୧୮ ବର୍ଷ ହେଲା ଆଇପିଏସ୍‌କୁ ପଦୋନ୍ନତି ଶୂନ  

ରାଜ୍ୟରେ ଖାଲିପଡ଼ିଛି ୭୦ ଆଇପିଏସ୍‌ ପଦବି

କଟକ: ରାଜ୍ୟରେ ଏବେ ଖାଲି ପଡ଼ିଛି ପାଖାପାଖି ୭୦ ଆଇପିଏସ୍‌ ପଦବି। ଓଡ଼ିଶା ପୁଲିସ୍‌ ସେବା (ଓପିଏସ୍‌)ରୁ ଭାରତୀୟ ପୁଲିସ୍‌ ସେବା (ଆଇପିଏସ୍‌)କୁ ପଦୋନ୍ନତି ନ ମିଳିବା ଏବଂ ପ୍ରତ୍ୟେକ ବର୍ଷ ସିଧାସଳଖ ନିଯୁକ୍ତି ବି ହ୍ରାସ ପାଇବା ପଦବି ଖାଲି ପଡ଼ିବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହି ସମସ୍ୟାର ସମାଧାନ ପାଇଁ ସରକାର ୨୦୧୫ ମସିହାରୁ ଓପିଏସ୍‌ କ୍ୟାଡର ଡିଏସ୍‌ପି ପଦରେ ସିଧାସଳଖ ନିଯୁକ୍ତି ଦେବା ଆରମ୍ଭ କରିଥିଲେ ବି ସେମାନେ ଆଇପିଏସ୍‌ କ୍ୟାଡର ପାଇଁ ଯୋଗ୍ୟ ହେଲାବେଳକୁ ଅନ୍ୟୁନ ୮ବର୍ଷ ସମୟ ସମୟ ଲାଗିବ।  ଓଡ଼ିଶାରେ ଆଇପିଏସ୍‌ କ୍ୟାଡର ପାଇଁ ୧୮୮ ପଦବି ରହିଛି। ପୂର୍ବରୁ ଏହି ସଂଖ୍ୟା ୧୫୯ ଥିବାବେଳେ ରାଜ୍ୟ ପଦୋନ୍ନତି କୋଟା ସିଟ୍‌ ୪୮ ରହିଥିଲା। ହେଲେ କ୍ୟାଡର ସିଟ୍‌ ସଂଖ୍ୟା ବୃଦ୍ଧି ପାଇବାରୁ ୧୩୧ ସିଧାସଳଖ ନିଯୁକ୍ତି ଓ ଓପିଏସ୍‌ କୋଟା ସିଟ୍‌ ୫୭ରେ ପହଞ୍ଚିଲା। ବର୍ତ୍ତମାନ ରାଜ୍ୟରେ ପାଖାପାଖି ୮୫ ଜଣ ଆଇପିଏସ୍‌ କାର୍ଯ୍ୟ କରୁଛନ୍ତି ଏବଂ ପ୍ରାୟ ୨୫ଜଣ ସେଣ୍ଟ୍ରାଲ୍‌ ଡେପୁଟେସନ୍‌ରେ ଯାଇଛନ୍ତି। ପାଖାପାଖି ୭୦ ପଦବି ଏବେ ବି ଖାଲି ପଡ଼ିିଛି। ବିଭିନ୍ନ କାରଣରୁ ୧୯୭୭ରୁ ସିଧାସଳଖ ଓପିଏସ୍‌ ନିଯୁକ୍ତି ପ୍ରକ୍ରିୟ ବନ୍ଦ ରହିଥିଲା। ଫଳରେ ଆଇପିଏସ୍‌ ପଦୋନ୍ନତି ପାଇଁ ଅଧିକାରୀଙ୍କ ଅଭାବ ପଡ଼ିଲା। ଆଇପିଏସ୍‌ ନିଯୁକ୍ତି ନିୟମ ଅନୁସାରେ ପଦୋନ୍ନତି ଭିତ୍ତିରେ ଏହି କ୍ୟାଡରରେ ପ୍ରବେଶ କରିବାକୁ ହେଲେ ଅଧିକାରୀଙ୍କ ବୟସ ସର୍ବାଧିକ ୫୪ ବର୍ଷ ହୋଇଥିବା ଆବଶ୍ୟକ। ଅର୍ଥାତ୍‌ ୪୬ବର୍ଷ ବୟସ ସୁଦ୍ଧା ଜଣଙ୍କୁ ଡିଏସ୍‌ପି ର‍୍ୟାଙ୍କରେ ପହଞ୍ଚିବାକୁ ହେବ। ପୂର୍ବରୁ ଏସ୍‌ଆଇରୁ ଇନ୍ସପେକ୍ଟରକୁ ପଦୋନ୍ନତି ପାଇବାକୁ ହେଲେ ୧୭ରୁ ୨୦ ବର୍ଷ ବୟସ ଲାଗିଯାଉଥିଲା। ଏହାପରେ ଇନ୍ସପେକ୍ଟରରେ ୧୦ ବର୍ଷ କାର୍ଯ୍ୟ କରିବା ପରେ ଓପିଏସ୍‌ କ୍ୟାଡରରେ ଡିଏସ୍‌ପି ର‍୍ୟାଙ୍କ ମିଳୁଥିଲା। ହେଲେ ରାଜ୍ୟର ପ୍ରାୟ ସମସ୍ତ ଇନ୍ସପେକ୍ଟରମାନେ ଡିଏସ୍‌ପି ହେବା ବେଳକୁ ବୟସ ମାନଦଣ୍ଡ ପାର୍‌ ହୋଇଯାଉଛି। ବର୍ତ୍ତମାନ ସୁଦ୍ଧା ତିନି ଜଣ ଅଧିକାରୀ ଆଇପିଏସ୍‌ ପାହ୍ୟାକୁ ପଦୋନ୍ନତି ପାଇଥିବା ସୂଚନା ରହିଛି। ୨୦୦୦ ମସିହାରେ ଆଇପିଏସ୍‌କୁ ପଦୋନ୍ନତି ପାଇଥିବା ମୁରଲୀ ମୋହନ ଦାସ ଓ ପି.କେ. ମହାନ୍ତି ୨୦୦୩ ମସିହାରେ ଅବସର ନେଇଥିଲେ। ସେହିପରି ଶେଷ ପଦୋନ୍ନତି ଆଇପିଏସ୍‌ ଅଧିକାରୀଭାବେ ବିଷ୍ଣୁ ପ୍ରସାଦ ମହାପାତ୍ର ୨୦୦୮ରେ ଅବସର ନେଇଛନ୍ତି। ତେଣୁ ବରିଷ୍ଠ ଅଧିକାରୀଙ୍କ ଅଭାବକୁ ଦେଖି ସରକାର ୨୦୦୯, ଡିସେମ୍ବର ୧୪ ତାରିଖରେ କ୍ୟାବିନେଟ୍‌ ବୈଠକରେ ଓପିଏସ୍‌ସି ଜରିଆରେ ସିଧାସଳଖ ଓପିଏସ୍‌ ନିଯୁକ୍ତି ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୩ରେ ଏ ସଂକ୍ରାନ୍ତରେ ଗେଜେଟ୍‌ ବିଜ୍ଞପ୍ତି ଓ ଜୁଲାଇ ୨୭ ତାରିଖରେ ନିଯୁକ୍ତି ନିୟମାବଳୀ ପ୍ରକାଶ କରାଯାଇଥିଲା। ୨୦୧୫ରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ବରିଷ୍ଠ ପୁଲିସ ଅଧିକାରୀ ପଦବି ପୂରଣ ସମସ୍ୟା ଆଉ ପ୍ରାୟ ୮ ବର୍ଷ ପର୍ଯ୍ୟନ୍ତ ଲାଗି ରହିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର