ପୁରୀ/ବ୍ରହ୍ମଗିରି: ଚିଲିକାର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ ସହ ବିରଳ ଡଲ୍ଫିନ ଦେଖିବାକୁ ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକ ପୁରୀ ଆସିଥାନ୍ତି। ଆଗକୁ ନୂଆ ବର୍ଷ ଥିବାରୁ ଲକ୍ଷାଧିକ ପର୍ଯ୍ୟଟକ ବି ସାତପଡ଼ା ଓ ଏହାର ଆଖପାଖ ଘାଟରେ ଭିଡ଼ ଲଗାଇବେ। କିନ୍ତୁ, ଏହାପୂର୍ବରୁ ନା ଜିଲ୍ଲା ପ୍ରଶାସନ, ନା ପୁଲିସ, କେହି ବି ପର୍ଯ୍ୟଟକଙ୍କ ସୁରକ୍ଷା କଥା ଚିନ୍ତା କରୁନାହାନ୍ତି। ଏବେ ବି ବିନା ପଞ୍ଜୀକରଣରେ ପର୍ଯ୍ୟଟକଙ୍କୁ ଧରି ବୁଲୁଛନ୍ତି ୭ଶହ ଡଙ୍ଗା। ସେପଟେ ପର୍ଯ୍ୟଟଙ୍କୁ ଶୋଷଣ ରୋକିବାକୁ ଅନଲାଇନ୍ ବୁକିଂ ଆପ୍ ଶୀତଳଭଣ୍ଡାରେ ପଡ଼ିରହିଛି।
ଚିଲିକା ପୁରୀ ଜିଲ୍ଲା ସହ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ସୀମାକୁ ଲାଗିଥିବାବେଳେ ସବୁଠୁ ଅଧିକ ପର୍ଯ୍ୟଟକଙ୍କ ଭିଡ଼ ସାତପଡ଼ାରେ ଦେଖିବାକୁ ମିଳେ। ମିଳିଥିବା ତଥ୍ୟ ମୁତାବକ, ପୁରୀ ଜିଲ୍ଲାର ଚିଲିକା କୂଳରେ ୮ଟି ଘାଟରେ ୧୧୪୩ଟି ଯନ୍ତ୍ରଚାଳିତ ଡଙ୍ଗା ରହିଛି। ଯେଉଁଥିରୁ ମାତ୍ର ୩୫୯ଟି ଡଙ୍ଗା ପଞ୍ଜୀକରଣ ହୋଇଛି। ଘାଟ ଉପରେ ନଜର ପକାଇଲେ, ସାତପଡ଼ା ଘାଟରୁ ୧୧୪ଟି ଡଙ୍ଗା ଚାଲୁଥିବାବେଳେ ୧୦୬ଟି ଡଙ୍ଗା ପଞ୍ଜୀକୃତ ହୋଇଛି। ସେହିଭଳି ଗବକୁଣ୍ଡରେ ୧୮୧ଟି, ସିପକୁଦାରେ ୩୪ଟି, ରାୟପୁରରେ ୨୦ଟି, ଗଙ୍ଗାଧରପୁରରେ ୧୨ଟି ଓ ମିର୍ଜାପୁରରେ ୬ଟି ଡଙ୍ଗା ପଞ୍ଜୀକୃତ ହୋଇଛନ୍ତି। ଆଳୁପାଟଣା ୧୪୦ଟି ଓ ଗୋପିନାଥପୁରରେ ୮୦ଟି ଡଙ୍ଗା ରହିଛି। ଏଥିରୁ ଗୋଟିଏ ବି ଡଙ୍ଗା ପଞ୍ଜୀକୃତ ହୋଇନି। ଏତେ ଡଙ୍ଗା ପଞ୍ଜୀକୃତ ନ ହୋଇ ଚିଲିକାରେ ଚାଲିବା ପର୍ଯ୍ୟଟକଙ୍କ ଜୀବନକୁ ବିପଦ ଭିତରକୁ ଠେଲି ଦେଇଛି। ପ୍ରତି ମାସରେ ଚିଲିକାରେ ଡଙ୍ଗା ବୁଡ଼ି ଘଟଣା ନଜରକୁ ଆସୁଛି। ଫଳର ଡଙ୍ଗା କେନ୍ଦ୍ରରେ ଯାହା ଦର କହୁଛନ୍ତି, ପର୍ଯ୍ୟଟକମାନେ ତାକୁ ଦେବାକୁ ବାଧ୍ୟ ହେଉଛନ୍ତି। ପର୍ଯ୍ୟଟକମାନେ ଯେଉଁଠି ଡଙ୍ଗା ପିଛା ୧୮ଶହ ଟଙ୍କା ଦେବା କଥା ସେଠି ୫ହଜାରରୁ ୬ହଜାର ଟଙ୍କା ଗଣୁଛନ୍ତି।
ଏ ସମ୍ପର୍କରେ ଚିଲିକା ପର୍ଯ୍ୟଟନ ମୋଟର ବୋଟ୍ ମହାସଂଘ ସଭାପତି ସଦାଶିବ ଜେନା କହିଛନ୍ତି, କୌଣସି ଡଙ୍ଗା ପଞ୍ଜୀକୃତ ହେବା ମାନେ, ଏଥିରେ ପର୍ଯ୍ୟଟକଙ୍କ ଜୀବନ ବୀମା ସହ ଅନ୍ୟାନ୍ୟ କ୍ଷତିପୂରଣ ଅନ୍ତର୍ଭୁକ୍ତ ରହିଛି। କିନ୍ତୁ ପଞ୍ଜୀକରଣ ନ କରି ଡଙ୍ଗା ଚଲାଇବା ପର୍ଯ୍ୟଟକଙ୍କ ଜୀବନକୁ ବାଜି ଲଗାଇବା ସଦୃଶ। ଏ ସମ୍ପର୍କରେ ପୂର୍ବରୁ ବହୁବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି ଫଳ ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ସଂପଦ ଅଧିକାରୀ ସୁଧାଂଶୁ ମଲ୍ଲିକ କହିଛନ୍ତି, ଆମେ କେବଳ ଚିଲିକାରେ ମାଛ ମାରିବା ପାଇଁ ଚାଲୁଥିବା ଡଙ୍ଗାର ପଞ୍ଜୀକରଣ କରୁଛୁ। ବାକି ଡଙ୍ଗାର ପଞ୍ଜୀକରଣ କଥା ସ୍ଥାନୀୟ ତହସିଲଦାର ବୁଝନ୍ତି। କିନ୍ତୁ ଏତେ ସଂଖ୍ୟାରେ ଡଙ୍ଗା ପଞ୍ଜୀକରଣ ହୋଇନଥିବା ସେ ଜାଣିନଥିବା ଶ୍ରୀ ମଲ୍ଲିକ କହିଛନ୍ତି।