୍କ ପୁଅ ବିଶ୍ୱଜିତ (୭)। ଆଜି ସକାଳ ୧୦ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି।

ଖବର ମୁତାବକ ବିଶ୍ୱଜିତ୍‌ ସାଙ୍ଗମାନଙ୍କ ସହ ନିକଟସ୍ଥ କୁଣ୍ଡି ନଦୀରେ ଭାସୁଥିବା ଡଙ୍ଗାଗୁଡିକୁ ସଂଗ୍ରହ କରିବାକୁ ଯାଇଥିଲେ। ସେ ପାଣି ଭିତରକୁ ଯାଇ ଡଙ୍ଗା ଆଣୁଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା। ନଦୀର ଅଥଳ ପାଣିରେ ସେ ଭାସି ଯାଉଥିବା ଦେଖି ସାଙ୍ଗମାନେ ଡାକ ପକାଇଥିଲେ। ହେଲେ ସ୍ଥାନୀୟ ଲୋକେ ପହଁଚିବା ପୂର୍ବରୁ ବିଶ୍ୱଜିତ୍‌ ପାଣିରେ ବୁଡି ଯାଇଥିଲେ। ଖବର ପାଇ ତିହିଡି ଦମକଳ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଅଲ୍ଲୀନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତିହିଡି ପୁଲିସ ଶବ ବ୍ୟବଚ୍ଛେଦ କରାଇଛି। ଏନେଇ ଥାନା କେସ୍‌ ନମ୍ବର ୫୭/୧୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବିଶ୍ୱଜିତ୍‌ ସ୍ଥାନୀୟ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ବିୟୋଗରେ ଆଜି ସମ୍ପୃକ୍ତ ସ୍କୁଲ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର