ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ସାମିଲ

ରାଜ୍ୟ ବାହାରର ଅଧିକ ଘରୋଇ ହସ୍‌ପିଟାଲକୁ କରାଯିବ ତାଲିକା ଅନ୍ତର୍ଭୁକ୍ତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ବନ୍ଦ ହେବା ପରେ ୨୦୧୮ ଡିସେମ୍ବର ୩୧ ଠାରୁ ରାଜ୍ୟର ପ୍ରାୟ ୭୦ ଲକ୍ଷ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି। ଏହି ପରିବାର ମାନେ ସମସ୍ତ ସରକାରୀ ଏବଂ ଘରୋଇ ହସ୍‌ପିଟାଲ୍‌ରେ କାର୍ଡ ମାଧ୍ୟବରେ ବିନା-ନଗଦରେ ଚିକିତ୍ସା ପାଇପାରୁଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟ ଆଶ୍ୱାସନା ସମିତିର ପରିଚାଳନା ବୈଠକରୁ ଏହା ଜଣାପଡ଼ିଛି।

ରାଜ୍ୟରେ ସ୍ୱାସ୍ଥ୍ୟ ବୀମା, ରାଜ୍ୟ ସ୍ୱାସ୍ଥ୍ୟ ଚିକିତ୍ସଶ ପାଣ୍ଠି, ବିଜୁ କୃଷକ କଲ୍ୟାଣ ଯୋଜନା ଆଦିର କାର୍ଯ୍ୟକାରିତା ସମୀକ୍ଷା କରି ଯୋଜନା ଅନ୍ତର୍ଭୁକ୍ତ ପରିବାର ମାନଙ୍କର ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସା ସହଜଲବ୍‌ଧ ଓ ସୁଗମ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଘରୋଇ ହସ୍‌ପିଟାଲ୍‌ ମାନଙ୍କରେ କାର୍ଡଧାରୀ ରୋଗୀମାନଙ୍କର ସହାୟତା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ସମିତି ତରଫରୁ ‘ସ୍ୱାସ୍ଥ୍ୟ ମିତ୍ର’ ସେବାର ଆରମ୍ଭ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା।

ଯୋଜନାର ସଠିକ୍‌ କାର୍ଯ୍ୟାନ୍ଵୟନ, ପରିଚାଳନା, ସେବା ଯୋଗାଣାରେ ଗୁଣାତ୍ମକ ବିକାଶ, ପାଣ୍ଠି ବିନିଯୋଗ ଆଦିକୁ ତୃତୀୟ ପକ୍ଷ ବିଶେଷଜ୍ଞ ସଂସ୍ଥା ଦ୍ୱାରା ଯାଞ୍ଚ କରାଇବା ପାଇଁ ମଧ୍ୟ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ତୃତୀୟ ପକ୍ଷ ଯାଞ୍ଚ ରିପୋର୍ଟ ଅନୁସାରେ ଆଗାମୀ ବର୍ଷ ମାନଙ୍କରେ ଯୋଜନାର କାର୍ଯ୍ୟାନ୍ଵୟନକୁ ଅଧିକ ଲକ୍ଷ୍ୟଭେଦି କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ବୈଠକ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରଦେଇ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶ୍ରୀମତି ଶାଳିନୀ ପଣ୍ଡିତ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ତାଲିକାଭୁକ୍ତ ହୋଇଛନ୍ତି। ସେମାନେ ଉଭୟ ଘରୋଇ ଏବଂ ସରକାରୀ ହସ୍‌ପିଟାଲ୍‌ରେ ମାଗଣା ଚିକିତ୍ସା ପାଉଛନ୍ତି। ରାଜ୍ୟ ଭିତରେ ବର୍ତ୍ତମାନ ପ୍ରାୟ ୨୦୦ ଘରୋଇ ହସ୍‌ପିଟାଲ୍‌ ଏବଂ ରାଜ୍ୟ ବାହାରେ ୨୦ଟି ବଡ଼ ବଡ଼ ‘ହସ୍‌ପିଟାଲ୍‌ ଚେନ୍‌’ର ସୁପର ସ୍ପେଶାଲିଟି ହସ୍‌ପିଟାଲ୍‌ ମାନଙ୍କୁ ତାଲିକାଭୁକ୍ତ କରାଯାଇଛି।

ଆଜି ବୈଠକର ସୀମାକ୍ଷାରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟ ବାହାରେ ଆହୁରି ଅଧିକ ସଂଖ୍ୟକ ହସ୍‌ପିଟାଲ୍‌ଙ୍କୁ ଏହି ବ୍ୟବସ୍ଥା ମଧ୍ୟକୁ ଅଣାଯିବ ବୋଲି ଶ୍ରୀମତି  ପଣ୍ଡିତ କହିଥିଲେ। ଏଥି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଆଶ୍ୱାସନା ସମିତି ତରଫରୁ ସଂପୃକ୍ତ ହସ୍‌ପିଟାଲ୍‌ ମାନଙ୍କ ସହ ଯୋଗାଯୋଗ କରାଯାଉଛି।

ଉନ୍ନୟନ କମିଶନର ଶ୍ରୀ ଅସୀତ୍‌ କୁମାର ତ୍ରିପାଠୀ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ପ୍ରମୋଦ ମେହେର୍ଦ୍ଦା, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ପଂଚାୟତି ରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗଙ୍କ ସମେତ ସଂପୃକ୍ତ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିିଥିଲେ।

ସମ୍ବନ୍ଧିତ ଖବର