ତୃତୀୟ ପର୍ଯ୍ୟାୟ ମତଦାନ ଉତ୍ସାହଜନକ, ୭୧ ପ୍ରତିଶତ ଭୋଟିଂ: ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ୩ୟ ପର୍ଯ୍ୟାୟର ମତଦାନ ସୁରଖୁରରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ୍‌ ୫୬ ଲକ୍ଷ ୫୩ ହଜାରରୁ ଅଧିକ ଭୋଟର ଥିବା ବେଳେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍‌ ୭୧ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକର ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ମୋଟ୍‌ ୨୯ଟି ଜିଲ୍ଲାର ୬୩ ବ୍ଲକର ୧୩୮୨ଟି ଗ୍ରାମପଞ୍ଚାୟତରେ ୧୭୧ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ୧୮ହଜାର ୪୯୫ ବୁଥ୍‌ରେ ନିର୍ବାଚନ ଶେଷ ହୋଇଛି।

ଯାଜପୁର ଜିଲ୍ଳାର ବିଞ୍ଝାରପୁର ବ୍ଲକରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କମିସନ ଦୃଢ଼ ଭାବରେ ନିିନ୍ଦା କରୁଛନ୍ତି। ଏହି ସଂପର୍କରେ ଡିଜିପି ଏବଂ ଯାଜପୁର ଜିଲ୍ଲା ପ୍ରଶସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଶ୍ରୀ ପାଢ଼ୀ କହିଛନ୍ତି ଯେ, ଅନ୍ୟାନ୍ୟ ସ୍ଥାନ ବ୍ୟତୀତ ମାଲକାନଗିରି ଜିଲ୍ଳାର ମାଥିଲି ଓ ପଡିଆ ବ୍ଲକ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଓ ପ୍ରବଣ ସ୍ଥାନ ହୋଇଥିଲେ ମଧ୍ୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଅଛି। ବିଶେଷ ଭାବରେ ମାଲକାନଗିରି ଜିଲ୍ଲାରେ ଗତ ୨ ପର୍ଯ୍ୟାୟ ଭଳି ଏ ପର୍ଯ୍ୟାୟରେ ମଧ୍ୟ ମତଦାନ ହାର ବେଶ ଉତ୍ସାହଜନକ ହୋଇଛି।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନର ୨ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବୁଧବାର ୭୭.୨% ମତଦାତା ମତଦାନ କରିଛନ୍ତି।  ୨୦୧୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୬.୬୫% ମତଦାନ ହୋଇଥିଲା। ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୮୪.୭% ମତଦାନ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍‌ ୬୪.୯୬% ମତଦାନ ହୋଇଛି। ‌

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮ ଦଶମିକ ୩ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୫.୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଂଜାମରେ ସର୍ବନିମ୍ନ ୬୪.୮୬ ପ୍ରତିଶତ ମତଦାନ ହୋଇଛି । ଗତ ୧୬ ଓ ୧୮ ତାରିଖ ଦିନ ଭୋଟିଂ ହୋଇପାରି ନ ଥିବା ବୁଥ ଗୁଡ଼ିକରେ ଆସନ୍ତା ୨୩ ତାରିଖରେ ଭୋଟ ଗହଣ କରାଯିବ।

ସମ୍ବନ୍ଧିତ ଖବର