ରାୟଗଡ଼ା(ନବୀନ ଚନ୍ଦ୍ର ସାହୁ): ପାଖରେ ଅର୍ଥ କି ବାହୁବଳ ନାହିଁ। କୌଣସି ରାଜନୈତିକ ଦଳର ସମର୍ଥନ ମଧ୍ୟ ନାହିଁ। ଗାଁକୁ ଗାଁ ବୁଲି ଭୋଟ ପ୍ରଚାର ପାଇଁ କାର, ବାଇକ୍ ତ ଦୂରର କଥା ପାଖରେ ସାଇକେଲ୍ ଖଣ୍ଡିଏ ନାହିଁ। ବୟସ ୭୦ ଟପି ଯାଇଥିବାରୁ ପାଦରେ ଚାଲି ଚାଲି କରୁଛନ୍ତି ଭୋଟ ଭିକ୍ଷା। ଏକ ମାତ୍ର ଲକ୍ଷ୍ୟ ଗାନ୍ଧୀଜୀଙ୍କ ନୀତି ଆଦର୍ଶର ମଦ ଓ ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ।
ବୟସର ଅପରାହଣରେ ପହଞ୍ଚିବା ସତ୍ତ୍ବେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ଚର୍ଚ୍ଚାକୁ ଆସିଛନ୍ତି ରାୟଗଡ଼ା ଜିଲ୍ଲା ରାୟଗଡ଼ା ସଦର ବ୍ଲକ୍ ଗାଜିଗାଁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ କୋୟା ବିଡ଼ିକା (୭୭) ଓ କୋଲନରା ବ୍ଲକ୍ କେଲିଗୁଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ବାମିନି ମିଣିଆକା (୭୦)। କୋୟା ପୂର୍ବରୁ ୧୦ ଥର ନିର୍ବାଚନ ଲଢ଼ି ସାରିଥିବା ବେଳେ ବାମିନି ୪ ଥର ପଞ୍ଚାୟତ ନିର୍ବାଚନ ଲଢ଼ିଛନ୍ତି। ଉଭୟେ ପୂର୍ବରୁ ସରପଞ୍ଚ ଭାବେ ବିଜୟୀ ହୋଇ ପଞ୍ଚାୟତର ବିକାଶକୁ ଗୁରୁତ୍ବ ଦେଇଛନ୍ତି। ଯାହା ଉଭୟ ପ୍ରାର୍ଥୀଙ୍କ ସାଧାରଣ ଜୀବନଶୈଳୀ ଓ ଝାଟିମାଟିର ଘରରୁ ସ୍ପଷ୍ଟ।
ରାୟଗଡ଼ା ବ୍ଲକ୍ ଚମ୍ପିକୋଟା ଗାଁରେ ବାସିନ୍ଦା କୋୟା ବିଡ଼ିକା ଚଳିତ ୧୧ ଥର ପାଇଁ ପଞ୍ଚାୟତ ନିର୍ବାଚନ ଲଢ଼ୁଛନ୍ତି। ପୂର୍ବରୁ ୧୦ ଥର ନିର୍ବାଚନ ଲଢ଼ିଥିବା କୋୟା ୨୦୦୨ ରେ ଗାଜିଗାଁ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ। ୨୦୦୭ ପର୍ଯ୍ୟନ୍ତ ସରପଞ୍ଚ ଦାୟିତ୍ବ ତୁଲାଇଥିବା କୋୟାଙ୍କ ସମୟରେ ପଞ୍ଚାୟତର ବିକାଶ ଆଖିଦୃଶିଆ ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ବାସହୀନଙ୍କୁ ଘର ସହ ବୃଦ୍ଧ/ବୃଦ୍ଧା, ବିଧବାଙ୍କୁ ଠିକ୍ ସମୟରେ ଭତ୍ତା ମିଳୁଥିଲା। ଦୁର୍ନୀତିର ନାଁ ଗନ୍ଧ ନଥିଲା। ଏବେ କେବଳ ବିକାଶ ନାଁରେ ହରିଲୁଟ୍ ଚାଲିଛି। ଶହ ଶହ ଯୋଜନା କାର୍ଯ୍ୟକାରୀ ହେଉଛି ସିନା ବିକାଶ ଯେଉଁଠି କି ସେଇଠି ଅଟକି ଯାଇଥିବା ଲୋକେ କହିଛନ୍ତି। ଦୁର୍ନୀତି ସୀମା ଟପିବା ପରେ ପୁଣି ସରପଞ୍ଚ ପ୍ରାର୍ଥୀ ହେବାକୁ ମନସ୍ଥ କରି ନିର୍ବାଚନ ଲଢ଼ୁଛନ୍ତି କୋୟା। ଖୋଲାବହି ଚିହ୍ନରେ ଭୋଟ ଦେବା ପାଇଁ ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି। କିଛି ସ୍ଥାନୀୟ ଯୁବକ କୋୟାଙ୍କୁ ସମର୍ଥନ କରି ସହାୟତା କରି ଆସୁଛନ୍ତି। ୨୦୦୨ ଭଳି ଚଳିତ ନିର୍ବାଚନରେ ବିଜୟୀ ହେବାକୁ ଆଶା ରଖିଛନ୍ତି କୋୟା।
