ଭୋଟ୍‌ ଦେବାରୁ ବଞ୍ଚିତ ୭ ଶହ ଡ୍ରାଇଭର, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ

ଝାରସୁଗୁଡ଼ା: ଚଳିତ ନିର୍ବାଚନରେ ଜିଲ୍ଲା ପ୍ରଶାସନର ନାନା ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏହାରି ଭିତରେ ଆ‌ଉ ଏକ ନୂଆ ଦିଗ ସାମ୍ନାକୁ ଆସିଛି। ପ୍ରଶାସନର ଅବହେଳା ଯୋଗୁଁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ୭ଶହରୁ ଅଧିକ ଡ୍ରାଇଭର ନିଜର ମତ‌ାଧିକାର ସାବ୍ୟସ୍ତ କରିପାରି ନାହାନ୍ତି। ଗୋଟିଏ ପଟେ, ନିର୍ବାଚନ ଶେଷ ହେବାର ୨ ଦିନ ବିତିଯାଇଥିଲେ ହେଁ ଡ୍ରାଇଭରମାନେ ସେମାନଙ୍କର ପାଉଣା ପାଇପାରି ନଥିବା ବେଳେ ମତଦାନ ଅଧିକାରରୁ ବଞ୍ଚିତ ହେବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର କିଶୋର ଚନ୍ଦ୍ର ସ୍ବାଇଁଙ୍କୁ ପଚାରିବାରେ, ୪୫ ଜଣ ଡ୍ରାଇଭର ପୋଷ୍ଟାଲ୍‌ ବାଲଟ୍‌ରେ ମତଦାନ କରିଥିବା କହିଛନ୍ତି। ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ନିୟୋଜିତ ଡ୍ରାଇଭରମାନଙ୍କୁ ଏହି ପୋଷ୍ଟାଲ୍‌ ବାଲଟ୍‌ରେ ଭୋଟ୍‌ ଦେବାର ବ୍ୟବସ୍ଥା କରାଯାଇଥିଲେ ହେଁ, ସଚେତନତାର ଅଭାବ ଯୋଗୁଁ ଅନେକ ଡ୍ରାଇଭର ଫର୍ମ ନେଇଥିଲେ ହେଁ, ଦାଖଲ କରିନଥିବା ଶ୍ରୀ ସ୍ବାଇଁ କହିଛନ୍ତି।

ଚଳିତଥର ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ୫୩୬ଟି ଗାଡ଼ି ଓ ପୁଲିସ୍‌ ବିଭାଗ ପାଇଁ ୨୨୭ଟି ଗାଡ଼ିର ଆବଶ୍ୟକତା ରହିଥିଲା। କିନ୍ତୁ ଆଞ୍ଚଳିକ ପରିବହନ ବିଭାଗ ମୋଟ ୧୦୭୧ଟି ଗାଡ଼ିକୁ ରିକ୍ବିଜିସନ୍‌ ଦିଆଯାଇଥିଲା। ସେଥିରୁ ପ୍ରାୟ ୮ଶହ ଗାଡ଼ି ନିର୍ବାଚନ କାମରେ ନିୟାଜିତ ହୋଇଛି। ଯେଉଁଥିରେ ବଲେରୋ, ସ୍କର୍ପିଓ ଭଳି ୭ ସିଟ୍‌ର ଗାଡ଼ିର ସଂଖ୍ୟା ୫୭୮ ରହିଛି। ଏହା ବ୍ୟତୀତ ୭୦ଟି ୱିଙ୍ଗର, ଟ୍ରାଭେଲର, ୪୨ଟି ମିନିବସ୍‌, ୩୯ଟି ବସ୍‌, ୩୪ଟି ଟ୍ରକ୍‌ ଆଦି ନିୟୋଜିତ ହୋଇଛି।

ଏହି ଗାଡ଼ିଗୁଡ଼ିକର ଡ୍ରାଇଭରମାନେ ୧୯ ତାରିଖ ସକାଳୁ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ବିଭାଗ ନିକଟରେ ରିପୋର୍ଟିଂ କରିଥିବା ବେଳେ ୨୦ ତାରିଖ ରାତିରେ ଫେରିଛନ୍ତି। ଯେଉଁଠି ଝାରସୁଗୁଡ଼ାର ଗାଡ଼ି ଚାଳକଙ୍କୁ ଲଖନପୁରରେ ତ ବେଲପାହାଡ଼ର ଚାଳକଙ୍କୁ କିର୍ମିରାରେ ଡ୍ୟୁଟି ପଡ଼ିଥିଲା। ଏଭଳି ସ୍ଥିତିରେ ଉକ୍ତ ଚାଳକମାନେ ସେଠାରୁ ବାହାରି ନିଜ ନିଜ ବୁଥ୍‌ରେ ଭୋଟ୍‌ ଦେବା ସମ୍ଭବ ନଥିଲା।

ଏ ସମ୍ପର୍କରେ ଝାରସୁଗୁଡ଼ା ଡ୍ରାଇଭର ଆସୋସିଏସନ୍‌ ସାଧାରଣ ସମ୍ପାଦକ ଚୈତନ୍ୟ ସାହାଣୀଙ୍କୁ ପଚାରିବାରେ, ନିର୍ବାଚନରେ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ପୋଷ୍ଟାଲ୍‌ ବାଲଟ୍‌ରେ ଭୋଟ୍‌ ଦେବାର ବ୍ୟବସ୍ଥା କରାଯାଇଥିବା ନେଇ ‌ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା ବୋଲି କହିଛନ୍ତି। କିନ୍ତୁ କେବେ ପୋଷ୍ଟାଲ୍‌ ବାଲଟ୍‌ରେ ଭୋଟିଂ ହେଲା ସେସମ୍ପର୍କରେ ଡ୍ରାଇଭରମାନଙ୍କୁ ଅବଗତ କରାଗଲାନି।

ନିର୍ବାଚନର ଦିନକ ପୂର୍ବରୁ ସମସ୍ତ ଡ୍ରାଇଭରଙ୍କୁ ପୋଲିଂବୁଥ୍‌ ଅଭିମୁଖେ ପଠାଇ ଦିଆଯାଇଥିବା ବେଳେ ମତଦାନ ସମ୍ପୂର୍ଣ୍ଣ ଶେଷ ହେବା ପରେ ଇଭିଏମ୍‌କୁ ଷ୍ଟ୍ରଙ୍ଗରୁମ୍‌ରେ ପହଞ୍ଚାଇ ଡ୍ରାଇଭରମାନେ ଫେରିଛନ୍ତି। ଏଭଳି ସ୍ଥିତିରେ ସେମାନେ ଚଳିତଥର ମତଦାନରୁ ବଞ୍ଚିତ ହୋଇଛନ୍ତି ବୋଲି ଶ୍ରୀ ସାହାଣୀ କହିଛନ୍ତି।

ସମ୍ବନ୍ଧିତ ଖବର