୯ ରୁର୍ବାନ୍ କ୍ଲଷ୍ଟର୍ ପାଇଁ ୭୦୦ କୋଟିର ଡିପିଆର୍‌ ମଞ୍ଜୁର, ତୃତୀୟ ପକ୍ଷ ମୂଲ୍ୟାୟନ ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ବାରୋପ

ଭୁବନେଶ୍ବର: ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଦେବା ସହ ଅର୍ଥନୈତିକ ବିକାଶ ପାଇଁ ୯ଟି ରୁର୍ବାନ୍ କ୍ଲଷ୍ଟର୍‌ରେ ୭୦୦ କୋଟି ଖର୍ଚ୍ଚ ହେବ। ଏହି ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌)କୁ ଆଜି ମଞ୍ଜୁରୀ ମିଳିଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟସ୍ତରୀୟ କ୍ଷମତା ସମ୍ପନ୍ନ କମିଟି ପ୍ରକଳ୍ପଗୁଡ଼ିକ ମଞ୍ଜୁର କରିଛନ୍ତି।

ଏହି ଅବସରରେ ଶ୍ରୀ ତ୍ରିପାଠୀ ରୁର୍ବାନ୍ ମିସନ୍‌ର ପ୍ରଥମ ପର୍ଯ୍ୟାୟରେ ହୋଇଥିବା ପ୍ରକଳ୍ପଗୁଡ଼ିକର ଫଳାଫଳ ନେଇ ତୃତୀୟ ପକ୍ଷ ମୁଲ୍ୟାୟନ ଉପରେ ଗୁରୁତ୍ବାରୋପ କରିଥିଲେ। ବିଡିଓ କ୍ଷେତ୍ର ସ୍ତରର ଅଧିକାରୀଙ୍କୁ ନିୟମିତ ବ୍ୟବଧାନରେ ତାଲିମ୍ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର ବିଭିନ୍ନ ବିଭାଗର କ୍ଷେତ୍ର ସ୍ତରର ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ କହିଥିଲେ। ରୁର୍ବାନ୍ ମିସନ୍‌ରେ ଆଉ ୮ଟି କ୍ଲଷ୍ଟର୍‌କୁ ସାମିଲ୍‌ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟକୁ ସୁପାରିସ୍ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ହେଲା ମାଲକାନଗିରିର କାଲିମେଳା, ନୂଆପଡ଼ାର କୋମାନା, କେନ୍ଦୁଝର ସଦର, ଗଜପତିର ମୋହନା, ପୁରୀ ସହର, ଯାଜପୁର ଜିଲ୍ଲାର ଦାନଗଦି, ସୁବର୍ଣ୍ଣପୁରର ଉଲୁଣ୍ଡା ଓ ସମ୍ବଲପୁର ଜିଲ୍ଲାର ଢାକୁଆଡ଼। ଆଜିର ବୈଠକରେ ଗଞ୍ଜାମ ଜିଲ୍ଲାର ଦହିତା ଓ କେଶପୁର, ବଲାଙ୍ଗୀର ଜିଲ୍ଲାର ସିବତଳା, କନ୍ଧମାଳର କୋଠଗଡ଼, ନବରଙ୍ଗପୁରର ମୁର୍‌ତାମା, ବାଲେଶ୍ବର ଜିଲ୍ଲାର ରାଇବଣିଆ, ସୁନ୍ଦରଗଡ଼ର କାଉରମୁଣ୍ଡା, କୋରାପୁଟର ମରିଚମାଳ ଓ ରାୟଗଡ଼ା ଜିଲ୍ଲାର ପୁଟ୍ଟା ସିଂହ ଅଞ୍ଚଳ ପାଇଁ ମୋଟ୍‌ ୭୦୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଥିଲା।
ସୂଚନାଯୋଗ୍ୟ ଯେ ମିସନ୍‌ର ପ୍ରଥମ ପର୍ଯ୍ୟାୟରେ ୫ଟି ଅଞ୍ଚଳରେ ପ୍ରକଳ୍ପ କାର୍ଯ୍ୟାନ୍ବୟନ ଆରମ୍ଭ ହୋଇଛି। ସେଗୁଡ଼ିକ ହେଲା କଟକ ଜିଲ୍ଲାର ତଳବସନ୍ତ, ଖୋର୍ଦ୍ଧାର ରାଣୀପଡ଼ା, ଝାରସୁଗୁଡ଼ାର ସାମସିଂହ, କଳାହାଣ୍ଡିର ଉତ୍‌କେଲା ଓ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ରୁର୍ବାନ୍ କ୍ଲଷ୍ଟର୍। ଏହିସବୁ ଅଞ୍ଚଳରେ ୨୦୧୬-୧୭ ମସିହା ଠାରୁ ୪୦୦ କୋଟି ଟଙ୍କା ଆକଳନରେ ପ୍ରସ୍ତୁତ ପାଞ୍ଚ ବର୍ଷିଆ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆଜିର ବୈଠକରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହ, ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା‌ ସଚିବ ମନୋଜ ମିଶ୍ର, ରୁର୍ବାନ୍ ମିସନ୍‌ ନିର୍ଦ୍ଦେଶକ ସମୃତି ରଞ୍ଜନ ପ୍ରଧାନ ଓ ରାଜ୍ୟ ନୋଡାଲ୍‌ ଅଫିସର୍‌ ସ୍ବୟଂପ୍ରଭା ମହାନ୍ତିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର