୭୦% ସିଲାବସ୍‌ରେ ଯୁକ୍ତ୨ ପାଠପଢ଼ା: ପରୀକ୍ଷା ପଦ୍ଧତି ବଦଳାଇବାକୁ ପ୍ରସ୍ତାବ

ବର୍ଷକୁ ୩ଟି ଇଣ୍ଟରନାଲ ପରୀକ୍ଷା କରିବ କଲେଜ, ଚୂଡ଼ାନ୍ତ ପରୀକ୍ଷା ଯୁକ୍ତ୨ ପରିଷଦ ପରିଚାଳନା କରିବ

ଭୁବନେଶ୍ୱର: ଗତବର୍ଷ ପରି ଏଥର ମଧ୍ୟ ଯୁକ୍ତ୨ ପାଠ୍ୟଖସଡ଼ା ବା ସିଲାବସ୍‌ ହ୍ରାସ ପାଇବ। କରୋନା ସଂକ୍ରମଣ ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷରେ ଯୁକ୍ତ୨ ପିଲାଙ୍କ ପାଠପଢ଼ା ବିଳମ୍ବିତ ହୋଇଥିବାରୁ ୭୦% ସିଲାବସ୍‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଏକାଡେମିକ୍‌ କାଉନସିଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ପରିଷଦ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଆଜି ପ୍ରସ୍ତାବ ପଠାଯାଇଛି; ଅନୁମତି ମିଳିବା ପରେ ତାହାକୁ ଲାଗୁ କରାଯିବ।

ଅନ୍ୟପକ୍ଷରେ କରୋନା ଭଳି ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦେବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା‌ ପରିଷଦ(ସିଏଚ୍‌ଏସ୍‌ଇ) କର୍ତୃପକ୍ଷ ରୂପରେଖ ପ୍ରସ୍ତୁତ କରିଛନ୍ତି। ନିଷ୍ପତ୍ତି ଅନୁସାରେ ଯୁକ୍ତ୨ ପ୍ରଥମ ଓ ଦ୍ୱିତୀୟ ବର୍ଷରେ ୩ଟି ଲେଖାଏଁ ଇଣ୍ଟରନାଲ ଆସେସ୍‌ମେଣ୍ଟ ପରୀକ୍ଷା କରାଯିବ। ପ୍ରତି କ୍ୱାର୍ଟରରେ ଥିଓରି ବିଷୟରେ ୨୦ ମାର୍କ ଲେଖାଏଁ ଏବଂ ପ୍ରାକ୍ଟିକାଲ ବିଷୟରେ ୩୦ ମାର୍କର ପରୀକ୍ଷା ହେବ। ୩୦ ନମ୍ବରରେ ୨୦ ମାର୍କ ଥିଓରି ଓ ୧୦ ମାର୍କ ପ୍ରାକ୍ଟିକାଲ୍‌ ରହିବ। ଯୁକ୍ତ୨ ପ୍ରଥମ ବର୍ଷ ଶେଷ ଓ ଦ୍ବିତୀୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା କରାଯିବ। ମହାମାରୀ ସ୍ଥିତି ଯୋଗୁଁ ଯଦି ବାର୍ଷିକ ପରୀକ୍ଷା ହୋଇ ନପାରେ ତେବେ ଇଣ୍ଟରନାଲ ପରୀକ୍ଷା ମାର୍କ ଆଧାରରେ ରେଜଲ୍ଟ ପ୍ରକାଶ ପାଇବ।
ଯୁକ୍ତ୨ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରଥମ ତ୍ରୈମାସିକ ତଥା ଆସେସ୍‌ମେଣ୍ଟ ପରୀକ୍ଷା ସେପ୍ଟେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ କରାଯିବ।

ଦ୍ବିତୀୟ ଆସେସ୍‌ମେଣ୍ଟ ନଭେମ୍ବର ଦ୍ବିତୀୟ/ତୃତୀୟ, ତୃତୀୟ ଆସେସ୍‌ମେଣ୍ଟ ପରୀକ୍ଷା ଜାନୁଆରି ଦ୍ବିତୀୟ/ତୃତୀୟ ସପ୍ତାହରେ ହେବ। କଲେଜ କର୍ତୃପକ୍ଷ ଏହି ସମସ୍ତ ପରୀକ୍ଷା ପରିଚାଳନା କରିବେ। ଯୁକ୍ତ୨ ଶେଷ ତଥା ଚୂଡ଼ାନ୍ତ ପରୀକ୍ଷା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବ। କିନ୍ତୁ କେବେ ପରୀକ୍ଷା ହେବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସେହିପରି ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରଥମ ଆସେସ୍‌ମେଣ୍ଟ ପରୀକ୍ଷା ଅକ୍ଟୋବର ୪ର୍ଥ ସପ୍ତାହ, ଦ୍ବିତୀୟ ଆସେସ୍‌ମେଣ୍ଟ ଡିସେମ୍ବର ପ୍ରଥମ/ଦ୍ବିତୀୟ ସପ୍ତାହ, ‌ତୃତୀୟ ଆସେସ୍‌ମେଣ୍ଟ ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ କରାଯିବ। ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ଏପ୍ରିଲ ପ୍ରଥମ ସପ୍ତାହରେ କରାଯିବ। ପ୍ରଥମ ଇଣ୍ଟରନାଲ ଆସେସ୍‌ମେଣ୍ଟରେ ପଡ଼ିଥିବା ପ୍ରଶ୍ନ ଦ୍ବିତୀୟ ଇଣ୍ଟରନାଲ୍‌ରେ ପଡ଼ିବ ନାହିଁ। ଦ୍ବିତୀୟ ଇଣ୍ଟରନାଲରେ ପଡ଼ିଥିବା ପ୍ରଶ୍ନ ତୃତୀୟରେ ପଡିବ ନାହିଁ। ଏହାଦ୍ବାରା ପିଲାଙ୍କ ବୋଝ କମ୍‌ ହେବ।

ସମ୍ବନ୍ଧିତ ଖବର