/sambad/media/post_attachments/wp-content/uploads/2022/02/RGD_Election-Bamini-Miniaka-1024x501.jpg)
କୋୟାଙ୍କ ପରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆଉ ଜଣେ ବର୍ଷିୟାନ୍ ନାରୀନେତ୍ରୀ ହେଉଛନ୍ତି ବାମିନି ମିଣିଆକା। ୭୦ ବର୍ଷିୟା ବାମିନି କୋଲନରା ବ୍ଲକ୍ କେଲିଗୁଡ଼ା ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ୭୦ ବୟସ୍କା ବାମିନି ପୂର୍ବରୁ ୨ ଥର ସରପଞ୍ଚ ଓ ୨ ଥର ୱାର୍ଡ ସଭ୍ୟ ଭାବେ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଚାଲିବାକୁ ଦେହରେ ବଳ ନଥିବା ବେଳେ ଭଲ ଭାବରେ କଥା ମଧ୍ୟ କହିପାରୁନାହାନ୍ତି ବାମିନି। ଝାଟିମାଟିର ଭଙ୍ଗା ଦଦରା ଘରେ କଟୁଛି ଶେଷ ଜୀବନ। ଏପରି ସ୍ଥିତିରେ ଲୋକଙ୍କ ସେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବାମିନି ମିଣିଆକା। ଯାହା ଅନ୍ୟ ପ୍ରାର୍ଥୀଙ୍କ ହୋସ୍ ଉଡ଼ାଇ ଦେଇଛି।
କୋଲନରା ବ୍ଲକ୍ କେଲିଗୁଡ଼ା ପଞ୍ଚାୟତର ପୂଜାରିଗୁଡ଼ାରେ ରହି ଆସୁଛନ୍ତି ବାମିନି। ରାଜନୀତିରେ ବାମିନିଙ୍କ ୨୦ ବର୍ଷର ଅଭିଜ୍ଞତା ରହିଛି। ପ୍ରଥମେ କାର୍ତ୍ତିକଗୁଡ଼ା ପଞ୍ଚାୟତ ପରେ କାର୍ତ୍ତିକଗୁଡ଼ାକୁ ଭାଙ୍ଗି ଗଠିତ ନୂଆ କେଲିଗୁଡା ପଞ୍ଚାୟତର ସରପଞ୍ଚ ଭାବେ ବାମିନି ବିଜୟୀ ହୋଇଛନ୍ତି। ଚଳିତ ନିର୍ବାଚନରେ ବାମିନିଙ୍କ ବିପକ୍ଷରେ ୩ ଜଣ ଲଢ଼େଇ କରୁଛନ୍ତି। ହାତ ଗଣତି କିଛି ସମର୍ଥକଙ୍କୁ ନେଇ ବାମିନି ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି। ନିର୍ବାଚନ ଲଢ଼ିବାକୁ ବାମିନି ଖୋଲାବହି ଚିହ୍ନ ପାଇଥିବାରୁ ଘରକୁ ଘର ବୁଲି ଲୋକଙ୍କ ସହିତ ମିଶୁଛନ୍ତି। ନିବେଦନ କରୁଛନ୍ତି ତୃତୀୟ ଥର ପାଇଁ ସରପଞ୍ଚ ରୂପେ ବିଜୟ କଲେ ପୂର୍ବ ପରି ଲୋକଙ୍କ ସୁଖଦୁଃଖର ଭାଗିଦାରୀ ହେବି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/RGD_Election-Koya-Bidika.jpg)