ଭୁବନେଶ୍ବର : ୨୦୧୫ ମସିହାର ଏକ ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ୪୮.୬୬ ଲକ୍ଷ କୃଷି ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧୪ଲକ୍ଷ ଚାଷୀ (ପାଖାପାଖି ୨୯%) କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ରେ ନିଜର ଉତ୍ପାଦିତ ଫସଲ ବିକ୍ରି କରିଥାନ୍ତି। ଏଥିରେ ସର୍ବାଧିକ ୧୨ଲକ୍ଷ ହେଉଛନ୍ତି ଧାନ ଚାଷୀ। ବାକି ୧ଲକ୍ଷ ୧୮ ହଜାର ୩୯୮ ବାଜରା ବିକ୍ରି କରିଥାନ୍ତି। ପାଖାପାଖି ୪୦ ହଜାର ହେଉଛନ୍ତି କଟନ ବା କପା ଚାଷୀ। ମାତ୍ର ୧୦ ହଜାର ଚାଷୀ ତୈଳବୀଜ ବା ଡାଲିଜାତୀୟ ଫସଲ ଉତ୍ପାଦନ କରି ମଣ୍ଡିରେ ବିକ୍ରି କରିଥାନ୍ତି। ଅର୍ଥାତ୍ ଏବେ ବି ରାଜ୍ୟରେ ୭୦%ରୁ ଅଧିକ ଚାଷୀ ମଣ୍ଡି ଦୁଆର ମାଡ଼ି ନାହାନ୍ତି।
ଏମାନଙ୍କ ମଧ୍ୟରେ ଅନେକ ହେଉଛନ୍ତି କ୍ଷୁଦ୍ର, ନାମମାତ୍ର ବା ଭାଗଚାଷୀ। ଏମାନଙ୍କୁ ଏପର୍ଯ୍ୟନ୍ତ ସରକାର ମଣ୍ଡି ଯାଏ ନେଇପାରିନାହାନ୍ତି। ଅନୁସନ୍ଧାନରୁ ଆହୁରି ଜଣାପଡିଛି ଯେ ମକା ଚାଷୀଙ୍କ ଭଳି ରାଜ୍ୟରେ ଏମିତି କିଛି ବଡ ଚାଷୀ ଅଛନ୍ତି, ଯାହାଙ୍କ ଉତ୍ପାଦିତ ଫସଲ ବିକ୍ରି ଲାଗି କେନ୍ଦ୍ର ସରକାର ମଣ୍ଡି କରିଛନ୍ତି ସତ, ହେଲେ ଏଯାଏ ରାଜ୍ୟ ସରକାର କ୍ରୟ ବ୍ୟବସ୍ଥା କରିନାହାନ୍ତି। ଏମାନଙ୍କ ପାଇଁ ମଣ୍ଡି ଖୋଲେ ନାହିଁ। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଘୋଷଣା କରୁଥିବା ବେଳେ ଏହି ଚିତ୍ର ପ୍ରମାଣିତ କରିଦେଉଛି ଯେ ଚାଷୀର ଆୟ ବଢ଼ିବ କ'ଣ ଓଲଟା ସରକାରୀ ଷଡ଼ଯନ୍ତ୍ର କାରଣରୁ ସେମାନେ ଅଭାବୀ ବିକ୍ରି ଜାଲରେ ପଡି ହନ୍ତସନ୍ତ ହେଉଛି। ମଣ୍ଡି ବାହାରେ ଥିବା ଏହି ଚାଷୀମାନଙ୍କ ସଂପର୍କରେ କେହି ସ୍ବର ଉଠାଉନାହାନ୍ତି କି ବିଧାନସଭା ବିତର୍କ ଭିତରେ ଏତେ ସଂଖ୍ୟକ ଚାଷୀଙ୍କ ସ୍ବାର୍ଥ ପ୍ରସଙ୍ଗଟି ପ୍ରାଥମିକତା ପାଉନାହିଁ। ଯେହେତୁ ଏମ୍ଏସ୍ପିକୁ ଆଇନଗତ ମାନ୍ୟତା ମିଳିନାହିଁ, ଏଣୁ ଚାଷୀକୁ ଦିନ ଦି'ପହରରେ ଅଭାବୀ ବିକ୍ରି ଭିତରକୁ ଠେଲି ଦେଉଥିବା ବ୍ୟବସାୟୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ନଜିର ମଧ୍ୟ ନାହିଁ। ଏ ପ୍ରସଙ୍ଗରେ ବି କେନ୍ଦ୍ର-ରାଜ୍ୟ ଏବଂ ଶାସକ-ବିରୋଧୀ ରାଜନୈତିକ ଦଳ ସମସ୍ତେ ନିରବ।
