୭୦ ବର୍ଷ ପରେ ଅନୁଷ୍ଠିତ ହେଲା କେଡୁଯାତ୍ରା, କୁଇ ସଂପ୍ରଦାୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ଘୁ.ଉଦୟଗିରି : କନ୍ଧମାଳ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଚିତ। ଜିଲ୍ଲା ସହ ଅନେକ ଆଦିବାସୀ ପରମ୍ପରା ଯୋଡ଼ି ହୋଇ ରହିଛି। ସରୁଲାକା, ଦାର୍ନିଲାକା, ପୋହା, କେଡ଼ୁ ଓ ପିନୁକୁରା ପରି ବିଭିନ୍ନ ଆଦିବାସୀ ପର୍ବ ଜିଲ୍ଲାରେ ପାଳିତ ହୋଇଥାଏ। ଏଥି ମଧ୍ୟରୁ କୁଇ ସଂପ୍ରଦାୟର ଆଦିବାସୀ ମାନେ କେଡ଼ୁ ପର୍ବକୁ ବେଶ୍ ଉତ୍ସାହର ସହ ପାଳନ କରିଥାନ୍ତି। ଏଥିରେ ଚାଷ ପାଇଁ ଧାନ ତଳି ପଡ଼ିବା ପୂର୍ବରୁ ପୂଜା କରାଯାଇଥାଏ। ବିଶ୍ୱାସ ରହିଛି କି, କେଡୁ ପୂଜା କରିବା ଦ୍ୱାରା ମାଟି ମା’ ଅଧିକ ଫସଲ ଦେଇଥାଏ।

ଏହି କ୍ରମରେ ସ୍ଥାନୀୟ ସାରଙ୍ଗଡ଼ ଥାନା ଅଧୀନ ପାବୁରିଆ ପଞ୍ଚାୟତ ବରିଗୁଡ଼ା ଗ୍ରାମରେ କେଡ଼ୁ ପୂଜା ଅନୁଷ୍ଠିତ ହୋଇଯାଇଛି। ଗତ ତିନି ଦିନ ହେବ ଏହି ପୂଜା ଚାଲିଥିବା ବେଳେ ଆଜି ଶେଷ ଦିନରେ ମଇଁଷି ବଳି ଦିଆଯାଇଛି। ତିନି ଦିନ ମଇଁଷିକୁ ପୂଜା କରିବା ସହିତ ପିଠା, ହଳଦୀ ଓ ଭାତ ଦିଆଯାଇଥିଲା। ସେହିପରି ପୂର୍ବେ ଘଟିଥିବା ଚାଷ ସଂପର୍କିତ ସୂଚନା ମାନ ସଂଗୀତ ମାଧ୍ୟମରେ ବୋଲା ଯାଇଥିଲା। ଏହି ଅଞ୍ଚଳରେ କାହିଁ କେଉଁ କାଳରୁ ଏହି ପର୍ବ ପାଳିତ ହୋଇ ଆସୁଥିବା ବେଳେ ଗତ ୭୦ ବର୍ଷ ହେଲା ଏହି ପର୍ବ ସ୍ଥାନୀୟ ଅଞ୍ଚଳରେ ବନ୍ଦ ରହିଥିଲା। ତେଣୁ ବହୁ ବର୍ଷ ପରେ ଚଳିତବର୍ଷ ଏହି ପର୍ବ ହେଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ୫ଟି ଗ୍ରାମ ଅର୍ଥାତ ପାକାରି, ପାଡ଼ାଙ୍ଗିବ୍ରଡ଼ିନାଯୁ, ପାଡ଼ାଙ୍ଗିକାମ୍ୱାଗୁଡ଼ା, ଅଡ଼ାସୁଗା ଓ ବରିଗୁଡ଼ାସୁଗାନାଯୁର ଲୋକେ ଏହି ପୂଜାରେ ଯୋଗ ଦେଇଛନ୍ତି।

ଉକ୍ତ ୫ଟି ଗ୍ରାମର ଲୋକେ ବଳି ହୋଇଥିବା ମଇଁଷିର କିଛି ଅଂଶକୁ ନିଜ ଗ୍ରାମକୁ ନେଇ ପୂଜା କରିଛନ୍ତି। ଅନ୍ୟ ଗ୍ରାମର ଆସିଥିବା ଲୋକେ ପୂଜାରେ ଯୋଗ ଦେବାକୁ ଅନୁମତି ମାଗିଥାନ୍ତି। ଅନୁମତି ପରେ ସେମାନେ ଆସି ପୂଜାରେ ଭାଗ ନେଇଥାନ୍ତି। ଯଦି ବିନାନୁମତିରେ ଅନ୍ୟ ଗ୍ରାମର ଲୋକେ ଆସିଥାନ୍ତି ସେମାନେ କିପରି ବଳି ହୋଇଥିବା ମଇଁଷିର କିଛି ଅଂଶ ନେଇପରିବେ ନାହିଁ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ। ଏହି ଯାତ୍ରା ସମୁଦାୟ ୫ ଦିନ ହୋଇଥାଏ। ଏହି ୫ ଦିନ ମଧ୍ୟରେ କୁଇ ଲୋକେ କୌଣସି ଚାଷ କାମ କରନ୍ତି ନାହିଁ। ପୂଜା ସରିଲା ପରେ ସେମାନେ ନିଜ ନିଜ କ୍ଷେତକୁ ଯାଇ ଚାଷକାମ କରିଥାନ୍ତି। ଦୀର୍ଘ ୭୦ ବର୍ଷ ପରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ ନାଚ, ଗୀତ ଓ ଚାଙ୍ଗୁ ବାଦ୍ୟରେ ସମସ୍ତେ ଝୁମୁଥିବା ଦେଖିବାକୁ ମିଳିଛି। ଏହି ପୂଜାରେ ଜଳ, ଜମି, ବୃକ୍ଷ ଓ ଲତାକୁ ପୂଜା କରାଯାଇଥାଏ। ଏଥିରେ ଲୋକଙ୍କ ସହ ସମାଜର ମଙ୍ଗଳ ହେବା ସହ ରୋଗବ୍ୟାଧି ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି।

ସମ୍ବନ୍ଧିତ ଖବର