ଭୁବନେଶ୍ବର: ଆଜି ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ। ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ମୋଟାମୋଟି ୭୦ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କୌଣସି ବଡ଼ ଧରଣର ବିଶୃଙ୍ଖଳା ବିନା ମତଦାନ ସମାପ୍ତ ହୋଇଛି। ଏଥରକ ପ୍ରଥମ ଥର ଲାଗି ମାଲକାନଗିରିର ମାଓ ଅଧ୍ୟୁଷିତ ସ୍ୱାଭିମାନ ଅଞ୍ଚଳରେ ମଧ୍ୟ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି ମତଦାନ ।  ତେବେ କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ମତଦାନ ବାଧାପ୍ରାପ୍ତ ହୋଇଛି । ଏ ସଂକ୍ର‌ାନ୍ତରେ ସଂପୃକ୍ତ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ଆସିବା ପରେ ତାହାକୁ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ । ତେବେ ପୁଲିସ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସୁରୁଖୁରରେ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି ।

Advertisment

ନବରଙ୍ଗପୁରରେ ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ କାର୍ଯ୍ୟରତ ଥିବା  ପୁଲିସ କର୍ମଚାରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ହେତୁ ସମବେଦନା ପ୍ରକାଶ କରିଛନ୍ତି କମିଶନ। ଏଥିସହ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସମବେଦନାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହୋଇଛି । ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ  ମତଦାନ ହୋଇଛି । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ୧୩ ହଜାର ୫୧୪ ବୁଥ ମଧ୍ୟରୁ  ୨୦୨୭ଟି ବୁଥ ସମ୍ବେଦନଶୀଳଥିଲା । ଆସନ୍ତା  ୨୬ ତାରିଖରୁ ସବୁ ବ୍ଲକରେ ଭୋଟ୍ ଗଣତି ଆରମ୍ଭ ହେବ। ଗଣତି ପ୍ରକ୍ରିୟା ତିନି ଦିନ ଧରି ଚାଲିବ ବୋଲି କମିଶନଙ୍କ ପକ୍ଷରୁ ସ୍ଥିରୀକୃ ହୋଇଛି।