୭୦% ଚାଷ ଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇଛି

ଭୁବନେଶ୍ବର : ୨୦୨୦ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବିଭିନ୍ନ ଉତ୍ସଗୁଡ଼ିକ ଦ୍ବାରା ପ୍ରାୟ ୪୩.୦୭ ଲକ୍ଷ ହେକ୍ଟର ଚାଷ ଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇଛି। ଏହା ମୋଟ୍‌ ଚାଷ ଜମିର ୬୯.୭୦ ପ୍ରତିଶତ ଅଟେ। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସୃଷ୍ଟି କରାଯାଇଥିବା ସେଚ ସାମର୍ଥ୍ୟ ମଧ୍ୟରୁ ଚଳିତ ବର୍ଷ ଖରିଫରେ ପ୍ରାୟ ୨୬ ଲକ୍ଷ ୯୪ ହଜାର ହେକ୍ଟର ଚ‌ାଷ ଜମି ଜଳସେଚିତ ହୋଇଛି, ଯାହା କି ମୋଟ୍‌ ଫସଲ ହେଉଥିବା ଜମି(୫୩.୪୫ ଲକ୍ଷ ହେକ୍ଟର)ର ପ୍ରାୟ ୫୦.୪୦%। ଜାତୀୟ ସ୍ତରରେ ଏହି ହାର ହେଉଛି ୪୭%। ସୃଷ୍ଟି ହୋଇଥିବା ସେଚ ସାମର୍ଥ୍ୟର ସୁବିନିଯୋଗ କରାଗଲେ ଏହା ଜାତୀୟ ହାର ଠାରୁ ଆହୁରି ଅଧିକ ହେବ। ଜଳସେଚନର ବିକାଶ ପାଇଁ ଅନେକ ଦୀର୍ଘ ମିଆଦି ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେଗୁଡ଼ିକ ହେଲା ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ, ବିଜୁ କୃଷକ ବିକାଶ ଯୋଜନା, ଗଭୀର ନଳକୂପ, ସେଚ କାର୍ଯ୍ୟକ୍ରମ, ଜଳ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା।

ଜଳସେଚନ କ୍ଷମତା ବୃଦ୍ଧି ପାଇଁ କେନ୍ଦ୍ରୀୟ ସହାୟତା ସମ୍ପର୍କିତ ଶ୍ରୀ ପଟ୍ଟନାୟକଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟରେ ଜଳସେଚନ ଅଭିବୃଦ୍ଧି ନିମନ୍ତେ ଜଳସମ୍ପଦ ବିଭାଗକୁ ଗତ ୫ ବର୍ଷରେ (୨୦୧୫-୧୬ ରୁ ୨୦୧୯-୨୦) ମଧ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରୁ ୧୫୮୨.୫୦ କୋଟି ଟଙ୍କାର ଅନୁଦାନ ମିଳିଛି। ତାହା ମଧ୍ୟରୁ ୧୫୭୮.୨୧ କୋଟି ଟଙ୍କା ବିନିଯୋଗ କରାଯାଇ ବିନିଯୋଗ ପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜଳସମ୍ପଦ ବିଭାଗକୁ ୨୦୧୬-୧୭ ଆର୍ଥିକ ବର୍ଷରୁ ଆର୍ଥିକ ସହାୟତା ମିଳୁଛି। ୨୦୨୧ ମସିହା ଜାନୁଆରି ‌ଶେଷ ସୁଦ୍ଧା ଏହି ଯୋଜନାରେ ୧୩୫୨.୧୨ କୋଟି ଟଙ୍କାର ସହାୟତା ମିଳିଛି।

ସମ୍ବନ୍ଧିତ ଖବର