ହୋମ୍ ଆଇସୋଲେସନ୍‌ରେ ୭୦% କରୋନା ରୋଗୀ

ହୋମ୍‌ ଆଇସୋଲେସନ୍‌ ରୋଗୀ ପ୍ରଚୁର ପାଣି ପିଇବା ଦରକାର
ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ବିଶେଷଜ୍ଞମାନେ ଦେବେ ‌ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୭୦ପ୍ରତିଶତ କରୋନା ରୋଗୀ ହୋମ୍‌ ଆଇସୋଲେସନ୍‌ ବା ଗୃହ ଏକାନ୍ତବାସରେ ରହିଛନ୍ତି। କେବଳ ସାଧାରଣ ରୋଗୀ ନୁହନ୍ତି, ରାଜ୍ୟର ଅନେକ ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନେ ମଧ୍ୟ ହୋମ ଆଇସୋଲେସନ୍‌ରେ ରହୁଛନ୍ତି। ହୋମ ଆଇସୋଲେସନ୍‌ରେ ରହି ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ନିର୍ଦେଶିକା ଶାଳିନୀ ପଣ୍ଡିତ। ଶ୍ରୀମତୀ ପଣ୍ଡିତ କହିଥିଲେ ଯେ ୯ ମାସ ତଳେ ଚୀନ୍‌ର ଉହାନ ସହରରୁ କରୋନା ଭୂତାଣୁ ବିଶ୍ୱର ଚାରିଆଡ଼କୁ ବ୍ୟାପିଥିଲା। ଓଡ଼ିଶାରେ ମାର୍ଚ ୧୫ରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ମାତ୍ର ସେ ସମୟରେ କରୋନା ଭୂତାଣୁ ସଂପର୍କରେ ଆଜି ଭଳି ଏତେ ସୂଚନା ନ ଥିଲା। ଆରମ୍ଭରୁ ସବୁ ରୋଗୀଙ୍କୁ ହସ୍ପିଟାଲକୁ ନେବାକୁ ପଡ଼ୁଥିଲା। ମାତ୍ର ଏବେ ସବୁ କୋଭିଡ୍‌ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଲକ୍ଷଣ ନ ଥିବା କିମ୍ବା ସ୍ବଳ୍ପ ଲକ୍ଷଣ ଥିବା ରୋଗୀମାନେ ହୋମ ଆଇସୋଲେସନରେ ରହିବାରେ କୌଣସି ସମସ୍ୟା ନାହିଁ। ଓଡ଼ିଶାରେ କରୋନା ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି। ଦୈନିକ ୫୦ହଜାର ନମୁନା ପରୀକ୍ଷା ହେଉଥିବା ବେ‌ଳେ ପଜିଟିଭ୍‌ ହାର କମ୍ ରହିଛି। ଏପରିକି କରୋନା ରୋଗୀଙ୍କ ସୁସ୍ଥ ହାର ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି। ରାଜ୍ୟରେ କୋଭିଡ ମୃତ୍ୟୁ ହାର ଜାତୀୟ ହାର ତୁଳନାରେ କମ। ତେବେ ହୋମ୍ ଆଇସୋଲେସନ୍‌ ସଂପର୍କରେ ଆସନ୍ତା ୧ ସପ୍ତାହ ପର୍ଯ୍ୟନ୍ତ ବିଶେଷଜ୍ଞମାନେ ଲୋକମା‌ନଙ୍କୁ ସଚେତନ କରାଇବେ। ଏହି ସମୟରେ ଫୋନ୍ କରି ଲୋକମାନେ ନିଜ ସମସ୍ୟା ସଂପର୍କରେ ପଚାରି ପାରିବେ ବୋଲି ଶ୍ରୀମତୀ ପଣ୍ଡିତ ସୂଚନା ଦେଇଥିଲେ।

