ଭୁବନେଶ୍ବର: ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ଦୋକାନକୁ ସଂପୂର୍ଣ୍ଣ ବନ୍ଦ କରିବାର କୌଣସି ଯୋଜନା ନାହିଁ। ବନ୍ଦ ଥିବା ୭୦ଟି ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ବାଲେଶ୍ବରରେ ସର୍ବାଧିକ ୧୭, ଗଞ୍ଜାମ ୧୦, ନୟାଗଡ଼ ୯, ମୟୂରଭଞ୍ଜ ୮, କଟକ ୭ ଓ ଅନ୍ୟାନ୍ୟ ଜିଲ୍ଲାରେ ଏହି ମଦ ଦୋକାନ ଖୋଲିବ। ଏହାସହ ୪ଟି ନୂଆ ଠିପିଖୋଲା ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଥିବା ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଶ୍ରୀ ହରିଚନ୍ଦନ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ ନୂଆ ଠିପିଖୋଲା ମଦ ଦୋକାନ ଭିତରେ ପୁରୀରେ ୩ଟି ଓ ଭୁବନେଶ୍ବରରେ ଗୋଟିଏ ରହିଛି। ଏହାସହ କଟକରେ ଗୋଟିଏ ଓ ଢେଙ୍କାନାଳ ଜିଲ୍ଲାରେ ୨ଟି ନୂଆ ମଦ ଦୋକାନ ଖୋଲିବ। ତେବେ ବିଷାକ୍ତ ଓ ଅପମିଶ୍ରିତ ମଦ ତଥା ନିଶା ସେବନଠାରୁ ରାଜ୍ୟବାସୀଙ୍କୁ ଦୂରେଇ ରଖିବା ପାଇଁ ସରକାରଙ୍କ ତରଫରୁ ନିୟମିତ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାବାଦ୍ ପ୍ରବର୍ତ୍ତନ(ଏନ୍ଫୋର୍ସମେଣ୍ଟ) କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରିକୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଉଛି। ହେଲେ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଜୀବନ ବୀମା କରିବାର କୌଣସି ବ୍ୟବସ୍ଥା ନାହିଁ।
୩ ମଦ କାରଖାନା, ୪ ନୂଆ ଠିପିଖୋଲା ମଦ ଦୋକାନ ଖୋଲିବ
ସଂପୂର୍ଣ୍ଣ ବନ୍ଦ ହେବନି ଦେଶୀ ଓ ବିଦେଶୀ ମଦ ଦୋକାନ
ନିଶା ସେବନରୁ ଦୂରେଇବା ପାଇଁ ହେଉଛି ନିୟମିତ ସଚେତନତା କାର୍ଯ୍ୟକ୍ରମ
ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ ଗଞ୍ଜେଇ ଚାଷ ଓ ଏହା ଉତ୍ପାଦ ବିକ୍ରିକୁ ନାର୍କୋଟିକ ଡ୍ରଗ୍ସ ସାଇକୋଟ୍ରୋପିକ୍ ସବ୍ଷ୍ଟାନ୍ସ(ଏନ୍ଡିପିଏସ୍) ଆଇନ, ୧୯୮୫ ଅନୁସାରେ ନିଷେଧ କରାଯାଇଛି। ଏନ୍ଡିପିଏସ୍ ଆଇନ ଅନୁଯାୟୀ, କେବଳ ଔଷଧୀୟ ଓ ବୈଜ୍ଞାନିକ ଗବେଷଣା ବ୍ୟତୀତ ଗଞ୍ଜେଇର ଉତ୍ପାଦନ, ଚାଷ, ବିକ୍ରୟ, ପରିବହନ, ସଂରକ୍ଷଣ ଓ ସେବନକୁ ସମାନଭାବେ ନିଷେଧ କରାଯାଇଛି। ୨୦୨୧-୨୨ ମସିହାରୁ ୨୦୨୫-୨୬ବର୍ଷ ଭିତରେ ଗଞ୍ଜେଇକୁ ନେଇ ୪୯୫୫ଟି ମାମଲା କରାଯାଇଛି। ଏଥିରେ ୬୩୦୮ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି ଓ ୧ଲକ୍ଷ ୫୯ହଜାର ୬୯୯ କେଜି ଗଞ୍ଜେଇ ଜବତ କରାଯାଇଛି। ପାହାଡ଼ି ଅଞ୍ଚଳରେ ଗଞ୍ଜେଇ ଚାଷ, ଏହାର ଉତ୍ପାଦନ ଓ ବିକ୍ରୟକୁ ଏନ୍ଡିପିଏସ୍ ଆଇନ ଜରିଆରେ ନିଷେଧ କରାଯାଇଛି।
ରାଜ୍ୟରେ ବିଭିନ୍ନ ଡ୍ରଗ୍ସ ସାମଗ୍ରୀକୁ ନଷ୍ଟ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ କମିଟି ଗଠନ ପାଇଁ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି କମିଟିରେ ଜିଲ୍ଲା ପୁଲିସ ଅଧୀକ୍ଷକ, ଜିଲ୍ଲାପାଳଙ୍କ ଦ୍ବାରା ମନୋନୀତ ଡେପୁଟି ଜିଲ୍ଲାପାଳ, ଅବକାରୀ ଅଧୀକ୍ଷକ ଓ ଉପ ପୁଲିସ ଆୟୁକ୍ତଙ୍କ ଦ୍ବାରା ମନୋନୀତ ଉପ ପୁଲିସ ଅଧୀକ୍ଷକ(ଅପରାଧ)ଙ୍କୁ ନିଆଯାଇଛି। ଏହି କମିଟି ଦ୍ବାରା ଜବତ ଡ୍ରଗ୍ସ ସାମଗ୍ରୀକୁ ନଷ୍ଟ କରାଯାଉଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ବିଧାୟକ ଯୋଗେଶ କୁମାର ସିଂହ, ଅଖିଳ ଚନ୍ଦ୍ର ନାଏକ, ମଙ୍ଗୁ ଖିଲ ଓ ଅମରେନ୍ଦ୍ର ଦାସ ଏ ସଂପର୍କିତ ପ୍ରଶ୍ନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/21/wine-shop-2025-09-21-04-56-53.jpg)