କରୋନା କଷଣକୁ ବଳେଇଲା ‌ଭୋକର ଜ୍ୱଳା, ରାଜ୍ୟ ଛାଡ଼ିବେ ୭୧% ଶ୍ରମିକ

ଭୁବନେଶ୍ବର : ରାଜ୍ୟ ବାହାରେ ଦାନାପାଣି ସଂଘର୍ଷ କରୁଥିବା ବେଳେ ମହାମାରୀ କରୋନା କଥା ଶୁଣି ଛାତିରେ ଛନକା ପଶି ଯାଇଥିଲା। ଭିଟାମାଟିକୁ ଫେରିବା ପାଇଁ ବ୍ୟାକୁଳ ହୋଇପଡ଼ିଥିଲୁ। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପା‌ଇଁ ଯାନବାହାନ ସବୁ ବନ୍ଦ ହେଇଗଲା। ମାତ୍ର ଭିଟାମାଟିର ଡାକ ଓ ଜୀବନ ବଞ୍ଚା‌ଇବା ଲୋଭରେ ଶହ ଶହ କିଲୋମିଟର ଦୂର ଚାଲି ଚାଲି ଅତିକ୍ରମ କଲୁ। ପ୍ରଚଣ୍ଡ ଖରା‌ରେ ଅଖିଆ ଅପିଆ ବାଟ ଚାଲୁଥିବା ବେଳେ ପ୍ରାଣ ଛାଡ଼ିଯିବା ଭଳି ଲାଗୁଥିଲା। ଯନ୍ତ୍ରଣା କମାଇବା ପାଇଁ ପେନ୍‌‌ କିଲର୍‌ ଖାଇବାକୁ ପଡ଼ୁଥିଲା। ତେବେ ଭିଟାମାଟିର ମୋହ ଓ ଆତ୍ମୀୟସ୍ବଜନଙ୍କ ମୁହଁ କଥା ଭାବି ଭାବି ସିକନ୍ଦରାବାଦ୍‌ରୁ ଚାଲି ଚାଲି ପହଞ୍ଚି ଯାଇଥିଲୁ ବାରିପଦାରେ। ଏବେ ମଧ୍ୟ କରୋନା ଭୟ ମନରୁ ଯାଇନି। କିନ୍ତୁ ‌ପୋଡ଼ି ଯାଉଛି ପେ‌ଟ। କରୋନା କଷଣଠାରୁ ବଳେଇ ପଡ଼ିଛି ଭୋକର ଜ୍ବାଳା। ସେଠି କାମ କଲେ, ହୁଏତ କରୋନାର ଶିକାର ହୋଇପାରୁ। କିନ୍ତୁ ଏଠି ରହିଲେ ଭୋକରେ ନିଶ୍ଚୟ ମରିଯିବୁ….। ୪ ମାସ ତଳେ ସିକନ୍ଦରାବାଦରୁ ବାରିପଦାରୁ ଚାଲିଚାଲି ପଳେଇ ଆସିବା ପରେ ଆଜି ପୁଣି ନିଜ କମ୍ପାନିକୁ ଫେରିବା ପାଇଁ ଭୁବନେଶ୍ବର ରେଳ ଷ୍ଟେସନ ଯାଉଥିବା ବେଳେ ମୁନା ମାଝି ବଖାଣିଛନ୍ତି ନିଜ ଅନ୍ତରର ଏହି ଅକୁହା କଥା।

