ଚାଉଳ ମୁଠାଏ ପାଇଁ ୨୫ କିମି ଚାଲିଲେ ୭୦ ବର୍ଷୀୟା ବୃଦ୍ଧା, ଜିଲ୍ଲାପାଳଙ୍କୁ ଭେଟି ନପାରି ନିରାଶ

ନୂଆପଡ଼ା : ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଯୋଗ୍ୟ ହିତାଧିକାରୀମାନେ ମୁଠାଏ ଚାଉଳ ପାଇଁ ସଂଘର୍ଷ କରୁଛନ୍ତି। ଜଣେ ୭୦ ବର୍ଷର ବୃଦ୍ଧା ଚାଉଳ ମୁଠାଏ ପାଇଁ ୨୫ କିମି ଚାଲିକି ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ। ଦୁର୍ଭାଗ୍ୟକୁ ଜିଲ୍ଲାପାଳ କୌଣସି କାମରେ ବାହାରକୁ ଯାଇଥିବାରୁ ବୃଦ୍ଧା ଭେଟି ନପାରି ନିରାଶ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି।

ସୂଚନାନୁସାରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ମୋଟା ନୂଆପଡ଼ା ପଞ୍ଚାୟତ କୁକୁରୀମୁଣ୍ଡି ଗ୍ରାମର ଚମ୍ପାବାଇ ଲୋହାର (୭୦ ବର୍ଷ)ଙ୍କୁ  ମେ, ଜୁନ ମାସରୁ ଚାଉଳ ଦିଆ ଯାଉଥିଲା। ଏବେ ଚାଉଳ ପାଇଁ ଗଲେ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ମନା କରୁଛନ୍ତି। ବାରମ୍ବାର ସରପଞ୍ଚ ଓ ପିଇଓଙ୍କୁ ଜଣାଇଲେ ବି କେହି ଶୁଣିନଥିଲେ। ଶେଷରେ ଭୋକ ଉପାସରେ ଚମ୍ପାବାଇ ରାସନ କାର୍ଡ ଧରି ଗତ ସୋମବାର ଠାରୁ ଜିଲ୍ଲାପାଳଙ୍କୁ ଦେଖା କରିବାକୁ ଆସିଥିଲେ। ୨୫ କିମି ୨ ଦିନ ଚାଲିକି ଆସିବା ପରେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିରାଶ ହୋଇଥିଲେ।

ଏ ନେଇ ଉପଜିଲ୍ଲାପାଳ ତରଣୀସେନ ନାୟକ କହିଛନ୍ତି, ବୃଦ୍ଧାଙ୍କ ରାସନ କାର୍ଡ ‌କେମିତି କଟିଲା ତଦନ୍ତ କରାଯିବ। ସେହିପରି ମୋଟା ନୂଆପଡ଼ା ପିଇଓ ଗିରିଧାରୀ ତାଣ୍ଡି କହିଛନ୍ତି, ବର୍ତ୍ତମାନ ବୃଦ୍ଧାଙ୍କର କୋମନା ବ୍ଲକ୍‌ ଠିକପାଲି ପଞ୍ଚାୟତ ସିମେଲପାଲିରେ ରାସନ କାର୍ଡ ରହିଛି। ଠିକପାଳି ପଞ୍ଚାୟତରୁ ସେ ଚାଉଳ ପାଇବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର