ରାଉରକେଲା: ଇସ୍ପାତ ସହର ମଝିରେ ପ୍ରାୟ ୮୫୦ ଏକର ପରିବ୍ୟାପ୍ତ ଦୁର୍ଗାପୁର ପାହାଡ଼ରେ ସବୁଜିମା ସୃଷ୍ଟି ପାଇଁ କୋଟିକୋଟି ଟଙ୍କା ବ୍ୟୟ ହୋଇଥିବା କହିଥିଲେ ରାଉରକେଲା ବନ କର୍ତ୍ତୃପକ୍ଷ। ଚାରା ରୋପଣ ସମେତ ଜଳାଶ୍ରୟ, ପଥର ପାଚେରୀ, ଚେକ୍ଡ୍ୟାମ, ପୋଖରୀ ନିର୍ମାଣ କରାଯାଇଥିବା ବାହାସ୍ପୋଟ ମାରିଥିଲେ ବନ କର୍ତ୍ତୃପକ୍ଷ। କିନ୍ତୁ ଏବେ ଦୁର୍ଗାପୁର ପାହାଡ଼ରେ ଗୋଟିଏ ବି ପ୍ରକଳ୍ପ ନାହିଁ। କେଉଁଠି ପୋଖରୀ ନାଁରେ କେବଳ ଗାତ ଖୋଳାଯାଇଥିବାବେଳେ କେଉଁଠି ପାଚେରୀ ନାଁରେ ହାତଗଣତି ପଥର ଗଦା ହୋଇଛି। ଦୁର୍ଗାପୁର ପାହାଡ଼ର ଏଭଳି ସ୍ଥିତିକୁ ଦେଖିଲେ, ଏଠାରେ ଜଙ୍ଗଲ ସୁରକ୍ଷା ନାଁରେ ପ୍ରାୟ ୭୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମିଳିମିଶି ଖାଇଦେଇଥିବା ସନ୍ଦେହ ହୁଏ।
ଦୁର୍ଗାପୁର ପାହାଡ଼ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ୍(ଡିଏମ୍ଏଫ୍) ପାଣ୍ଠି, କାମ୍ପା, ଜିଲ୍ଲା ପାରିପାର୍ଶ୍ବିକ ବିକାଶ ଯୋଜନା, ଏଗ୍ରୋଫରେଷ୍ଟ୍ରି, ବାଉଁଶ ମିଶନ, ସ୍ଥାୟୀ ନର୍ସରୀ, ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମାଧ୍ୟରେ ଶହେ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅନୁଦାନ ଆସିଛି। କେବଳ କାମ୍ପା ଯୋଜନାରେ ଗତ ୧୦ ବର୍ଷ ମଧ୍ୟରେ ୭୦ କୋଟି ଟଙ୍କାର ଅନୁଦାନ ଆସିଛି। ଏହି ଅନୁଦାନରେ ବନୀକରଣ, ଜଳାଶୟ ପ୍ରତିଷ୍ଠା, ପଥର ପାଚେରୀ ନିର୍ମାଣକରାଯାଇଥିବା ବନ ବିଭାଗ କହୁଛି, କିନ୍ତୁ ଗୋଟିଏ ବି ପ୍ରକଳ୍ପର ନାଁ ଗନ୍ଧ ନାହିଁ। କେବଳ ଲୋକ ଦେଖାଣିଆ ସ୍ଥାନରେ ହାତଗଣତି ୧/୨ଟି ପ୍ରକଳ୍ପ ନିର୍ମାଣ କରାଯାଇଛି। ଏମିତିକି ବିଭିନ୍ନ ସ୍ଥାନରେ ଦେଢ଼ଲକ୍ଷ, ବିଭିନ୍ନ କିସମର ୫୦ ହଜାରରୁ ଅଧିକ ଚାରା ଲଗାଯାଇଥିବା ବୋର୍ଡ ମରାଯାଇଛି; କିନ୍ତୁ ସେଠାରେ ଗୋଟିଏ ଗଛ ଦେଖିବାକୁ ମିଳୁନି।
ଚେକ୍ ଡ୍ୟାମ, ପୋଖରୀ ନାଁରେ କେବଳ ମାଟି ଖୋଳି ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦିଆଯାଇଥିବାବେଳେ ପଥର ପାଚେରୀ ନାଁରେ ପଥର ଗଦା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୦୨୦ ମସିହା ଅକ୍ଟୋବର ମାସରେ ତତ୍କାଳୀନ ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ ଅଧିକାରୀ ଏକାଧିକ ପ୍ରକଳ୍ପ ତିଆରି କରାଯାଇ ସରକାରଙ୍କ ସବୁ ଅନୁଦାନର ସୁବିନିଯୋଗ କରିଥିବା ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା ଦେଇଥିଲେ। ସେତେବେଳେ ଶ୍ରୀ ସ୍ବାଇଁ କହିଥିଲେ, ଦୁର୍ଗାପୁର ପାହାଡ଼ରେ ସବୁଜବଳୟ ସୃଷ୍ଟି କରିବାକୁ ମେଗା ଜଳଛାୟା, ମୃତ୍ତିକାକ୍ଷୟ ରୋକିବା ଓ ଜଳସଂରକ୍ଷ ପାଇଁ ୩୫୦୦ଟି ଜଳ ଅମଳ ପ୍ରକଳ୍ପ, ଶହେଟି ପଥର ଚେକ୍ ଡ୍ୟାମ୍, ୧୫ଟି ବିଶାଳ ପୋଖରୀ, ୨ କଲୋମିଟର ପର୍ଯ୍ୟନ୍ତ ପଥର ପାଚେରୀ ସମେତ ପ୍ରାୟ ୧୫ ଲକ୍ଷ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିବା କହିଥିଲେ।
/sambad/media/post_attachments/wp-content/uploads/2022/04/୧୩-1.jpg)
ଏସବୁ କେବଳ ତାଙ୍କ ସମୟରେ ମାତ୍ର ୨ ବର୍ଷ ଭିତରେ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦେଇଥିଲେ। ତେବେ ଏଠାରେ ପ୍ରଶ୍ନ ଉଠେ, ଯଦି ଏତେ ସବୁ ପ୍ରକଳ୍ପ କରାଯାଇଥିଲା, ତା’ହେଲେ ଏହାର ଏବେ ଚିହ୍ନବର୍ଣ୍ଣ ନାହିଁ କେମିତି? ମାତ୍ର ୨ ବର୍ଷ ଭିତରେ ସବୁ ପ୍ରକଳ୍ପ ଉଭାନ ହେଲା କେମିତି? ପୋଖରୀ ନାଁରେ କେବଳ ୩/୪ ଫୁଟ୍ର ମାଟି ଖୋଳି ଛାଡ଼ି ଦିଆଯାଇଛି କାହିଁକି? ଗୋଟିଏ ବି ପ୍ରକଳ୍ପ ନିର୍ମାଣ ନ କରି ତତ୍କାଳୀନ ଡିଏଫ୍ଓ ଗଣମାଧ୍ୟମରେ ଏମିତି ମିଥ୍ୟା ସୂଚନା ଦେଉଥିଲେ କାହିଁକି? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କିମାରିଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି, ପ୍ରକଳ୍ପ ନିର୍ମାଣ ହୋଇଛି ଓ ଏ ବାବଦକୁ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟକୁ ଆସିଥିବା ଅନୁଦାନ ଅର୍ଥ ସମ୍ପୂର୍ଣ୍ଣ ବିନିଯୋଗ ହୋଇଛି। ବାସ୍ତବରେ ଚିତ୍ର ଠିକ୍ ଓଲଟା। ବନୀକରଣ ନାଁରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅବଗତ ହେବାପରେ ସମାଜସେବୀ ରଶ୍ମି ରଞ୍ଜନ ପାଢ଼ୀ ରାଉରକେଲା ଭିଜିଲାନ୍ସ ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହେବ ନାହି ନାହିଁ ତାହା ସମୟ କହିବ; ତେବେ ତତ୍କାଳୀନ ଡିଏଫ୍ଓଙ୍କୁ ନେଇ ସହରରେ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର୍ ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/୧୨-1.jpg)