ଡା. ଅମରେନ୍ଦ୍ର ନାଥ ମହାନ୍ତି କହିଥିଲେ, ଲକ୍ଷଣ ନ ଥିବା ଏବଂ କମ୍‌ ଲକ୍ଷଣ ଥିବା ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ। ହୋମ ଆଇସୋଲେସନ୍‌ରେ ଥିବା ବେଳେ ନୂତନ ଲକ୍ଷଣ ଦେଖିଲେ ପ୍ରଶାସନକୁ ଜଣାଇବେ। ହୋମ୍‌ ଆଇସୋଲେସନ୍‌ରେ ଥିବା ରୋଗୀଙ୍କୁ ମାଗଣାରେ କିଟ୍‌ ଦିଆଯାଉଛି। ଏଥିରେ ଔଷଧ, ସୂଚନା ପୁସ୍ତିକା ଓ ଫୋନ ନମ୍ବର ଦିଆଯାଇଛି। ଘରେ ରହିଲେ ରୋଗୀ ପରିବାର ଲୋକଙ୍କଠାରୁ ଭଲ ସେବା ମିଳିପାରିବ। ତେବେ ଘରେ ଏକ ସ୍ୱତନ୍ତ୍ର କୋଠରି, ଏକ ଶୌଚାଳୟ ଓ ସେବା କରିବା ପାଇଁ ଜଣେ ଲୋକ ଥିଲେ ହୋମ ଆଇସୋଲେନ୍‌ରେ ରହିପାରି‌ବେ। ଏହାସହ ପ୍ରତ୍ୟେକ ଦିନ ବାହାରୁଥିବା କରୋନା ବର୍ଜ୍ୟକୁ ଏକ କାଗଜଥଳିରେ ରଖିଦେଲେ ୩ଦିନ ପରେ ଏହାକୁ ଅନ୍ୟ ସାଧାରଣ ବର୍ଜ୍ୟ ଭାବେ ନଷ୍ଟ କରାଯାଇ ପାରିବ। ୧୦ଦିନ ଗୃହ ଏକାନ୍ତବାସ ଓ ୭ଦିନ ଗୃହ ସଙ୍ଗରୋଧରେ ରହିବା ପରେ ଜଣେ ସଂକ୍ରମଣରୁ ମୁକ୍ତ ହୋଇଥାଏ ବୋଲି ଡା. ମହାନ୍ତି ସୂଚନା ଦେଇଛନ୍ତି।

ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଲେ, ବର୍ତ୍ତମାନ କୋଭିଡ୍‌ ଚିକିତ୍ସାର ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ପ୍ରାଥମିକ ଅବସ୍ଥାରେ ରୋଗ ଚିହ୍ନଟ ହେବା। ଲକ୍ଷଣ ଦେଖାଗଲେ, କୋଭିଡ୍ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବା ଓ ସାବଧାନ ହେଲେ ରୋଗରୁ ବର୍ତ୍ତି ହେବ। କାଶ, ଛିଙ୍କ କିମ୍ବା ପଜିଟିଭ ସଂସ୍ପର୍ଶରେ ଆସିଲେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି। ଚିହ୍ନଟ ୮୦ ପ୍ରତିଶତ ରୋଗୀ ଲକ୍ଷଣହୀନ। କୋଭିଡ୍ ରୋଗୀଙ୍କୁ ହସ୍ପିଟାଲରେ ରହିବା ଦ୍ୱାରା ଅନ୍ୟମନସ୍କ ଅନୁଭବ ହେଉଛି, ମାନସିକ ଅସ୍ଥିରତା ଲାଗି ରହୁଛି। ତେଣୁ ଏହି ପରିପ୍ରେକ୍ଷୀରେ ହୋମ ଆଇସୋଲେସନ୍‌ରେ ରହିଲେ ରୋଗୀ ଆରାମ ଅନୁଭବ କରିବେ ଏବଂ ସେମାନଙ୍କର ମନୋବଳ ବଢ଼ିବ। ଏଥିସହ ଆକ୍ରାନ୍ତଙ୍କୁ ପରିବାରଲୋକଙ୍କଠାରୁ ଉପଯୁକ୍ତ ସେବା ମିଳିପାରିବ। ହୋମ୍‌ ଆଇସୋଲେସନ୍‌ରେ ଥିବା ସମୟରେ ଆକ୍ରାନ୍ତ ପ୍ରଚୁର ପାଣି ପିଇବାର ଆବଶ୍ୟକତା ରହିଛି। ଲୋକମାନେ ସଚେତନ ହେଲେ କରୋନା ହାରିବ ବୋଲି ଡା. ମହାନ୍ତି କହିଥିଲେ।

ସମ୍ବନ୍ଧିତ ଖବର