୭୦୦ ଶିକ୍ଷାନୁଷ୍ଠାନର ନାହିଁ ‘ନାକ୍‌’ ମାନ୍ୟତା, ‘ନାକ୍‌’ ମାନ୍ୟତା ନ ଥିଲେ ମିଳିବନି କେନ୍ଦ୍ରୀୟ ଅନୁଦାନ

‘ପରାମର୍ଶ’ରେ ସାମିଲ ହୋଇ ନଥିବାରୁ ଉତ୍କଳକୁ ଭର୍ତ୍ସନା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଏକ ହଜାରରୁ ଅଧିକ କଲେଜ ରହିଛି। ସେଥିମଧ୍ୟରୁ ମାତ୍ର ୩୦୦ କଲେଜ ନାକ୍‌ ମାନ୍ୟତା ହାସଲ କରିଛନ୍ତି। ବାକି ୭୦୦ କଲେଜ ଏ ପର୍ଯ୍ୟନ୍ତ ନାକ୍‌ ମାନ୍ୟତା ପାଇନାହାନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବୋଚ୍ଚ ମାନ୍ୟତା ‘ଏ+’ ଗ୍ରେଡ୍‌ ପାଇଛି। ସମ୍ବଲପୁର, ବ୍ରହ୍ମପୁର, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମେତ କେତେକ ଘରୋଇ ଶିକ୍ଷାନୁଷ୍ଠାନ ନାକ୍‌ ‘ଏ’ ଗ୍ରେଡ୍‌ ହାସଲ କରିଛନ୍ତି। ତେବେ ଅନେକ କଲେଜର ଭିତ୍ତିଭୂମି ଏ ପର୍ଯ୍ୟନ୍ତ ଠିକ୍‌ ନଥିବାରୁ ସେମାନେ ନାକ୍‌ ମାନ୍ୟତା ପାଇପାରୁ ନାହାନ୍ତି। ଏଭଳି ସମୟରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ କୁହାଯାଇଛି ଯେ ନାକ୍‌ ମାନ୍ୟତା ହାସଲ କରି ନ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ କେନ୍ଦ୍ରୀୟ ଅନୁଦାନ ମିଳିବ ନାହିଁ। ଏଭଳି କଡ଼ା ଚିଠି ପରେ ଯେ କୌଣସି ପ୍ରକାରେ ୨୦୨୨ ସୁଦ୍ଧା‌ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜକୁ ନାକ୍‌ ତାଲିକାରେ ସାମିଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଏ ନେଇ ଆଜି ପୂର୍ବାହ୍ନରେ ଭୁବନେଶ୍ବରସ୍ଥିତ ପୁସ୍ତକ ଭବନଠାରେ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ସମ୍ମିଳନୀରେ ବ୍ୟାପକ ମାନସମନ୍ଥନ କରାଯାଇଥିଲା। ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ଭଲ ଗ୍ରେଡ୍‌ ପାଇଛନ୍ତି ସେମାନେ ନିକଟସ୍ଥ କଲେଜଗୁଡ଼ିକୁ ନାକ୍‌ ଆବେଦନ କରିବା ଦିଗରେ ସହାୟତା କରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ କେନ୍ଦ୍ର ସରକାରଙ୍କ ‘ପରାମର୍ଶ’ ଯୋଜନାରେ ଉତ୍କଳ ବିଶ୍ବବିଦ୍ୟାଳୟ ସାମିଲ ହୋଇ ନ ଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ରାଜ୍ୟର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ‘ଏ+’ ଗ୍ରେଡ୍‌ ପାଇଥିଲେ ମଧ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ ‘ପରାମର୍ଶ’ ପାଇଁ ଆବେଦନ କରି ନ ଥିବାରୁ ବିଭାଗୀୟ ଅଧିକାରୀମାନେ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ। ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ‘ଏ’ ଗ୍ରେଡ୍‌ ପାଇ ନ ଥିଲେ ମଧ୍ୟ ଆବେଦନ କରି ନ ଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଘରୋଇ ବିଶ୍ବବିଦ୍ୟାଳୟ କିଟ୍‌ ଓ ସୋଆ ‘ପରାମର୍ଶ’ରେ ସାମିଲ ହୋଇଛନ୍ତି। ବୈଠକରେ କଲେଜ ଉନ୍ନୟନ ପରିଷଦ ଓ ଇଣ୍ଟରନାଲ୍‌ କ୍ବାଲିଟି ଆସୁରାନ୍ସ ସେଲ୍‌ ବାବଦରେ ସମୀକ୍ଷା କରାଯାଇଥିଲା। ନାକ୍‌ ମାନ୍ୟତା ପାଇବା ଦିଗରେ ଇଣ୍ଟରନାଲ କ୍ବାଲିଟି ଆସୁରାନ୍ସ ସେଲ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରାଯିବା ପାଇଁ ପଦକ୍ଷେପ ନେବାକୁ ସ୍ଥିର ହୋଇଥିଲା। ନାକ୍‌ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଦେଇଥିବା ସୁପାରିସ୍‌ଗୁଡ଼ିକର ଅନୁପାଳନ ଉପରେ ଗୁରୁତ୍ବ ଦିଆଯାଇଥିଲା। ନାକ୍‌ ମାନ୍ୟତା ପାଇବା ନିମନ୍ତେ ଏକ ତୃତୀୟ ପକ୍ଷ ଦ୍ବାରା ଏହାର ନିର୍ଦ୍ଧାରଣ କରାଯାଉଛି। ନାକ୍‌ ପକ୍ଷରୁ ଓଡ଼ିଶା‌ ସମ୍ବନ୍ଧୀୟ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରାଯିବ ବୋଲି ସ୍ଥିର ହୋଇଛି। ଏହାଦ୍ବାରା ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ନାକ୍‌ ମାନ୍ୟତା ପାଇବା ଦିଗରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

ସମୀକ୍ଷା ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ କହିଲେ ନାକ୍‌ ମାନ୍ୟତା ହାସଲ କରିବା ଦିଗରେ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ। କଲେଜଗୁଡ଼ିକର ନାକ୍‌ ମାନ୍ୟତା ପାଇବା ଦିଗରେ ଅନୁବନ୍ଧିତ ବିଶ୍ବବିଦ୍ୟାଳୟଗୁଡ଼ିକର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଏଥିପାଇଁ ଇ-ଗଭର୍ଣ୍ଣାନ୍ସ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଉଚ୍ଚଶିକ୍ଷାକୁ ଏକ ଉଚ୍ଚସ୍ତରକୁ ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର, ବିଶ୍ବବ୍ୟାଙ୍କ ପ୍ରକଳ୍ପ ନିର୍ଦେଶକ ପରମେଶ୍ବରନ୍‌ ବି, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ପ୍ରଫେସର ସସ୍ମିତ ପାଣି ପ୍ରମୁଖ ନାକ୍‌ ମାନ୍ୟତା ଓ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ଆଲୋଚନା କରିଥିଲେ। ଉତ୍କଳ ସମେତ ବ୍ରହ୍ମପୁର, ସମ୍ବଲପୁର, ଫକୀରମୋହନ, ଉତ୍ତର ଓଡ଼ିଶା, ରେଭେନ୍ସା, ଖଲ୍ଲିକୋଟ, ଗଙ୍ଗାଧର ମେହେର, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ସୋଆ ଓ କିଟ୍‌ ବିଶ୍ବବିଦ୍ୟାଳୟ ସମେତ ବିଜେବି ସ୍ବୟଂଶାସିତ କଲେଜ ଓ ରାଜଧାନୀ କଲେଜର ପ୍ରତିନିଧିମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର