ବ୍ରହ୍ମପୁର: ଗଞ୍ଜାମ ପୁଲିସ ଜିଲ୍ଲାରେ ୨୦୧୯ରୁ ୨୦୨୨, ଏହି ୪ ବର୍ଷ ମଧ୍ୟରେ ଏଭଳି ୭୦ଜଣ ଅଧିକାରୀ ଓ ପୁଲିସ କର୍ମଚାରୀ ଖାକି ପୋଷାକରେ କଳାଦାଗ ଲାଗିଛି । ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ଫଳରେ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ପୁଲିସର ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲାଗିଛି। ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ଓ ଆଚରଣ ପ୍ରତି ଅଙ୍ଗୁଳି ନି‌ର୍ଦ୍ଦେଶ କରୁଛି।

Advertisment

ଲୋକଙ୍କ ଧନ, ଜୀବନ ସୁରକ୍ଷା ପାଇଁ ରହିଛି ପୁଲିସ ବିଭାଗ। ପୁଲିସ ବିଭାଗକୁ ଶୃଙ୍ଖଳିତ ରଖିବା ପାଇଁ ରାଜ୍ୟ ଗୃହ ବିଭାଗ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୁଲିସ ବିଭାଗରେ ସ୍ବଚ୍ଛତା ଓ ସଂସ୍କାର ଆଣିବାପାଇଁ ନାନା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଜନସାଧାରଣ କିପରି ଏହି ବିଭାଗରୁ ଆବଶ୍ୟକ ସେବା ପାଇବେ, ସେଥିପ୍ରତି ଧ୍ୟାନ ଦିଆଯାଉଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପୁଲିସ ବିଭାଗକୁ ରାଜ୍ୟ ସରକାର ୫-ଟିରେ ସାମିଲ୍‌ କରିବା ପରେ ବିଶୃଙ୍ଖଳିତ ଆଚରଣ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଉଚ୍ଚପଦସ୍ଥ ଅଧିକାରୀମାନେ ବାରମ୍ବାର ସଚେତନ କରାଇ ଆସୁଛନ୍ତି। ଏହାସତ୍ତ୍ବେ ବି କିଛି ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ପୂରା ବିଭାଗ ଏବେ ଅପଦସ୍ଥ ହେଉଛି। ଗଞ୍ଜାମ ପୁଲିସ ଜିଲ୍ଲାର ମୋଟ ୭୦ଜଣ ଅଧିକାରୀ ଓ କର୍ମଚାରୀ ବିଭିନ୍ନପ୍ରକାର ବିଶୃଙ୍ଖଳିତ ଆଚରଣ ଓ ବେଆଇନ କାର୍ଯ୍ୟରେ ଲିପ୍ତହୋଇ ଦଣ୍ଡିତ ହେବା ଏହାର ଏକ ଜ୍ବଳନ୍ତ ଉଦାହରଣ। ଏହି ତାଲିକାରେ ଦୁଇଜଣ ଇନ୍‌ସ୍ପେକ୍ଟର୍‌ ଓ ୮ଜଣ ଏସ୍‌ଆଇ ପାହ୍ୟା ଅଧିକାରୀ ରହିଛନ୍ତି।

ସୂଚନା ଅନୁସାରେ, ୨୦୧୯ରୁ ଚଳିତ ୨୦୨୨ ନଭେମ୍ବର ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ୧୪ଜଣ ଏଏସ୍ଆଇ, ୭ଜଣ ହାବିଲଦାର, ୩୨ଜଣ କନେଷ୍ଟବଳ, ୧୨ଜଣ ଓଏପିଏଫ୍‌ ଯବାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି। ଦୋଷୀ ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ବ୍ଲାକ୍‌ମାର୍କ, ସେନ୍‌ସ୍ୟୁରଡ୍‌ ଇନ୍‌ ଏସ୍‌ବି, ୱାର୍ନଡ୍‌ ଇନ୍‌ ଏସ୍‌ବି ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯାହାକି ସେମାନଙ୍କର ସେବା ପୁସ୍ତିକାରେ ଉଲ୍ଲେଖ ରହିଥାଏ। ବିନା କାରଣରେ ଡ୍ୟୁଟିରେ ଅନୁପସ୍ଥିତ ରହିବା, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ ନକରିବା, ଦାୟିତ୍ବ ସମ୍ପାଦନରେ ଅବହେଳା କରିବା କିମ୍ବା ନିଲମ୍ବନ ହେଲେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।

ଗଞ୍ଜାମ ପୁଲିସ ଜିଲ୍ଲାରେ ଗତ ୨୦୧୯ରେ ୨୦ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି, ୨୦୨୦ରେ ୨୪ଜଣ ଓ ୨୦୨୧ରେ ୨୨ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୨୦୨୨ ସେପ୍ଟେମ୍ବର ୧୬ତାରିଖ ସୁଦ୍ଧା ୪ଜଣଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।