ଅନୁଗୁଳ : ‘ଅନୁଭୂତି ଜଣେ ବଡ଼ ଶିକ୍ଷକ। ସମସ୍ୟା ଯେତେ କଠିନ ହେଲେ ବି ତାହା ଦୂର କରିବା ପାଇଁ ଅନୁଭୂତି ଦିଏ ପ୍ରେରଣା।’ ଏହି କଥାର ସତ୍ୟତାକୁ ନିଜ ଜୀବନରେ ପ୍ରତିପାଦିତ କରିଛନ୍ତି ଅନୁଗୁଳ ବ୍ଲକ୍ର ଏକ ଜଙ୍ଗଲ ଘେରା ଗାଁର ଯୁବତୀ ଝୁନତା ପ୍ରଧାନ। ତାଙ୍କ ପରିବେଶ, ପରିସ୍ଥିତି ଅନୁକୂଳ ନଥିଲା। ନିଜର ମଧ୍ୟ ନ ଥିଲା ଉଚ୍ଚଶିକ୍ଷା। ଏହା ସତ୍ତ୍ବେ ନିଜର ପରିଶ୍ରମ ଓ ଅନ୍ୟକୁ ସ୍ବାବଲମ୍ବୀ କରିବାର ଆଗ୍ରହ ନିଜ ଅଞ୍ଚଳରେ ତାଙ୍କର ନିଆରା ପରିଚୟ ତିଆରି କରିଛି। ଏକଦା ସାଇକଲ୍ରେ ବୁଲି ଚଣା, ବୁଟ ବିକ୍ରି କରୁଥିବା ଝୁନତା ପାଖାପାଖି ୭୦ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିବା ସହ ସଦସ୍ୟାମାନଙ୍କୁ ସାକ୍ଷର କରାଇଛନ୍ତି।
ଝୁନତାଙ୍କ ଘର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଛୋଟକେଇ ଗାଁରେ। ତାଙ୍କ ପଢ଼ାପଢ଼ି ମାଟ୍ରିକ୍ ଯାଏଁ। ୨୦୦୨ରେ ଝୁନତା ମାଟ୍ରିକ୍ ପାସ୍ କରିବାବେଳକୁ ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ। ସେମାନେ ଭାଇ, ଭଉଣୀ ୮ ଜଣ। ଭାଇ ୩ ଓ ଭଉଣୀ ୫ ଜଣ। ଯଦିଓ ବୟସ ଦୃଷ୍ଟିରୁ ଝୁନତାଙ୍କ ସ୍ଥାନ ଷଷ୍ଠ ତଥାପି ପରିବାରର ଦାୟିତ୍ବ କାନ୍ଧେଇବାକୁ ବାହାରିଲେ। ବାପା ବନ ବିଭାଗରେ ଚାକିରି କରି ଅବସର ନେଇସାରିଥିଲେ। ଯାହା ବି ପେନ୍ସନ୍ ମିଳୁଥିଲା ସମୁଦ୍ରକୁ ଶଙ୍ଖେ ପରି। ସମ୍ବଳ କହିଲେ ଥିଲା କିଛି ଜମି। ସେତେବେଳେ ବିବାହ ପ୍ରସ୍ତାବ ଆସିଥିଲା। କିନ୍ତୁ ପରିବାରର ଅଣ୍ଟା ସଳଖିବା ପାଇଁ ଏ ପ୍ରସ୍ତାବକୁ ସେ ଜଳାଞ୍ଜଳି ଦେଲେ। ନିଜେ ଜମିରେ ଖଟିଲେ। ଚଣା, ବୁଟ, ଚଟପଟି ଖାଦ୍ୟ ପ୍ରସ୍ତୁତ କରି ସାଇକେଲ୍ରେ ବୁଲି ବିକ୍ରି କଲେ। ପରେ ଅଳ୍ପ ପୁଞ୍ଜିରେ ଗାଁରେ ଖୋଲିଲେ ଏକ ତେଜରାତି ଦୋକାନ। ଏହି ଦୋକାନ ବ୍ୟାଙ୍କ ଋଣ ସହଯୋଗରେ ବଢ଼ିଛି। ପ୍ରଥମେ ମାଆ, ପରେ ବାପା ଚାଲିଗଲେ। ଭାଇମାନଙ୍କର ଚଳିଲା ଭଳି ରୋଜଗାର ନଥିବାରୁ ଝୁନତା ନିଷ୍ପତ୍ତି ନେଲେ ବିବାହ କରିବେ ନାହିଁ।
କିଛି ବର୍ଷ ପୂର୍ବେ ନିଜ ଆୟରେ ସାନ ଭଉଣୀର ବିବାହ କରାଇଛନ୍ତି। ଭାଇମାନଙ୍କ ପରିବାର ଚଳାଇବା ପାଇଁ ତାଙ୍କ ରୋଜଗାର ଏବେ ବି ମୁଖ୍ୟ ସମ୍ବଳ।
