ଭୁବନେଶ୍ୱର : ଗତ ୨୨ତାରିଖରେ ମୁଖ୍ୟ ଶାସନ ସଚିବ ସାରା ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରି ନିର୍ଦ୍ଦେଶ ଦେଲେ ଯେ ଏଣିକି ପ୍ରତିଦିନ ରାଜ୍ୟରେ ୭୦ହଜାର ଲୋକଙ୍କର କୋଭିଡ ପରୀକ୍ଷା ହେବ। ବିଡ଼ମ୍ବନାର ବିଷୟ ୫ଦିନ ପରେ ବି ଏହି ଟାର୍ଗେଟ୍ ସ୍ବାସ୍ଥ୍ୟ ବିଭାଗ ଛୁଇଁ ପାରିଲାନି। ଟାର୍ଗେଟ ଠାରୁ ପ୍ରାୟ ୧୫ହଜାର ପଛରେ ପଡ଼ିଯାଇଛି। ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏବେ କଟକଣା କଡ଼ାକଡ଼ି ନାହିଁ। ତେଣୁ ଟେଷ୍ଟିଂ ମାଧ୍ୟମରେ ଆକ୍ରାନ୍ତଙ୍କୁ ଚିହ୍ନଟ କରି ହିଁ ସଂକ୍ରମଣକୁ ରୋକିବା ଏକମାତ୍ର ବାଟ। ହେଲେ ଏହାକୁ ବି ହାସଲ କରିବାରେ ସ୍ବାସ୍ଥ୍ୟ ବିଭାଗ ଫେଲ୍‌ ମାରିଛି।

Advertisment

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୨୨ତାରିଖରେ ୬୧୬୬୦ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୧୫୫ଜଣ ଆକ୍ରାନ୍ତ, ୨୩‌େର ୫୭୯୬୭ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୧୪୧ଜଣ, ୨୪ରେ ୬୨୭୦୭ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୧୨୪ଜଣ, ୨୫ ତାରିଖରେ ୫୪୨୦୮ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୧୧୨ଜଣ, ୨୬ରେ ୫୫୦୮୪ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୧୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୁଖ୍ୟ ସଚିବ ଦୈନିକ ଟେଷ୍ଟିଂ ଟାର୍ଗେଟ ୭୦ହଜାର ଦେବା ଦିନ ଠାରୁ ଅଧିକଂଶ ଦିନ ପୂର୍ବ ଦିନଗୁଡ଼ିକ ତୁଳନାରେ ଟେଷ୍ଟିଂ କମିଛି। ଏନେଇ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବଡ଼ଦିନ ଏବଂ ରବିବାର ଯୋଗୁଁ ଟେଷ୍ଟିଂ ଟାର୍ଗେଟ୍ ହାସଲ କରାଯାଇପାରିନି। ଖୁବ୍‌ ଶୀଘ୍ର ଦିନକୁ ୭୦ହଜାର ଲୋକଙ୍କର କୋଭିଡ ପରୀକ୍ଷା ନେଇ ପଦକ୍ଷେପ ନିଆଯିବ।

ଅପରପକ୍ଷେ ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ ଟିପିଆର୍ ୦.୨% ଥିବାବେଳେ ‌ଅଧିକାଂଶ ଜିଲ୍ଲାରେ କରୋନା ଆକ୍ରାନ୍ତ ନାହାନ୍ତି। କେବଳ ଖୋର୍ଦ୍ଧା ଜିଲ୍ଲାରେ ଟିପିଆର୍‌ ୧% ଉପରେ ରହୁଛି। ଏବେ ବହୁତ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଲୋକମାନେ ସ୍ବତଃସ୍ଫୁର୍ତ୍ତ ଭାବେ ଟେଷ୍ଟିଂ ପାଇଁ ଆସୁନାହାନ୍ତି। ତେଣୁ ଯେଉଁମାନଙ୍କର ଥଣ୍ଡା, ଜ୍ବର ହେଉଛି ସେମାନଙ୍କର କୋଭିଡ ପରୀକ୍ଷା କରିବା ନେଇ ଆମେ ଲୋକଙ୍କୁ ପ୍ରବର୍ତ୍ତାଉଛୁ। ଖୁବ୍‌ ଶୀଘ୍ର ଜନଗହଳି ସ୍ଥାନରେ କୋଭିଡ୍ ଟେଷ୍ଟିଂ ଆରମ୍ଭ ହେବ।