ଦେଶର ୨୩ଟି କୃଷିଜାତ ଦ୍ରବ୍ୟ ଉପରେ ଏମ୍ଏସ୍ପି ଘୋଷଣା କରିଥାଆନ୍ତି କେନ୍ଦ୍ର ସରକାର। ଓଡ଼ିଶା କଥା ଯଦି ବିଚାର କରିବା, ତେବେ ଏଥିମଧ୍ୟରୁ ରାଜ୍ୟ ଯୋଗାଣ ନିଗମ ଜରିଆରେ ଧାନ, ୬ଟି ଜିଲ୍ଲାରେ ନାଫେଡ୍ ପକ୍ଷରୁ ତୈଳବୀଜ, ଡାଲିଜାତୀୟ ଉତ୍ପାଦନ, ୧୫ଟି ଜିଲ୍ଲାରେ କୃଷି ବିଭାଗ ସହାୟତାରେ ଟିଡିସିସିଓଏଲ୍ ପକ୍ଷରୁ ମିଲେଟ, ୧୧ଟି ଜିଲ୍ଲା ପାଇଁ କପା ନିଗମ ପକ୍ଷରୁ କପା ସଂଗ୍ରହ କରିଥାନ୍ତି କେନ୍ଦ୍ର ସରକାର। ୨୦୨୧ ମସିହା ଖରିଫ ପରିସଂଖ୍ୟାନ କହୁଛି, ସେବର୍ଷ ରାଜ୍ୟରେ ୧୫ ଲକ୍ଷ ୪୩ ହଜାର ୩୭୫ ଜଣ ଚାଷୀ ଧାନ ବିକ୍ରି ପାଇଁ ସରକାରଙ୍କ ନିକଟରେ ପଞ୍ଜୀକରଣ କରିଥିଲେ। ସମସ୍ତଙ୍କ ଗୋଚରରେ ଚାଲିଥିବା କଟନିଛଟନି ଲୁଟ୍ କଥାକୁ ବାଦ୍ ଦିଆଯାଉ। ସରକାରଙ୍କ ଟୋକନଜନିତ ସମସ୍ୟା ଯୋଗୁଁ ୨ ଲକ୍ଷରୁ ଊର୍ଧ୍ବ ଚାଷୀ ପଞ୍ଜୀକୃତ ହୋଇ ମଧ୍ୟ ଧାନ ବିକ୍ରି କରିପାରିଲେ ନାହିଁ। ଏହି ଚାଷୀମାନଙ୍କୁ ଅଭାବୀ ବିକ୍ରି ମୁହଁକୁ ଠେଲିଦେଇ ରାଜ୍ୟ ସରକାର ନିରବ ବସିଗଲେ।
ମକା ଚାଷୀଙ୍କ ପାଇଁ ଏମ୍ଏସ୍ପି ଅଛି, ମଣ୍ଡି ଖୋଲୁନି
ଦଲାଲ କବ୍ଜାରେ କପା ମଣ୍ଡି, ବାଜରା ଚାଷୀ ବି ଶୋଷିତ
ସରକାର ନିୟମ କରିଛନ୍ତି ଯେ ଜମି ମାଲିକଙ୍କ ଅନୁମତିପତ୍ର ପାଇଥିବା ଭାଗଚାଷୀ ହିଁ ମଣ୍ଡିରେ ଧାନ ବିକ୍ରି କରିପାରିବେ। ରାଜ୍ୟରେ ଲକ୍ଷ ଲକ୍ଷ ହେକ୍ଟର ଜମି ଏବେ ଭାଗଚାଷୀ ହାତରେ ରହିଛି। ହେଲେ ରାଜ୍ୟରେ ଭାଗଚାଷ ବେଆଇନ ହୋଇଥିବା କାରଣରୁ କିଏ କାହିଁକି ତାଙ୍କ ଜମି ଭାଗରେ ହେଉଥିବା ସଂପର୍କରେ ହାତ କାଟି ଲେଖିଦେବ? ଅର୍ଥାତ୍ ଜମି ମାଲିକାନା ଚାଲିଯିବା ଭୟରେ ଚାଷୀକୁ ବିକ୍ରି ଅନୁମତି ନ ମିଳିବା ଏକ ସ୍ବାଭାବିକ କଥା। ଏପରିସ୍ଥଳେ ଭାଗଚାଷୀଙ୍କୁ ସରକାର ମଣ୍ଡି ଦୁଆରକୁ ଏକରକମ ବାରଣ କରିଦେଲେ। ଏହି ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଏମ୍ଏସ୍ପିଠାରୁ କମ୍ ମୂଲ୍ୟରେ ବିକିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ସରକାର ହିଁ ଦାୟୀ ବୋଲି କୁହାଯାଉଛି।
ରାଜ୍ୟ ସରକାର ବିଶ୍ବସ୍ତରୀୟ ଓଡ଼ିଶାର ପରିକଳ୍ପନା କରୁଛନ୍ତି। ହେଲେ ଏବେ ବି ଶହ ଶହ ଗାଁ ରହିଛି, ଯେଉଁଠି ରାସ୍ତା ଅତ୍ୟନ୍ତ ଦୁର୍ଗମ। ଗାଁ ଏବଂ ପଞ୍ଚାୟତରେ ମଣ୍ଡି ନାହିଁ। ଏଣୁ ପରିବହନ ସମସ୍ୟା ସେମାନଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ଭଳି। ଏହି କାରଣରୁ ରାଜ୍ୟରେ ହଜାର ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଖର୍ଚ୍ଚାନ୍ତ ହୋଇ ଦହଗଞ୍ଜ ପ୍ରକ୍ରିୟାରେ ମଣ୍ଡିକୁ ଆଣି କ୍ଷତି ସହିବା ଅପେକ୍ଷା ଏମ୍ଏସ୍ପିଠାରୁ ଯଥେଷ୍ଟ କମ୍ ଦରରେ ଦୁଆରେ ନିଜ ଗାଁରେ ବିକ୍ରି କରୁଛନ୍ତି। ଏ ମଧ୍ୟରେ କେବଳ ଯେ ଧାନ ଚାଷୀ ଅଛନ୍ତି ତା ନୁହେଁ, ତୈଳବୀଜ ଠାରୁ ଆରମ୍ଭକରି ମକା ପର୍ଯ୍ୟନ୍ତ ଚାଷୀ ମଧ୍ୟ ଅଛନ୍ତି। ମଣ୍ଡିରେ ଦିନ ଦିନ ଧରି ଧାନ ପଡ଼ିରହିବା, ବିଭିନ୍ନ ସମୟରେ ସାର, ବିହନ ଆଦି ପାଇଁ ଚାଷୀ ମହାଜନ ଠାରୁ ଋଣ ଆଣିବା ପ୍ରତିବଦଳରେ ସେହି ମହାଜନକୁ କମ ମୂଲ୍ୟରେ ଧାନ ବିକ୍ରି କରିବା ଉଦାହରଣ ଉପକୂଳଠାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ରହିଛି।
ଅନ୍ୟପକ୍ଷରେ ନାଫେଡ୍ ପକ୍ଷରୁ ପୁରୀ, ଜଗତସିଂହପୁର, ଖୋର୍ଧା, ଦେବଗଡ଼, ମାଲକାନଗିରି, ଭଦ୍ରକରେ ଡାଲିଜାତୀୟ ଏବଂ ତୈଳବୀଜ ଜାତୀୟ ଉତ୍ପାଦନ ସଂଗ୍ରହ କରାଯାଏ। ଏହି ସଂଗ୍ରହର ଅବଧି ୯୦ ଦିନ ରଖାଯାଇଛି। ରାଜ୍ୟରେ ଲକ୍ଷାଧିକ ଚାଷୀ ଡାଲି ଜାତୀୟ ଫସଲ କରନ୍ତି। ହେଲେ ନାଫେଡ୍ର ସୂଚନାନୁସାରେ, ପ୍ରତିବର୍ଷ ହାରାହାରି ୧୦ ହଜାର ଚାଷୀ ଡାଲିଜାତୀୟ ଉତ୍ପାଦନ ବିକ୍ରି କରନ୍ତି। କିନ୍ତୁ ଚଳିତ ବର୍ଷ କେବଳ ୪ ହଜାର ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିରେ ପୁଣି ଏସବୁ ଫସଲ ଉତ୍ପାଦିତ ସବୁ ଜିଲ୍ଲାରେ ମଣ୍ଡି ଖୋଲେନାହିଁ।
ଗତବର୍ଷ ରାଜ୍ୟରେ ୧୫ଟି ଜିଲ୍ଲାର ୮୫ଟି ବ୍ଲକରେ ବାଜରା ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ଜିଲ୍ଲା ସଂଖ୍ୟା ବୃଦ୍ଧି କରାଯାଇଛି। ବାଜରାକୁ ସରକାରଙ୍କ ଗୁରୁତ୍ବ ସତ୍ତ୍ବେ ଠିକ ସମୟରେ ମଣ୍ଡି ନଖୋଲିବା, ଅନେକ ଦିନ ଧରି ମଣ୍ଡିରେ ବାଜରା ପଡ଼ି ରହୁଥିବାରୁ ଏସବୁ ଏବେ ବ୍ୟବସାୟୀଙ୍କ କବ୍ଜାକୁ ଚାଲି ଆସିଛି। କିଛି ବର୍ଷ ପୂର୍ବରୁ ପ୍ରାପ୍ୟ ନେଇ କୋରାପୁଟର ବାଜରା ଚାଷୀ ଆନ୍ଦୋଳନ କରିବା ନଜିର ରହିଛି। ସେହିଭଳି ଗତବର୍ଷ ରାଜ୍ୟର ୧୧ଟି ଜିଲ୍ଲାରେ ୧୯୩.