ମାଲକାନଗିରି: ଚଳିତ ମାସ ୧୬ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଗୁଜରାଟରେ ହେବାକୁ ଥିବା ୧୪ତମ ଯୁବ ଆଦିବାସୀ ଆଦାନ ପ୍ରଦାନ ମେଳାରେ ମାଲକାନଗିରିର ଦୁର୍ଗମ ଅଂଚଳରୁ ୭୦ ଜଣ ଆଦିବାସୀ ଯୁବକ ଯୁବତୀ ଯୋଗଦେବେ ବୋଲି ବିଏସଏଫ ତରଫରୁ କୁହାଯାଇଛି। ଆଜି ଏମଭି-୩ସ୍ଥିତ ବିଏସଏଫ କ୍ୟାମ୍ପ ଠାରେ ଜିଲ୍ଲାର ମାଥିଲି ଏବଂ ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ଅଂଚଳରେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ଅଧିନରେ ରହିଥିବା ଗ୍ରାମଗୁଡିକର ଆଦିବାସୀ ଯୁବକ ଓ ଯୁବତୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଗୁଜରାଟ ପଠାଯାଇଛି। ଏହି କାର୍ଯ୍ୟକ୍ରମକୁ ବିଏସଏଫ ଏବଂ ନେହେରୁର ଯୁବ କେନ୍ଦ୍ର ତରଫରୁ ଆୟୋଜିତ କରାଯାଇଥିଲା।
ଆଜିର ଗୁଜରାଟ ପ୍ରସ୍ଥାନ ବେଳେ ଏହି ଆଦିବାସୀ ଯୁବକ ଯୁବତୀମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବିଏସ୍ଏଫ୍ର ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା ଉପସ୍ଥିତ ରହି ଯୁବକ ଯୁବତୀମାନଙ୍କୁ କିପରି ସେଠାକୁ ଯିବେ ଏବଂ ସେଠାରେ କିପରି ବିଭିନ୍ନ ବିଷୟରେ ଜାଣିପାରିବେ ସେନେଇ ଏକ ସାମ୍ୟକ ସୂଚନା ପ୍ରଦାନ କରିଥିଲେ।ପରେ ସେ ସବୁଜ ପାତାକା ଦେଖାଇ ଗୁଜରାଟ ଅଭିମୁଖେ ବାହାରିଥିବା ବସକୁ ଛାଡିଥିଲେ। ତେବେ ଗୁଜରାଟ ଗସ୍ତରେ ଜିଲ୍ଲାର ୩୨ ଜଣ ଯୁବକ ଏବଂ ୩୮ ଜଣ ଯୁବତୀ ଯାଉଥିବା ଜଣାପଡିଛି।
ତେବେ ଏହି ଗସ୍ତରେ ସେମାନେ ୭ ଦିନରେ ଗୁଜରାଟର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବା ସହ ମୁଖ୍ୟମନ୍ତ୍ରୀ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ, ସ୍ବତନ୍ତ୍ର ବ୍ୟକ୍ତିତ୍ବ ସିନେମା ଷ୍ଟାର, ସଫଳ ବ୍ୟକ୍ତିତ୍ବ, ଖେଳାଳି ଏଥିସହ ବିଭିନ୍ନ ଖେଳ ମଧ୍ୟ ଦେଖିବେ। ଗୁଜରାଟର ସଂସ୍କୃତି ସଂପର୍କରେ ଜାଣିବା ସହ ବଡ ବଡ କମ୍ପାନି ଦେଖିବାର ସୁଯୋଗ ପାଇବେ। କିପରି ଆତ୍ମନିର୍ଭରଶୀଳ ହେବେ ସେନେଇ ମଧ୍ୟ ଏହି ଯୁବକଯୁବତୀମାନଙ୍କୁ ଶିକ୍ଷା ପ୍ରଦାନ କରାଯିବ ବୋଲି କୁହାଯାଇଛି।
ମାଲକାନଗିରି ଜିଲ୍ଲାରେ ବିଏସଏଫ କେବଳ ନକ୍ସଲ ଦମନ ନେଇ କାମ କରୁନାହିଁ ବରଂ ଜିଲ୍ଲାର ବିକାଶ, ଜିଲ୍ଲାର ଆଦିବାସୀ ଯୁବକଯୁବତୀମାନେ ଯେପରି ହିଂସା ପଥକୁ ଅନୁସରଣ ନକରିବେ ସେଥିପ୍ରତି ମଧ୍ୟ କାମ କରୁଥିବା ଦେଖିବାକୁ ମିଳିଛି। ସ୍ବାଭିମାନ ଅଂଚଳ ହେଉ ବା ଦୁର୍ଗମ ଅଂଚଳ ହେଉ ସବୁ ଠାରେ ବିଏସଏଫ ସୁରକ୍ଷା ପ୍ରଦାନ କରି ପ୍ରଶାସନକୁ ବିକାଶ କାର୍ଯ୍ୟରେ ସହଯୋଗ କରିଆସୁଛି। ଲଗାତାର ପ୍ରତିବର୍ଷ ଜିଲ୍ଲାର ବିଭିନ୍ନ ଅଂଚଳରୁ ବଛା ବଛା ଯୁବକଯୁବତୀଙ୍କୁ ଦେଶର ବିଭିନ୍ନ ଅଂଚଳ ବୁଲାଇ ସେମାନଙ୍କୁ କିପରି ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହେବେ ସେଥିପ୍ରତି କାମ କରୁଛନ୍ତି। ଏଥିସହ ଦେଶ ରକ୍ଷା ପାଇଁ ସେମାନେ ଆଗକୁ ଆସି ଦେଶର ସୁରକ୍ଷା ବିଭାଗରେ ମଧ୍ୟ ଭାଗ ନେବା ପାଇଁ ତାଲିମ ପ୍ରଦାନ କରୁଛନ୍ତି।ତେବେ ବିଏସଏଫର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।