କିଛିବର୍ଷ ପୂର୍ବେ ଝୁନତା ଏକ ସ୍ବେଚ୍ଛାସେବୀ ସ˚ସ୍ଥାରେ କାର୍ଯ୍ୟ କରିଥିଲେ। ସାତକୋଶିଆର ଘଞ୍ଚ ଜଙ୍ଗଲ ଘେରା ଗାଁକୁ ଯାଇ ମହିଳା ସ୍ବୟ˚ ସହାୟକ ଗୋଷ୍ଠୀ ଗଠନ କରିବା ସହ ମହିଳାମାନଙ୍କୁ ବ୍ୟାଙ୍କ କାରବାର ପାଇଁ ତାଲିମ ଦେଇଥିଲେ। ନିରକ୍ଷର ମହିଳାମାନଙ୍କୁ ସେ ଦସ୍ତଖତ କରିବା ଶିଖାଇଥିଲେ। ନିଜର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ପରିଶ୍ରମ କରି ସେ ତିଷ୍ଠି ରହିଛନ୍ତି। ତେଣୁ ସ୍ବାଭିମାନର ସହ ବଞ୍ଚିବା ପାଇଁ ମହିଳାମାନଙ୍କୁ ସେ ପ୍ରେରଣା ଦେଇଥିଲେ। ନଅ ବର୍ଷ ହେଲା ଝୁନତା ସାତକୋଶିଆ ଅଭୟାରଣ୍ୟ ଇକୋ ଟୁରିଜିମ୍ ସ˚ସ୍ଥାରେ ନିୟୋଜିତ। ସ˚ସ୍ଥା ପକ୍ଷରୁ ଖୋଲିଛି ‘ନେଚର୍’ କ୍ୟାମ୍ପ। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବା, ଖାଇବା, ପରିଭ୍ରମଣ ପ୍ରଭୃତି ସମସ୍ତ କାର୍ଯ୍ୟ ଝୁନତା ଓ ତାଙ୍କର କିଛି ସହଯୋଗୀଙ୍କୁ ତୁଲାଇବାକୁ ପଡ଼ୁଛି। ସ˚ସ୍ଥା ଆୟର ୩୦ ପ୍ରତିଶତ ପରିଚର୍ଯ୍ୟାକାରୀଙ୍କ ପାରିଶ୍ରମିକ। ଝୁନତା ବାଇକ୍ ଚଳାନ୍ତି। ସାତକୋଶିଆ ଅଭୟାରଣ୍ୟ ରାସ୍ତାରେ ସେ ଯେପରି ତୀବ୍ର ବେଗରେ ବାଇକ୍ ଚଳାଇ ଯା’ଆସ କରନ୍ତି, ତାହା ବିରଳ।
କିନ୍ତୁ, ଏ ସବୁ ଭିତରେ ନିଜ ଗାଁ ପାଇଁ ଝୁନତାଙ୍କ ଅବଦାନ ଅନେକ। ଗାଁରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ସୋଲାର ପ୍ଲାଣ୍ଟ ନିମନ୍ତେ ଭାଇମାନଙ୍କୁ ରାଜି କରାଇ ଆବଶ୍ୟକ ଜମି ଯୋଗାଇ ଦେଇଥିଲେ। ମହିଳାମାନଙ୍କୁ ସ˚ଗଠିତ କରି ଗାଁରେ ମଦ୍ୟପାନ ସ˚ପୂର୍ଣ୍ଣ ବନ୍ଦ କରାଇଛନ୍ତି। ଗାଁ ଜଙ୍ଗଲ ସୁରକ୍ଷା ପାଇଁ ପରିବେଶ ବିକାଶ ସମିତିରେ ୫ବର୍ଷ ଆନିମେଟର ଭାବେ କାର୍ଯ୍ୟ କରିଥିଲେ। ଶ୍ରେଷ୍ଠ ଆନିମେଟର ଭାବେ ୨୦୧୦ରେ ସେ ସରକାରଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି। ଜଣେ କର୍ମଠ ବ୍ୟକ୍ତି ଭାବେ ଝୁନତା ଅଞ୍ଚଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କର ପ୍ରେରଣା ପାଲଟିଛନ୍ତି। ସବୁ ମହିଳା କର୍ମ ଦ୍ବାରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଉଚିତ ବୋଲି ସେ କହନ୍ତି।