ପଞ୍ଚାୟତ ନିର୍ବାଚନ: ୨ୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ, କୋଟିଆରେ ୭୬.୦୩% ଭୋଟିଂ

ଭୁବନେଶ୍ୱର: ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଆଜି ଶେଷ ହୋଇଛି। ୩୦ଟି ଜିଲ୍ଲାର ୬୮ ବ୍ଲକରେ ମୋଟ ୧୫୬୪ ଗ୍ରାମପଞ୍ଚାୟତରେ ମତଦାନ ହୋଇଛି। ୧୮୬ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୦,୪୩୬ଟି ବୁଥରେ ମତଦାନ ହୋଇଛି। ସାମାନ୍ୟ କିଛି ସ୍ଥାନକୁ ବାଦ୍‌ ଦେଲେ ଅନ୍ୟ ସବୁଠି ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟର ଥିବା ବେଳେ ପ୍ରାରମ୍ଭିକ ଆକଳନ ଅନୁସାରେ ୭୧ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିସନ୍‌ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି ଯେ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର କିଛି ବୁଥରେ ମତଦାନ ବିଭ୍ରାଟ ହୋଇଥିବା ସୂଚନା ମିଳିଛି। ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ମତଦାନ ଗତ ୧୬ ତାରିଖରେ ରେକର୍ଡ ସଂଖ୍ୟକ ଭୋଟ ଗ୍ରହଣ ହୋଇଛି। ଗତକାଲି ସାରା ରାଜ୍ୟରେ ରେକର୍ଡ ସଂଖ୍ୟକ ୭୭.୨ ପ୍ରତିଶତ ଭୋଟଗ୍ରହଣ ହୋଇଛି।

ସେହିପରି ବହୁଚର୍ଚ୍ଚିତ କୋରାପୁଟ ଜିଲ୍ଲା କୋଟିଆରେ ୭୬.୦୩ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି। ୧୯୫୬ ପୁରୁଷ ଓ ୨୦୧୦ ଜଣ ମହିଳା ଭୋଟ ଦେଇଛନ୍ତି। ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ର ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର