ସମ୍ବଲପୁର: ବିରୋଧୀ ଦଳର ନେତା ମିଳିବା ପାଇଁ ସମ୍ବଲପୁରକୁ ୭୦ ବର୍ଷର ଅପେକ୍ଷା କରିବାକୁ ପଡ଼ିଛି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଆଜି ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ମନୋନୀତ ହେବା ପରେ ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ କର୍ମକର୍ତ୍ତା ଓ କର୍ମୀମାନେ ଖୁସି ମନାଇ ଥିଲେ। ଛାତ୍ରାବସ୍ଥାରୁ ଜୟନାରାୟଣଙ୍କ ରାଜନୀତିକୁ ଆସିଥିଲେ। ଗତ ୨୦୦୦, ୨୦୦୪ ଓ ୨୦୦୯ ମସିହା ବିଧାନସଭା ନିର୍ବାଚନରେ କ୍ରମାଗତ ଭାବେ ୩ ଥର ମର୍ଯ୍ୟାଦାଜନକ ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ବିଜୟୀ ହୋଇ ହାଟ୍ରିକ ମାରିଥିଲେ।
ତେବେ, ୨୦୧୪ ମସିହା ବିଧାନସଭା ନିର୍ବାଚନରେ ସେ ବିଜେଡିର ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କଠାରୁ ପରାଜିତ ହୋଇଥିଲେ। ହେଲେ, ୨୦୧୯ ମସିହା ବିଧାନସଭା ନିର୍ବାଚନରେ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କୁ ପରାଜିତ କରି ମଧୁରି ପ୍ରତିଶୋଧ ନେଇଥିଲେ। ବିଜେଡ଼ି ସହ ମେଣ୍ଟ ସରକାର ଥିବା ସମୟରେ ୨୦୦୦-୨୦୦୯ ମଧ୍ୟରେ ସେ ପ୍ରଥମେ ଉପମୁଖ୍ୟ ସଚେତକ ଏବଂ ପରବର୍ତ୍ତୀ ସମୟରେ ବାଣିଜ୍ୟ ପରିବହନ ଓ ନିୟୋଜନ ଭଳି ବିଭାଗର ମନ୍ତ୍ରୀ ହୋଇଥିଲେ। ବିଧାନସଭାରେ ବିରୋଧୀ ଦଳ ଆସନ ଅଳଙ୍କୃତ କରିବାରେ ସେ ସମ୍ବଲପୁର ଜିଲ୍ଲାରର ଦ୍ୱିତୀୟ ବିଧାୟକ ଅଟନ୍ତି। ସର୍ବପ୍ରଥମ ବିଧାନସଭାରେ ୧୯୫୨ ରୁ ୧୯୫୭ ପର୍ଯ୍ୟନ୍ତ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ଭାବେ ସମ୍ବଲପୁରରୁ ନିର୍ବାଚିତ ବିଧାୟକ ଡ. ଶ୍ରଦ୍ଧାକର ସୂପକାର ବିଧାନସଭାରେ ବିରୋଧୀ ଦଳର ନେତା ହୋଇଥିଲେ। ସେ ୧୯୫୨ ଫେବ୍ରୁଆରି ୧୯ ତାରିଖରୁ ୧୯୫୭ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିଥିଲେ ।
ବଲାଂଗୀର ଜିଲ୍ଲା ଖାତାରେ ଅଧିକ ବିରୋଧୀ ଦଳ ନେତା ପଦ
ପଶ୍ଚିମ ଓଡ଼ିଶାର ବଲାଂଗୀର ଜିଲ୍ଲାରୁ ଅଧିକ ନେତାଙ୍କୁ ବିରୋଧୀ ଦଳର ନେତା ହେବାର ସୌଭାଗ୍ୟ ମିଳିଛି। ଦ୍ୱିତୀୟ ବିଧାନସଭାରେ ୧୯୫୭ ଏପ୍ରିଲ୍ ୧ ତାରିଖରୁ ୨୨ ମେ ୧୯୫୯ ପର୍ଯ୍ୟନ୍ତ ଟିଟିଲାଗଡ଼ର ଗଣତନ୍ତ୍ର ପରିଷଦ ବିଧାୟକ ରାଜେନ୍ଦ୍ର ନାରାୟଣ ସିଂଦେଓ ବିରୋଧୀ ଦଳର ନେତା ଆସନ ଅଳଙ୍କୃତ କରିଥିଲେ। ସେ ପୁଣି ୨୧ ଜୁନ୍ ୧୯୬୧ରୁ ୧ ମାର୍ଚ୍ଚ ୧୯୬୬ ପର୍ଯ୍ୟନ୍ତ ବିଧାନସଭାରେ ବିରୋଧୀ ଦଳର ନେତା ଦାୟିତ୍ୱ ନିର୍ବାହ କରିଥିଲେ। ସେ ପୁଣି ୧୪ ଜୁନ୍ ୧୯୭୨ରୁ ୯ ଫେବ୍ରୁଆରି
