ବଡ଼ବଡ଼ିଆଙ୍କ ପାଖ ପଶୁନାହାନ୍ତି ଆର୍‌ଏମ୍‌ସି ଅଧିକାରୀ, ବାକି ପଡିଛି ୭୦.୯୩ ଲକ୍ଷ

୫ ବର୍ଷରେ ଆଦାୟ ହୋଇଛି ୨୮.୨୨ କୋଟି ହୋଲ୍‌ଡିଂ ଟ୍ୟାକ୍ସ

ରାଉରକେଲା: ରାଉରକେଲା ମହାନଗର ନିଗମ (ଆରଏମ୍‌ସି) ପ୍ରତିବର୍ଷ କୋଟି କୋଟି ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛି। ଆବାସିକ ଗୃହ, ବାଣିଜ୍ୟିକ ଅନୁଷ୍ଠାନ, ହସ୍ପିଟାଲ, ହୋଟେଲରୁ ଲକ୍ଷ ଲକ୍ଷ ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହେଉଛି। ଆର୍ଏମ୍ସି ଅଧୀନରେ ମୋଟ ୧୬ ହଜାର ୯୮୮ ହୋଲ୍ଡିଂ ଟ୍ୟାକ୍ସଧାରୀ ରହିଛନ୍ତି। ଆଶ୍ଚର୍ଯ୍ୟର କଥା ଏମାନଙ୍କ ମଧ୍ୟରେ କେତେ ଆବାସିକ ଗୃହ ଓ କେତେ ବାଣିଜ୍ୟିକ ସଂସ୍ଥା ରହିଛି ହୋଲ୍ଡିଂ ଟ୍ୟାକ୍ସ ବିଭାଗ ପାଖରେ ସୂଚନା ନାହିଁ। ଆବାସିକ ଗୃହ, ଛୋଟ ଛୋଟ ବ୍ୟବସାୟିକ ସଂସ୍ଥାଗୁଡ଼ିକରୁ ବିଭାଗୀୟ ଅଧିକାରୀ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛନ୍ତି। କିନ୍ତୁ ବଡ ବଡ ସଂସ୍ଥା ପାଖ ପଶି ପାରୁ ନାହାନ୍ତି। ଆର୍ଏମ୍ସି ଅଧୀନରେ ଗୋଟିଏ କି ଦୁଇଟି ନୁହେଁ ଏମିତି ମାଳ ମାଳ ବାଣିଜ୍ୟିକ ସଂସ୍ଥା ରହିଛି ଯେଉଁମାନଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବାକି ପଡିଛି।

ବିଭାଗୀୟ ଅଧିକାରୀ ମାନେ କିନ୍ତୁ ଏମାନଙ୍କ ପାଖ ପଶୁନାହାନ୍ତି। କିଛି ସଂସ୍ଥା ଆର୍ଏମ୍ସି ଅତ୍ୟଧିକ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ମାମଲା କୋର୍ଟରେ ବିଚରାଧୀନ ରହିଥିବାରୁ ଆର୍ଏମ୍ସି ଏମାନଙ୍କ ଠାରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁନାହାନ୍ତି। ଏମିତି ଭାବେ ଅଦ୍ୟାବଧି ମୋଟ ୭୦ ଲକ୍ଷ ୯୩ ହଜାର ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହୋଇପାରନି ବୋଲି ବିଭାଗରୁ ସୂଚନା ଦିଆଯାଇଛି।

ସେମିତି ଆରଏମ୍‌ସି ଗତ ୨୦୧୬-୧୭ରେ ୪ କୋଟି ୩୦ ଲକ୍ଷ ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିଥିଲେ। ୨୦୧୭-୧୮ରେ ପୂର୍ବ ବର୍ଷ ଅପେକ୍ଷା କମ୍ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହୋଇଥିଲା। ୮୨ ଲକ୍ଷ ଟଙ୍କା କମ୍ ଅର୍ଥାତ୍ ୩ କୋଟି ୪୮ ଲକ୍ଷ ଟଙ୍କା ଆଦାୟ ହୋଇଥିଲା। ୨୦୧୮-୧୯ରେ ମାତ୍ର ତିନି ଲକ୍ଷ ଅଧିକ ଅର୍ଥାତ୍ ୪ କୋଟି ୩୩ ଲକ୍ଷ ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହୋଇଥିଲା। ୨୦୧୯-୨୦ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ହେବା ପରେ ଆଦାୟ ପରିମାଣ ବଢ଼ିଥିଲା। ୨୦୧୯-୨୦ରେ ୭ କୋଟି ୪୫ ଲକ୍ଷ, ୨୦୨୦-୨୧ରେ ୮ କୋଟି ୬୬ ଲକ୍ଷ ଟଙ୍କା ଆଦାୟ ହୋଇଛି। ହେଲେ କେତେ ଟଙ୍କା ଆବାସିକ ଗୃହ ଓ କେତେ ଟଙ୍କା ବାଣିଜ୍ୟିକ ସଂସ୍ଥାରୁ ଆଦାୟ ହୋଇଛି ଏହାର ସୂଚନା କିନ୍ତୁ ବିଭାଗ ପାଖରେ ନାହିଁ। ନା’ ବଡ ବଡ଼ିଆଙ୍କ ଉପରେ ବାକି ପଡ଼ିଥିବା ଲକ୍ଷ ଲକ୍ଷ ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଲୁଚାଇବାକୁ ବିଭାଗୀୟ ଅଧିକାରୀ ସୂଚନା ଦେଉ ନଥିବା ମନେ ହେଉଛି। ସହରର ସିଭିଲଟାଉନସିପ୍, ରାଉରକେଲା ମନେ୍ରୋଡରେ ଥିବା ଅଧିକାଂଶ ବଡ ବଡ ବ୍ୟବସାୟିକ ସଂସ୍ଥା ହୋଲ୍ଡିଂ ଟିକସ ତାଲିକାରେ ରହିଥିବା ଜଣାପଡ଼ିଛି। କିନ୍ତୁ ବିଭାଗୀୟ ଅଧିକାରୀ କେବଳ କାରଣଦର୍ଶାଅ ନୋଟିସ୍ ଜାରି କରି ନିଜର କାମ ସାରିଦେଉଛନ୍ତି। କାର୍ଯ୍ୟାନୁଷ୍ଠାନ ଶୂନ। ଫଳରେ ବଡ଼ ବଡ଼ିଆ ବର୍ଷ ବର୍ଷ ଧରି ହୋଲ୍ଡିଂ ଟ୍ୟାକ୍ସ ଫାଙ୍କି ଚାଲିଛନ୍ତି। ତେବେ କାହିଁକି ବିଭାଗୀୟ ଅଧିକାରୀ ଏହି ସଂସ୍ଥାଗୁଡ଼ିକୁ ନାମ ଗୋପନ ରଖୁଛନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଲ୍ଲେଖଯୋଗ୍ୟ, ଆର୍ଏମ୍ସି ବାସନ୍ତୀକଲୋନି, ଛେଣ୍ଡ କଲୋନି, କଳିଙ୍ଗ ବିହାର, ସିଭିଲଟାଉନସିପ୍ ସମେତ ରାଉରକେଲା ମୁଖ୍ୟ ମାର୍ଗରେ ଥିବା ବାସଗୃହ, ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକୁ ପ୍ରତିବର୍ଷ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛନ୍ତି।

ସମ୍ବନ୍ଧିତ ଖବର