ଭୁବନେଶ୍ବର: ସ୍ବାଧୀନତାର ୭୭ ବର୍ଷ ପରେ ବି ସମଗ୍ର ଦେଶରେ ୭୦ ପ୍ରତିଶତ ନାଗରିକ ସାମାଜିକ ଓ ଆର୍ଥିକ ନ୍ୟାୟରୁ ବଞ୍ଚିତ ରହିଛନ୍ତି। ତେଣୁ ବାସ୍ତବରେ ସ୍ୱାଧୀନତା ସେମାନଙ୍କ ପାଇଁ ନିରର୍ଥକ ବୋଲି ସ୍ୱାଧୀନତା ସଂଗ୍ରାମୀ  ଲକ୍ଷ୍ମୀ ସେହାଗଲ୍, ମାଳତୀ ଚୌଧୁରୀ, ଅରୁଣା ଆସଫ୍ ଅଲ୍ଲୀ ଓ ପରିବେଶ ଆନ୍ଦୋଳନର ଭୀଷ୍ମ ପିତାମହ ବାଙ୍କବିହାରୀ ଦାସଙ୍କ ସ୍ମୃତିସଭାରେ ବକ୍ତାମାନେ କହିଛନ୍ତି। 
ଆଜି ପୂର୍ବାହ୍ନରେ ଲୋହିଆ ଏକାଡେମୀରେ ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ ସୂର୍ଯ୍ୟକାନ୍ତ ସେଠୀଙ୍କ ସଭାପତିତ୍ୱରେ  ‘ଧନୀ ଓଡ଼ିଶାର ଗରିବ ଓଡ଼ିଆ’ ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଆଲୋଚନାଚକ୍ରରେ  ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ପଚାଶ ଦଶକରେ ରାଜ୍ୟପାଳଙ୍କ ପତ୍ନୀ ଅରୁଣା ଆସଫ୍ ଅଲ୍ଲୀ ଗାଡିରୁ ଓହ୍ଲାଇ ପଡ଼ି ଛାତ୍ରମାନଙ୍କ ସହିତ ମିଶି ରାଜରାସ୍ତାରେ ୟେହ ଆଜାଦି ଝୁଟି ହେ, ଦେଶ କୀ ଜନତା ଭୁଖୀ ହେ ଦେଇଥିବା ନାରା ଆଜିବି ଦେଶବ୍ୟାପୀ ପ୍ରତିଧ୍ୱନିତ ହେଉଛି ବୋଲି ଶ୍ରୀ କହିଥିଲେ।

Advertisment

ସରକାରୀ ହିସାବରେ ଆଜିର ଦିନରେ ମଧ୍ୟ ଅଶୀକୋଟି ଲୋକ ଦେଶରେ ମାଗଣାଚାଉଳ ଉପରେ ନିର୍ଭରଶୀଳ । ଲୁଣ, ଲୁଗା, ଅଣ୍ଡା, ଆଳୁ, ତେଲ, ଚିନିରୁ ଆରମ୍ଭକରି ସବୁକିଛି ବାହାରୁ ଆସୁଥିବା ବେଳେ ଓଡ଼ିଶାରୁ ଖଣି, ପାଣି, ଜଙ୍ଗଲ ଓ ଚାଷଜମିକୁ ଶାଗମାଛ ଦରରେ ବିକ୍ରି ଚାଲିଛି। ହାତଗଣତି ରାଜନେତା ଓ ପ୍ରଶାସକଙ୍କ ସମ୍ପତ୍ତି ହଜାରହଜାର ଗୁଣ ବଢୁଥିବା ବେଳେ ଲୋକେ ଗରିବରୁ ଅଧିକ ଗରିବ ହେଉଛନ୍ତି। ସେମାନେ ଆର୍ଥିକ ଓ ସାମାଜିକ ନ୍ୟାୟରୁ ବଞ୍ଚିତ ବୋଲି ବକ୍ତାମାନେ କହିଥିଲେ। ତେଣୁ  ସଂଗ୍ରାମୀଙ୍କ ସ୍ବପ୍ନକୁ ସାର୍ଥକ କରିବାକୁ ଯୁବ ଛାତ୍ରମାନେ ନୂଆ ଢଙ୍ଗରେ ସାଲିସବିହୀନ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମାନ ବେହେରା, ଗାନ୍ଧିବାଦୀ ସ୍ତମ୍ଭକାର ପ୍ରହ୍ଲାଦ ସିଂହ, ପରିବେଶବିତ୍‌ ସୁଦର୍ଶନ ଦାସ, ବିଶ୍ୱଜିତ ମହାନ୍ତି, ଇନ୍‌ଟାକର ସମ୍ପାଦକ ଅନୀଲ ଧୀର, ବିଜୟ ପ୍ରଧାନ, ସାମ୍ବାଦିକ କେ ରବି, ଦେବୀପ୍ରସାଦ ପୃଷ୍ଟି, ତୁଳସୀ ରାମ ଜଗତ ପ୍ରମୁଖ ଭ୍ରଷ୍ଟାଚାର ବିଲୋପ ପାଇଁ ଆହ୍ୱାନ ଦେଇଥିଲେ। ମନସ୍ତୃତି ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରସନ୍ନ ସେଠୀ, ମନୋରଞ୍ଜନ ନାୟକ, ଦୀପକ ନାୟକ, ଜ୍ୟୋତି ପ୍ରକାଶ ସ୍ୱାଇଁ, ଶରତ ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚ‌ାଳନା କରିଥିଲେ। ଶେଷରେ ସୀମନ୍ତିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।