ଭୁବନେଶ୍ବର: କିଣାଯିବ ଆହୁରି ୭୦ ଆମ୍ବୁଲାନ୍‌ସ। ଏଥିରେ ୩୦ଟି ଏଏଲ୍‌ଏସ୍‌(ଆଡଭାନ୍‌ସଡ ଲାଇଫ୍‌ ସର୍ପୋର୍ଟ) ଓ ୪୦ଟି ବିଏଲ୍‌ଏସ୍‌(ବେସିକ ଲାଇଫ ସପୋର୍ଟ) ଆମ୍ବୁଲାନ୍‌ସ ରହିଛି। ରାଜ୍ୟ ସରକାର ଏହି ଆମ୍ବୁଲାନ୍‌ସ କିଣିବା ପାଇଁ ଅନୁମୋଦନ ଦେଇଛନ୍ତି। ଏହି ଆମ୍ବୁଲାନ୍‌ସ ଗୁଡ଼ିକ ଜିଲ୍ଲା ଓ ମେଡିକାଲ କଲେଜ ଓ ହସ୍ପିଟାଲରେ ନିୟୋଜିତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୩୦ଟି ଏଏଲ୍‌ଏସ୍‌ ଆମ୍ବୁଲାନ୍‌ସକୁ ମହାନଦୀ କୋଲଫିଲଡ୍‌ ନିଜର କର୍ପୋରେଟ୍‌ ସାମାଜିକ ଦାୟିତ୍ବ(ସିଏସ୍‌ଆର) ପାଣ୍ଠିରୁ ଯୋଗାଇଦେବ। ସେହିପରି ୪୦ଟି ବିଏଲ୍‌ସ୍‌କୁ ରାଜ୍ୟ ସରକାର କିଣିବେ। ତେବେ ସମୁଦାୟ ୭୦ ଆମ୍ବୁଲାନ୍‌ସର ପରିଚାଳନା ଖର୍ଚ୍ଚ ରାଜ୍ୟ ସରକାର ଭରଣା କରିବେ। ବିଶେଷକରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ଯୋଜନାରେ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର, ଭିଆଇପି ଓ ଜେଲ୍‌ ଡ୍ୟୁଟି ଓ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଏସବୁ ଆମ୍ବୁଲାନ୍‌ସ ନିୟୋଜିତ ହେବ। ତେବେ ନୂତନ ୭୦ ଆମ୍ବୁଲାନ୍‌ସକୁ ୧୦୮ ଆମ୍ବୁଲାନ୍‌ସ ଜରିଆରେ ପରିଚାଳନା କରାଯିବ ନା ସ୍ବତନ୍ତ୍ର ଭାବେ ଚାଲିବ ତାହା ସ୍ପଷ୍ଟ ହୋଇନାହିଁ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଏବେ ୬୨୪ଟି ୧୦୮ ଆମ୍ବୁଲାନ୍‌ସ ଓ ୫୦୦ଟି ୧୦୨ ଆମ୍ବୁଲାନ୍‌ସ ଓ ୬ଟି ବୋଟ୍‌ ଆମ୍ବୁଲାନ୍‌ସ ପରିଚାଳିତ ହେଉଛି। ଏହାସହ ୫ହଜାର ଘରୋଇ ଆମ୍ବୁଲାନ୍‌ସ ମଧ୍ୟ ରାଜ୍ୟରେ କାର୍ଯ୍ୟ କରୁଛି।

Advertisment

ଅପରପକ୍ଷରେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇବା ଲାଗି ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଜାତୀୟ ରାଜପଥ କର୍ତ୍ତପକ୍ଷ(ଏନ୍‌ଏଚ୍‌ଏଆଇ)ଙ୍କ ଆମ୍ବୁଲାନ୍‌ସ ହେଲ୍‌ପ ଲାଇନ ନମ୍ବର ୧୦୩୩ ଓ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ୧୦୮ ଆମ୍ବୁଲାନ୍‌ସର ଜରୁରିକାଳୀନ ସହାୟତା ନିୟନ୍ତ୍ରଣ କକ୍ଷର ମିଶ୍ରଣ ହେବ। ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଲାଗି ହାରାହାରି ସମୟ ୨୫ ମିନିଟ୍‌ ଥିବା ବେଳେ ଏହାକୁ ଆହୁରି ହ୍ରାସ କରିବା ଲାଗି ଲକ୍ଷ୍ୟ ରହିଛି। ଏଥିପାଇଁ ରାଜ୍ୟ ସରକାର ଏହି ଉଚ୍ଚସ୍ତରୀୟ କମିଟିକୁ ପୁନର୍ଗଠିତ କରିଛନ୍ତି। ରାଜ୍ୟ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏହି କମିଟିରେ ଅର୍ଥ, ଗୃହ ବିଭାଗର ପ୍ରମୁଖ ସଚିବଙ୍କ ସମେତ ସ୍ବାସ୍ଥ୍ୟ ସଚିବ, ଅର୍ଥ ବିଭାଗ ନିର୍ଦେଶକ, ପରିବହନ କମିସନର, ସ୍ବାସ୍ଥ୍ୟସେବା ନିର୍ଦେଶକ ଓ ଡିଏମ୍‌ଇଟି ଏହାର ସଦସ୍ୟ ନିଯୁକ୍ତ ହୋଇଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିସନ, ଓଡ଼ିଶାର ନିର୍ଦେଶକ ଏହାର ଆବାହକ ରହିଛନ୍ତି। ଏହି କମିଟି ଇଣ୍ଟିଗ୍ରେଟେଡ୍‌ ପେସେଣ୍ଟ ଟ୍ରାନ୍ସପୋର୍ଟ ଏଣ୍ଡ ହେଲ୍‌ଥ ହେଲ୍‌ପଲାଇନ୍ ସର୍ଭିସ୍ (ଆଇପିଟିଏଚ୍‌ଏଚ୍‌ଏସ୍‌) ପରିଚାଳନା କରିବ।

ପୂର୍ବରୁ ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ସରକାର ୧୦୮ ଆମ୍ବୁଲାନ୍‌ସ ଓ ୧୦୩୩ ନମ୍ବରର ମିଶ୍ରଣ କରିସାରିଛନ୍ତି। ରାଜ୍ୟରେ ଏବେ ଯେତିକି ସଂଖ୍ୟକ ୧୦୮ ଆମ୍ବୁଲାନ୍‌ସ ପରିଚାଳିତ ହେଉଛି ତହିଁରୁ ୧୫ରୁ ଅଧିକ ଆମ୍ବୁଲାନ୍‌ସ ଜାତୀୟ ରାଜପଥରେ ରହିଛନ୍ତି। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିସ ଅନୁଯାୟୀ ଇତିମଧ୍ୟରେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଆମ୍ବୁଲାନ୍‌ସର ମ୍ୟାପିଂ ଶେଷ ହୋଇଛି। ସବୁ ଆମ୍ବୁଲାନ୍‌ସରେ ଜିପିଏସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। ତେଣୁ ଖୁବଶୀଘ୍ର ଗୋଟିଏ ନିୟନ୍ତ୍ରଣ କକ୍ଷରୁ ସବୁ ଆମ୍ବୁଲାନ୍‌ସ ପରିଚାଳିତ ହେବ। ସଡ଼କ ଦୁର୍ଘଟଣାରେ ଆହତଙ୍କ ପାଇଁ ପ୍ରଥମ ୪୮ ଘଣ୍ଟା ବା ଗୋଲ୍‌ଡେନ୍‌ ଆୱାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଆହତଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ଘରୋଇ ଡାକ୍ତରଖାନାରେ ମାଗଣା ଟ୍ରମା କେୟାର ଚିକିତ୍ସା ପ୍ରଦାନ କରୁଛନ୍ତି। ଏ ଦୃଷ୍ଟିରୁ ଆହତଙ୍କୁ ଦୁର୍ଘଟଣାର ୨ଘଣ୍ଟା ଭିତରେ ଡାକ୍ତରଖାନାରେ ପହଞ୍ଚାଇବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ତେଣୁ ଦୁର୍ଘଟଣାସ୍ଥଳରେ ଯଦି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଆମ୍ବୁଲାନ୍‌ସ ରହିଛି ତାହାଲେ ସଂପୃକ୍ତ ଆମ୍ବୁଲାନ୍‌ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ। ଏହି ଲକ୍ଷ୍ୟରେ ଆଇପିଟିଏଚ୍‌ଏଚ୍‌ଏସ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।