ରାୟଗଡ଼ା: ଟଙ୍କା ଡିପୋଜିଟ୍ କରି ୩ ବର୍ଷ ବିତିଲାଣି। ଆଜି କାଲି କହି ଉଠା ଜଳସେଚନ ବିଭାଗ ଦିନ ଗଡାଇ ଚାଲିଛି। ଟେଣ୍ଡରରେ ସମସ୍ୟା ଯୋଗୁ ବୋରୱେଲ୍ ଖନନ ହୋଇପାରୁନଥିବାରୁ ଚାଷୀ ପାଣିକୁ ଚାହିଁ ଜଳକା ହେବା ଛଡ଼ା କୌଣସି ସୁଫଳ ମିଳିପାରୁନି। ଫଳରେ ୭୦ ଏକର ଜମିରେ ଚାଷ ବାଧାପ୍ରାପ୍ତ ହୋଇଛି। ନିରାଶ ଚାଷୀ ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Advertisment

ରାୟଗଡ଼ା ବ୍ଲକ୍ ପେଣ୍ଟା ଗ୍ରାମର ୧୦ ଜଣ ଚାଷୀ ଉଠାଜଳସେଚନ ବିଭାଗ ପକ୍ଷରୁ ବୋରୱେଲ୍ ଖନନ ପାଇଁ ବିଭାଗ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିଲେ। ୨୦୧୯ରେ ପ୍ରତ୍ୟେକ ଚାଷୀ ୨୦ ହଜାର ଟଙ୍କା ଲେଖାଁଏ ଡିପୋଜିଟ୍ କରିଥିବା ବେଳେ ଡିପୋଜିଟ୍ ସଂପର୍କିତ ସମସ୍ତ କାଗଜପତ୍ର ବିଭାଗୀୟ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ବିଭାଗ ବୋରୱେଲ୍ ଖନନ ପାଇଁ ଟେଣ୍ଡର ଡାକିବା ପରେ ଏକ ସଂସ୍ଥା ଟେଣ୍ଡର ହାତେଇଥିଲା। କିନ୍ତୁ ଫୁଟ ପିଛା ଖନନ ଦରକୁ ନେଇ ଉଠା ଜଳସେଚନ ବିଭାଗ ଏବଂ ଟେଣ୍ଡରଧାରୀଙ୍କ ମଧ୍ୟରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରୁନଥିବାରୁ ଖନନ ଅଟକି ରହିଛି। ଗତ ୩ ବର୍ଷ ହେଲା ବିଭାଗ ଏ ଦିଗରେ କୌଣସି ପଦକ୍ଷେପ କରିନଥିବାରୁ ଟଙ୍କା ଡିପୋଜିଟ୍ କରି ନିରାଶ ହୋଇଛନ୍ତି ଚାଷୀ।

ସୂଚନାଯୋଗ୍ୟ, ପାଣି ମାଡ଼ୁନଥିବା ଜମିରେ ସରକାରୀ ପ୍ରୋତ୍ସାହନରେ ବୋରୱେଲ୍ ଖନନ ପାଇଁ ୨୦୧୯ ରେ ଉଠାଜଳସେଚନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପରେ ପେଣ୍ଟା ଗ୍ରାମର ୧୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ‌ସମେତ ଜିଲ୍ଲାର ଅନ୍ୟ ବ୍ଲକ୍ ଚାଷୀ ମଧ୍ୟ ବୋରୱେଲ୍ ଖନନ ପାଇଁ ବିଭାଗୀୟ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଛନ୍ତି। ସରକାର ସାଧାରଣ ଚାଷୀଙ୍କ ପାଇଁ ୨୦ ହଜାର ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଚାଷୀଙ୍କ ପାଇଁ ବୋ‌ରୱେଲ୍ ପିଛା ୧୦ ହଜାର ଟଙ୍କା ଡିପୋଜିଟ୍ କରିବା ପାଇଁ ନିୟମ କରିଥିଲେ। ନିୟମ ମୁତାବକ ଚାଷୀ ଟଙ୍କା ଡିପୋଜିଟ୍ କରିବା ପରେ ବୋରୱେଲ୍ ଖନନ ପାଇଁ ତାରିଖ ଧାର୍ଯ୍ୟ କରିବାକୁ ଗୁଣପୁର ଏବଂ ରାୟଗଡ଼ା ସ୍ଥିତ ବିଭାଗୀୟ କାର୍ଯ୍ୟାଳୟକୁ ଯାଇଥିଲେ।

କରୋନା ଯୋଗୁ ବୋରୱେଲ୍ ଖନନ ପ୍ରଭାବିତ ହୋଇଥିବା ବେଳେ କରୋନା ପ୍ରଭାବ କମିବା ପରେ ବିଭାଗ ଟେଣ୍ଡର ଡାକିଥିଲା। ଟେଣ୍ଡରରେ ଖନନ ଦରକୁ ନେଇ ସମସ୍ୟା ରହିଥିବାରୁ ଚାଷୀଙ୍କ କାର୍ଯ୍ୟ ୩ ବର୍ଷ ହେଲା ଅଟକି ରହିଛି। ବାରମ୍ବାର ବିଭାଗ ଗୋଟିଏ ପରେ ଗୋଟିଏ ତାରିଖ ଦେଇ ଦିନ ଗଡାଇ ଚାଲିଛି। ଏପଟେ ଜଳସେଚନ ଅଭାବରୁ ୭୦ରୁ ଉର୍ଦ୍ଧ୍ବ ଏକର ଜମିରେ ଚାଷ ବାଧାପ୍ରାପ୍ତ ହେଉଛି। ବର୍ଷା ଭଲ ହେଲେ ଚାଷୀ ଧାନ ଚାଷ ପ୍ରତି ମନ ବଳାଉଛନ୍ତି। ତାହା ବି ବହୁ ସମୟରେ ପାଣି ଅଭାବରୁ ଭଲ ଫଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି। ଜଳ‌ସେଚନ ସୁବିଧା ନଥିବାରୁ ଅନ୍ୟ କୌଣସି ଫସଲ ପାଇଁ ଚାଷୀ ଇଚ୍ଛା ପ୍ରକାଶ କରୁନାହାନ୍ତି। ହାତ ପାଆନ୍ତାରେ ଜମି ଥିଲେ ମଧ୍ୟ ଚାଷ ପାଇଁ ପାଣି ସୁବିଧା ନଥିବାରୁ କିଛି କରିପାରୁନି ବୋଲି ଚାଷୀ କହିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ‌ବୋରୱେଲ୍‌ ଖନନ କରିବାକୁ ପେଣ୍ଟା ଗ୍ରାମର ଚାଷୀ ଲକ୍ଷ୍ମୀ ନାଇଡୁ, ଚନ୍ଦ୍ର ରାଓ, ପ୍ରସାଦ ରାଓ, ପାରସି ନାଇଡୁ, ପେଦେଣ୍ଟି ଭାନୁମତି, ପି. ଜେ. ପୱନ କୁମାର, ଲୋକେଶ, ଜଗନ୍ନାଥ ନାଇଡୁ, ଡି. ଜେ. କାନ୍ତମା ପ୍ରମୁଖ ଦାବି କରିଛନ୍ତି।