ମୁନା ମାଝିଙ୍କ ଏହି କାହାଣୀ କେବଳ ମାତ୍ର ଏକ ନମୁନା। ତାଙ୍କ ଭଳି ଶହ ଶହ ବ୍ୟକ୍ତି ୪ମାସରୁ ଅଧିକ ସମୟ ହେଲା ଘରେ ବସି ରହିବା ପରେ ଏବେ ପୁଣି ନିଜ କର୍ମସ୍ଥଳୀକୁ ବାହୁଡ଼ି ଯାଇଛନ୍ତି। ଆହୁରି ଅନେକ କର୍ମସ୍ଥଳକୁ ଯିବା ପାଇଁ ସଜବାଜ ହେଉଛନ୍ତି। କରୋନାର କୋପ ବଢ଼ି ଚାଲିଥିଲେ ହେଁ ଭୋକର ଦାଉ ଅସହ୍ୟ ହୋଇ ପଡ଼ିଛି। ଆଉ ସମ୍ଭାଳିବା ସ୍ଥିତିରେ ନାହାନ୍ତି ଶ୍ରମଜୀବୀ। ଚାଉଳ, ଡାଲି ସିନା ମିଳିଯାଉଛି, ହେଲେ ଗୋଟେ ପରିବାରର ଅନ୍ୟାନ୍ୟ ଖର୍ଚ୍ଚ ଆସିବ କୁଆଡ଼ୁ! ଅନ୍ୟ ପକ୍ଷରେ ଶିଳ୍ପାନୁଷ୍ଠାନ ସବୁ ଖୋଲିଯାଇଥିବାରୁ ସେମାନଙ୍କ ମନରେ ଆଶା ସଂଚାର ହୋଇଛି ବୋଲି ଶ୍ରମିକମାନେ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଳ୍ପ କିଛି ଶ୍ରମିକ ଯେତିକି ବି ସଞ୍ଚୟ କରିଥିଲେ ତାହା ସେମାନଙ୍କ ହାତରୁ ସରି ଆସିଲାଣି। ଏଣୁ ଅନେକ ଶ୍ରମିକଙ୍କ ହାତ ଉଧାରି ବଢ଼ିଯିବା ପରେ ସେମାନଙ୍କୁ ଚିନ୍ତା ଗ୍ରାସିଛି। ତେଣୁ କର୍ମ ସଂସ୍ଥାନକୁ ଫେରିବାକୁ ସେମାନେ ବାଧ୍ୟ ହେଉଛନ୍ତି।

ଶ୍ରମିକ ନେତା ଆଶିଷ କାନୁନ୍‌ଗୋଙ୍କ କହିବା କଥା, ରାଜ୍ୟରେ ଚିନି କଳଠୁ ନେଇ ଶିବା ପେପର ମିଲ୍ ଭଳି କାରଖାନା ସବୁ ବନ୍ଦ ହୋଇ ପଡ଼ିଛି। ମାତ୍ର ଏସବୁ ଚାଲୁ କରିବା ପାଇଁ ସରକାର ଚିନ୍ତା କରିନାହାନ୍ତି। ତେଣୁ ଯେଉଁମାନେ ବି କରୋନା ଯୋଗୁଁ ଫେରି ଆସିଥିଲେ ସେମାନଙ୍କ ପାଇଁ ଏଠାରେ କାମ କରିବାର ସୁଯୋଗ ନାହିଁ। ଫଳରେ ସେମାନେ ବାହାର ରାଜ୍ୟର କମ୍ପାନିଗୁଡ଼ିକୁ ଫେରିଯିବାକୁ ଶ୍ରେୟ ମଣୁଛନ୍ତି। ଏକ ସର୍ବେକ୍ଷଣ ମୁତାବକ ରାଜ୍ୟର ୭୧ ପ୍ରତିଶତ ଲୋକ ଭିଟାମାଟିର ମୋହ ଛାଡ଼ି ପୁଣି ଅନ୍ୟ ରାଜ୍ୟକୁ ଖଟିବାକୁ ଚାଲିଯିବାକୁ ପ୍ରସ୍ତୁତ ହେଲେଣି ଏବଂ ଅନେକ ଚାଲିଗଲେଣି। ତେଣୁ ଓଡ଼ିଶା ସରକାର ସେମା‌ନଙ୍କୁ ନିଯୁକ୍ତି ଦେଇପାରୁନଥିବା ଏଥିରୁ ପ୍ରମାଣିତ ହୋଇଛି ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି।

ସମ୍ବନ୍ଧିତ ଖବର