୧୯୭୩ ପର୍ଯ୍ୟନ୍ତ ବିରୋଧୀ ଦଳ ନେତାର ଗୌରବ ଲାଭ କରିଥିଲେ। ସେଥର ସେ ବଲାଂଗୀର ଆସନରୁ ସ୍ୱତନ୍ତ୍ର ପାର୍ଟି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୩୧ ମାର୍ଚ୍ଚ ୧୯୭୭ରୁ ୩୦ ଏପ୍ରିଲ୍ ୧୯୭୭ ପର୍ଯ୍ୟନ୍ତ ବଲାଂଗୀର ଜିଲ୍ଲା ଲୋଇସିଂହାର ଜନତା ପାର୍ଟି ବିଧାୟକ ଡା. ରାମପ୍ରସାଦ ମିଶ୍ର ବିଧାନସଭାରେ ବିରୋଧୀ ଦଳର ନେତା ନିର୍ବାଚିତ ହୋଇଥିଲେ।
ବୌଦ୍ଧ ଆସନରୁ ନିର୍ବାଚିତ ସଚ୍ଚିଦାନନ୍ଦ ଦଲାଲ ଗତ ୧୧ ଡିସେମ୍ବର ୧୯୯୮ ଡିସେମ୍ବର ୨୯ ଫେବ୍ରୁଆରି ୨୦୦୦ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ଦାୟିତ୍ବ ତୁଳାଇ ଥିଲେ। ଏହା ପରେ ନର୍ଲାର କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଭୂପିନ୍ଦର ସିଂ ୨୭ ମେ ୨୦୦୯ ରୁ ୮ ମେ ୨୦୧୪ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ହୋଇଥିଲେ। ତେବେ, କିଛି ମାସ ପାଇଁ ବଲାଂଗୀର ଜିଲ୍ଲା ସଇଁତଲାର କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂଭୋଇ କିଛି ସମୟ ପାଇଁ ଏହି ଦାୟିତ୍ୱ ନିର୍ବାହ କରିଥିଲେ। ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବଲାଂଗୀର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ବିରୋଧୀ ଦଳର ନେତା ହୋଇଥିଲେ। ଏଥି ପୂର୍ବରୁ ସେ ଲୋଇସିଂହା ଆସନରୁ ନିର୍ବାଚିତ ହୋଇ ବିରୋଧୀ ଦଳର ଉପନେତା ଦାୟିତ୍ବ ବି ତୁଳାଇ ଥିଲେ। ୨୦୧୯ ମସିହା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ସହିତ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ବି ହରାଇଥିଲା। ଆଶାନୁରୂପ ନହେଲେ ବି ବିଜେପି ପୂର୍ବାପେକ୍ଷା ଏହି ନିର୍ବାଚନ ଭଲ ପ୍ରଦର୍ଶନ କରିବା ସହିତ କଂଗ୍ରେସକୁ ପଛରେ ପକାଇ ବିରୋଧୀ ଦଳର ମାନ୍ୟତା ଲାଭ କରିଥିଲା। ଫଳରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ବିଜେପି ବିଧାୟକ ପ୍ରଦୀପ୍ତ କୁମାର ନାଏକ ୨୫ ଜୁଲାଇ ୨୦୧୯ରୁ ଆଜି ପର୍ଯ୍ୟନ୍ତ ବିଧାନସଭା ବିରୋଧୀ ଦଳର ନେତା ଦାୟିତ୍ବ ତୁଳାଇ ଆସୁଥିଲେ।