୧୧ ହଜାର ହେକ୍ଟରରେ କପା ଚାଷ ହୋଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତବର୍ଷ ପ୍ରଥମ କରି ଏମ୍ଏସ୍ପି ଠାରୁ ଅଧିକ ଦରରେ ଚାଷୀ କପା ବିକ୍ରୟ କରିଥିଲା। ହେଲେ ପ୍ରତିବର୍ଷ ଏମ୍ଏସ୍ପି ପାଇଁ ଏହି ଚାଷୀ ସଂଘର୍ଷ କରିଥାଆନ୍ତି। ଏପରିକି ମଣ୍ଡିରେ ମଧ୍ୟ ଉପଯୁକ୍ତ ସମୟରେ ପ୍ରାପ୍ୟ ପାଇବା ନେଇ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି।
ଚାଷୀମାନଙ୍କର କହିବା କଥା ହେଉଛି, କପା ପାଇଁ ମାତ୍ରାଧିକ ଖର୍ଚ୍ଚ ହୋଇଥାଏ। ଏହା ବହନ କରିବା ପାଇଁ ଚାଷୀମାନେ ସମର୍ଥ ନୁହଁନ୍ତି। ଏଣୁ ସ୍ଥାନୀୟ ବ୍ୟବସାୟୀ ବା ମହାଜନଙ୍କ ସହାୟତା ନେବା ଗୋଟିଏ ସ୍ବାଭାବିକ ପ୍ରକ୍ରିୟା। ଏହା ହିଁ ଏ କ୍ଷେତ୍ରରେ ଦଲାଲିରାଜକୁ ପ୍ରୋତ୍ସାହିତ କରୁଛି। ମକା ଚାଷ ସ୍ଥିତି ଆହୁରି ସାଂଘାତିକ। ରାଜ୍ୟରେ ୨.୫୨ ଲକ୍ଷ ହେକ୍ଟର ମକା ଚାଷ ହୋଇଥାଏ। ଏଥିରୁ କେବଳ ନବରଙ୍ଗପୁରରେ ୧.୫ ଲକ୍ଷ ଚାଷୀ ଅଛନ୍ତି। ମକା ପାଇଁ ଏମ୍ଏସ୍ପି ଘୋଷିତ ହୋଇଥିଲେ ମଧ୍ୟ ଏହାର କୌଣସି ମଣ୍ଡି ବ୍ୟବସ୍ଥା ନାହିଁ। ଏଣୁ ପ୍ରତିବର୍ଷ ଖୋଲା ବଜାରରେ ଅତି ଅଳ୍ପ ମୂଲ୍ୟରେ ମକା ବିକ୍ରି ହୁଏ। ଚାଷୀ ଶୋଷଣ କରୁଥିବା ବ୍ୟବସାୟୀ କିମ୍ବା ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ। ଝୋଟ, ଆଖୁ ଚାଷ ସ୍ଥିତି ଆହୁରି ସଙ୍ଗିନ୍।
ଗୋଟିଏ ପଟେ କୃଷି ବିଭାଗ ଚାଷୀଙ୍କ ଉତ୍ପାଦନ ଓ ରୋଜଗାର ବୃଦ୍ଧି କଥା କହୁଥିବା ବେଳେ ଅନ୍ୟପଟେ ଖାଦ୍ୟ ଯୋଗାଣ ବିଭାଗ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଅଭାବୀ ବିକ୍ରି ମୁହଁକୁ ଠେଲିଦେଉଥିବା କାରଣରୁ ଚାଷୀର ଆୟ ବଢ଼ିବ କେମିତି? ଯେବେ ସରକାରଙ୍କ କୃଷି ସହିତ ସଂପର୍କିତ ଦୁଇଟି ବିଭାଗ ମଧ୍ୟରେ ସମନ୍ବୟ ନାହିଁ, ସେବେ ତୃଣମୂଳସ୍ତରରେ ସ୍ଥିତି କଣ ହେଉଥିବ, ତାହା ସହଜରେ ଅନୁମେୟ।