ବିରଞ୍ଚି ନାରାୟଣ ଖୁଣ୍ଟିଆ
କୋରେଇ: ଉପକୂଳବର୍ତ୍ତୀ ଜିଲ୍ଲା ଯାଜପୁରରେ ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, ଗେଙ୍ଗୁଟି, କେଲୁଅ ଆଦି ନଦୀ ପ୍ରବାହିତ। କେବଳ ସୁକିନ୍ଦା ବ୍ଲକ୍ କେନ୍ଦ୍ରୀୟ ସମତଳ ଭୂମି ଉପରେ ଅବସ୍ଥିତ। ବାକି ୯ଟି ବ୍ଲକ୍ ବିଭିନ୍ନ ନଦୀର ଅବବାହିକାରେ ରହିଛି। ଯାଜପୁର ଜିଲ୍ଲାର କୃଷି, ପାନୀୟଜଳ, ଶିଳ୍ପ ଆଦିର ବ୍ୟବହାର ପାଇଁ ବ୍ରାହ୍ମଣୀ ଓ ଖରସ୍ରୋତା ମୁଖ୍ୟ ଉତ୍ସ। ଏବେ ଏହି ଦୁଇ ନଦୀର ଚିର ପ୍ରବାହ ଉପରେ ଆଶଙ୍କା ଦେଖାଦେଇଛି। ଖରସ୍ରୋତା ପୂର୍ବାପେକ୍ଷା ଅଧିକ ପୋତି ହୋଇଯାଇଥିବା ବେଳେ ବ୍ରାହ୍ମଣୀ ବଞ୍ଚିବାକୁ ସଂଘର୍ଷ କରୁଛି।
ବ୍ରାହ୍ମଣୀ ରାଜ୍ୟର ଦ୍ବିତୀୟ ବୃହତ୍ତମ ନଦୀ। ଏହାର ଅବବାହିକାରେ ଯାଜପୁର ଜିଲ୍ଲାର ଧର୍ମଶାଳା, ରସୁଲପୁର, ବରୀ, ଦାନଗଦୀ, ବିଂଝାରପୁର, ଯାଜପୁର ପ୍ରଭୃତି ବ୍ଲକ୍ ରହିଛି। ଶାଖାନଦୀ ଖରସ୍ରୋତା ଅବବାହିକାରେ କୋରେଇ ବ୍ଲକ୍ର କିଛି ଅଂଶ ରହିଛି। ଏ ସମସ୍ତ ଅଞ୍ଚଳବାସୀ ବ୍ରାହ୍ମଣୀ ନଦୀର ପାଣି ଉପରେ ନିର୍ଭରଶୀଳ, ଯାହା ଜିଲ୍ଲାର କଲାଣ୍ତ ନିକଟରେ ପ୍ରବେଶ କରିଛି। ଯୋକଡ଼ିଆ ନିକଟରେ ବ୍ରାହ୍ମଣୀରୁ ଖରସ୍ରୋତା ବାହାରିଛି। ବ୍ରାହ୍ମଣୀର ୭୦ କିଲୋମିଟର ନଦୀଗର୍ଭ ବର୍ଷତମାମ ଜଳଶୂନ୍ୟ ରହୁଛି। ଜେନାପୁରଠାରେ ବ୍ରାହ୍ମଣୀ ନଦୀମୁହଁ ପୋତି ହୋଇଯାଇଛି। ଖରସ୍ରୋତାର ତଟବର୍ତ୍ତୀ କୋରେଇ ବ୍ଲକ୍ ତଣ୍ତରା ନିକଟରେ ନଦୀର ଉଭୟ ପାର୍ଶ୍ବରୁ ପ୍ରାୟ ୧୦ ମିଟର ପୋତି ହୋଇଗଲାଣି। କେବଳ ସେତିକି ନୁହେଁ, ତଣ୍ତରା ପଞ୍ଚାୟତର ରାଢ଼ିକୁଦଠାରେ ନଦୀ କୂଳ ଲଙ୍ଘି ଗାଁକୁ ଗିଳିବାକୁ ବସିଲାଣି।
ଜେନାପୁରଠାରେ ବ୍ରାହ୍ମଣୀ ଶୁଖିଲା ପଡ଼ିଥିବାରୁ ଯାଜପୁର, ବରୀ, ଧର୍ମଶାଳା ବ୍ଲକ୍ରେ ଲୋକେ ଜଳକଷ୍ଟ ଭୋଗୁଛନ୍ତି। ସ୍ଥାନୀୟ କିଛି ପରିବେଶବିତ୍ ରାଜ୍ୟ ସରକାରଙ୍କ ନଦୀ ଅଭିଯାନ କର୍ମକର୍ତ୍ତାଙ୍କୁ ଅବଗତ କରି ସୁରକ୍ଷା ପାଇଁ ଅନୁରୋଧ କରିଥିଲେ। ଏ ଦିଗରେ କେବଳ ପ୍ରତିଶ୍ରୁତି ମିଳୁଛି। ୨୦୨୩ ମସିହାରେ ଡ୍ରେନେଜ୍ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବ୍ରାହ୍ମଣୀ ଓ ଖରସ୍ରୋତା ଅବବାହିକା ପରିଦର୍ଶନ କରିଥିଲେ। ଦୁଇ ନଦୀ ପୁଣି ଚିରସ୍ରୋତା ହେବେ ବୋଲି ଜିଲ୍ଲାବାସୀ ଆଶା ରଖିଥିଲେ, ଯାହା କାଗଜକଲମରେ ସୀମିତ ରହିଛି। ଏବେଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳସଙ୍କଟ ଦେଖାଯାଉଥିବା ବେଳେ ଆସନ୍ତା ୨୦ ବର୍ଷ ପରେ ପାଣି ପାଇଁ ହାହାକାର ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ଯଥେଷ୍ଟ ପୂର୍ବରୁ ବ୍ରାହ୍ମଣୀ ଓ ଖରସ୍ରୋତାର ସୁରକ୍ଷା ଜରୁରି ହୋଇପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/20/dasghfshfshfsbxv-2025-11-20-02-04-36.jpg)