ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ଦିନ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ୩୦ଟି ଜିଲ୍ଲାର ୬୮ ବ୍ଲକ୍ରେ ୧୮୬ ଜିଲ୍ଲା ପରିଷଦ ଜୋନ୍, ୧୫୧୪ ଗ୍ରାମପଞ୍ଚାୟତରେ ୨୦,୪୩୬ଟି ବୁଥ୍ରେ ନିର୍ବାଚନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୭୭.୨ ପ୍ରତିଶତ ମତଦାନ ହୋଇଥିଲା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୧% ମତଦାନ ହୋଇଛି। ମୋଟ୍ ୬୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟର୍ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିବା ନେଇ ନିର୍ବାଚନ କମିସନ୍ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
କମିସନ୍ଙ୍କ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଭୋଟ୍ ଗ୍ରହଣ ସମୟରେ ଅଳ୍ପ କିଛିସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଓ ବିଶୃଙ୍ଖଳାକୁ ବାଦ୍ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହିତ ଭୋଟ୍ ଗ୍ରହଣ କାର୍ଯ୍ୟସମ୍ପନ୍ନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିସନ୍ ଗମ୍ଭୀରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ୍ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ସାରିବା ପାଇଁ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆଜିର ନିର୍ବାଚନରେ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବାଫଳରେ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କିଛି ବୁଥ୍ରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଏହା ବାଦ୍ ବାଲଟ୍ ପେପରେ ତ୍ରୁଟି ପାଇଁ ଦୁଇ ତିନି ସ୍ଥାନରେ ପୁନଃ ନିର୍ବାଚନ ଆବଶ୍ୟକ ହୋଇପାରେବ। ଏ ସମ୍ପର୍କରେ ସଂପୃକ୍ତ ଜିଲ୍ଲାପାଳଙ୍କ ଠାରୁ ବିସ୍ତୃତ ରିପୋର୍ଟ ପାଇଲା ପରେ ରାଜ୍ୟ ନିର୍ବାଚନ କମିସନ୍ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଅପରପକ୍ଷରେ ଶୁକ୍ରବାର ଦିନ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି। ୨୦ ତାରିଖରେ ହେବାକୁ ଥିବା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟା ୭ଟାରୁ ପ୍ରଚାର ବନ୍ଦ କରାଯାଇଛି। ବାହାର ନିର୍ବାଚନମଣ୍ଡଳୀର ରାଜନେତାଙ୍କୁ ସଂପୃକ୍ତ ଅଞ୍ଚଳର ବାହାରକୁ ବିଦା କରାଯାଇଛି।