ଖୋର୍ଦ୍ଧା: ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ଡ–ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାର ଭାଲିଆବାଡ଼ି ଛକ ଠାରେ ଆଜି ପୂର୍ବାହ୍ଣ ପ୍ରାୟ ୧୦ ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୭ ବର୍ଷ ବୟସର ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତରିତ ହୋଇଛନ୍ତି। ଏକ ତେଲ ଟ୍ୟାଙ୍କର ଗାଡ଼ି ସହ ସ୍କୁଟି ଧକ୍କା ହେବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
/sambad/media/post_attachments/wp-content/uploads/2023/10/tela-tanker-Durghatanare-pua-mruta-mma-gurutara-Khordha-2.jpg)
ଆଜି ସକାଳେ ଏକ ଘରୋଇ ବିଦ୍ୟାଳୟରୁ ସ୍ମୁଲ ପରୀକ୍ଷା ଶେଷ ହେବା ପରେ ନିଜର ପୁଅ ବିନାୟକ ଦାଶଙ୍କୁ ନେଇ ସ୍କୁଟିରେ ବୈଜୟନ୍ତୀ ଦାଶ ଘରକୁ ଫେରୁଥିଲେ। ଭାଲିଆବାଡି ହନୁମାନ ମନ୍ଦିର ଛକ ନିକଟରେ ମୁଖ୍ୟ ରାସ୍ତା ଆଡ଼କୁ ମୁହାଁଇବା ବେଳେ ନୂଆ ବସ୍ଷ୍ଟାଣ୍ଡ ପଟକୁ ଯାଉଥିବା ଏକ ତେଲ ଟ୍ୟାଙ୍କର(ଓଡି୦୪ଏମ୍୮୧୦୬) ସହ ଧକ୍କା ହୋଇଥିଲା। ବିନାୟକ ଉପରେ ଟ୍ରକ୍ଟି ଚଢ଼ିଯାଇଥିବା ବେଳେ ବୈଜୟନ୍ତୀ ସ୍କୁଟି ସହ ଛିଟିକି ପଡ଼ିଥିଲେ। ସେ ପିନ୍ଧିଥିବା ହେଲ୍ମେଟ୍ଟି ଟ୍ରକ ଚକତଳେ ପଡ଼ି ଚୂରମାର ହୋଇଯାଇଥିଲା। ଏହାପରେ ସ୍ଥାନୀୟ ଲୋକ ଟ୍ରକ୍ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରକଟି ସେଠାରୁ ଦ୍ରୁତ ଗତିରେ ଚାଲିଯାଇଥିଲା। କେତେକ ଯୁବକ ପଛରେ ଗୋଡ଼ାଇ ବାଟମଙ୍ଗଳା ଛକ ନିକଟରେ ଟ୍ରକ୍ଟିକୁ ଅଟକାଇଥିଲେ। ପରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ପହଞ୍ଚି ଟ୍ରକ୍ ସହ ଚାଳକକୁ ଧରି ଥାନାକୁ ନେଇଥିଲା। ଅପରପକ୍ଷରେ, ସ୍ଥାନୀୟ ଲୋକ ଭାଲିଆବାଡ଼ି ଛକରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅତିରିକ୍ତ ଏସ୍ପି କିଶୋର ଚନ୍ଦ୍ର ମୁଣ୍ଡ, ଏସ୍ଡିପିଓ ଦିଲିପ କୁମାର ଦାସ, ଉପଜିଲ୍ଲାପାଳ ଦିପ୍ତିରଞ୍ଜନ ସେଠୀ, ଥାନା ଆଇଆଇସି ତାରିକ ଅହମ୍ମଦଙ୍କ ସହ ପୁଲିସ ସଦଳବଳେ ସେଠାରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ପ୍ରାୟ ୧ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ବିନାୟକ ଓ ବୈଜୟନ୍ତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା, ସେଠାରେ ଡାକ୍ତର ବିନାୟକଙ୍କୁ ମୃତ ଘୋଷଣା କରିଥିଲେ। ବୈଜୟନ୍ତୀଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଇଦିଆଯାଇଥିଲା। ବର୍ତମାନ ବୈଜୟନ୍ତୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ତାଙ୍କ ନିକଟ ସମ୍ପର୍କୀୟଙ୍କ ଠାରୁ ଜଣାପଡ଼ିଛି। ଖୋର୍ଦ୍ଧା ଟାଉନ ଥାନା ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଚାଳକଙ୍କୁ ଅଟକ ରଖିଥିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/tela-tanker-Durghatanare-pua-mruta-mma-gurutara-Khordha-1.jpg)